ଆବେଦନ ତାରିଖ ୧୫କୁ ଘୁଞ୍ଚିଲା

ଫର୍ମର ଜେରକ୍ସ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ନକଲି ଫର୍ମ ବିକି ବାଲେଶ୍ବରରୁ ୨ ଗିରଫ

ଭୁବନେଶ୍ବର: ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାର ଆବେଦନ ଫର୍ମ ଦାଖଲରୁ ଶେ‌ଷ ତାରିଖ ଆଜି(ଜାନୁଆରି ୧୦ ତାରିଖ) ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏହି ଆବେଦନ ଅବଧି ୧୦ରୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାର କାର୍ଯ୍ୟାନ୍ବୟନ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ
ସହିତ ଆଲୋଚନା କରିଥିଲେ। ଆଲୋଚନାରେ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏ ନେଇ ଆବେଦନ ଅବଧିକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରି ୨୫ରୁ ଆରମ୍ଭ ହୋଇ ଫେବ୍ରୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାଳିଆ ଯୋଜନାରୁ ଯେପରି ଜଣେ ହେଲେ ବି ଯୋଗ୍ୟ ଚାଷୀ ବାଦ୍‌ ନ ପଡ଼ନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅପର ପକ୍ଷରେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାଳିଆ ଯୋଜନାର ଫର୍ମ ମିଳୁ ନ ଥିବା ନେଇ ଗଦା ଗଦା ଅଭିଯୋଗ ପହଞ୍ଚିବାରେ ଲାଗିଛି। ଫର୍ମ ମିଳୁ ନ ଥିବାରୁ କିଛି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଯେଉଁଠି ଫର୍ମ ଉପଲବ୍ଧ ହେଉ ନାହିଁ, ସେଠାରେ ଆବଶ୍ୟକ ସ୍ଥଳେ ସବୁଜ ଓ ନାଲି ଫର୍ମର ଜେରକ୍ସକୁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସଚିବ ସ୍ପଷ୍ଟ କରିଛନ୍ତି। ସେହିପରି କାଳିଆ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍‌ରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରମୁଖ ସଚିବ କହିଛନ୍ତି। ବାଲେଶ୍ବର ଜିଲ୍ଲାରେ କାଳିଆ ଯୋଜନାର ନକଲି ଫର୍ମ ବିକିବା ପରି ସାଂଘାତିକ ଅଭିଯୋଗ ବି ଆସିଛି। ଏ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଖଇରା ବ୍ଲକ୍‌ର ମାଖନପୁର ପଞ୍ଚାୟତର ଅକ୍ଷୟ ମହାରଣା ଓ ବାଲିଆପାଳର ମଧୁପୁରା ପଞ୍ଚାୟତର ସୁଶାନ୍ତ ପରମାଣିକ ନକଲି ଫର୍ମ ବିକୁଥିବାର ଅଭିଯୋଗ ହୋଇଥିଲା। ଏହା ପରେ ବାଲେଶ୍ବର ଜିଲ୍ଲାପାଳ ଆବଶ୍ୟକ ଯାଞ୍ଚ୍ କରିବାକୁ ଖଇରା ଓ ବାଲିଆପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାଟି ସତ ଜଣାପଡ଼ିଲା ପରେ ଉଭୟ ବିଡିଓ ଥାନାରେ ଏତଲା ଦେଇଥିଲେ। ଏହା ପରେ ଅଭିଯୁକ୍ତ ଅକ୍ଷୟ ମହାରଣା ଓ ସୁଶାନ୍ତ ପରମାଣିକ ଗିରଫ ହୋଇଥିବା ନେଇ ସମବାୟ ବିଭାଗ ସଚିବ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର