ପିଜି ନାମଲେଖା ଲାଗି ଆଜିଠୁ ଆବେଦନ, ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ
ଭିନ୍ନକ୍ଷମ ଓ କିନ୍ନରଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି, ୧୧ ବିଶ୍ବବିଦ୍ୟାଳୟ ଓ ୫ କଲେଜରେ ହେବ ପରୀକ୍ଷା କେନ୍ଦ୍ର
ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଅପରାହ୍ନ ୨ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍ରେ ହଲ୍ ଟିକେଟ୍ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ହଲ୍ ଟିକେଟ୍ ଡାଉନ୍ଲୋଡ୍ କରିପାରିବେ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ। ଅକ୍ଟୋବର ୨୫ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ବିଶ୍ବବିଦ୍ୟାଳୟ ଓ କଲେଜ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।
ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆବେଦନ ଓ ପରୀକ୍ଷା ପରିଚାଳନା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି। ପ୍ରଥମ ଥର ଲାଗି ହେଉଥିବା ଏହି ପ୍ରବେଶିକା ପରୀକ୍ଷା ଦାୟିତ୍ବ ୩ଟି ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। କଳା ବିଭାଗର ୨୪ଟି ବିଷୟର ପରୀକ୍ଷା ପରିଚାଳନା ଉତ୍କଳ ବିଶ୍ବବିଦ୍ୟାଳୟ, ବିଜ୍ଞାନ ବିଭାଗର ୨୦ଟି ବିଷୟର ପରୀକ୍ଷା ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବାଣିଜ୍ୟ ବିଭାଗର ୮ଟି ବିଷୟର ପରୀକ୍ଷା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କରିବ। ପ୍ରବେଶିକା ପରୀକ୍ଷା ଲାଗି କେବଳ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା କରାଯିବ। କୌଣସି ପ୍ରକାର ଅଫ୍ଲାଇନ୍ ସୁବିଧା ଉପଲବ୍ଧ ହେବ ନାହିଁ। ସର୍ବାଧିକ ୫ଟି ପିଜି ବିଷୟ ଓ ୧୦ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଜଣେ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ପ୍ରଥମ ବିଷୟ ଲାଗି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୫୦୦ ଟଙ୍କା ଫି’ ରହିଥିବା ବେଳେ ପରବର୍ତୀ ବିଷୟଗୁଡ଼ିକ ପିଛା ୨୦୦ ଟଙ୍କା ଲେଖାଏଁ ଦେବାକୁ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ବାବଦରେ ୫୦୦ ଟଙ୍କା ରଖାଯାଇଥିବା ବେଳେ ଏସ୍ସି/ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟଙ୍କା, ଭିନ୍ନକ୍ଷମ ଓ କିନ୍ନରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ଫି’ କେବଳ ଅନ୍ଲାଇନ୍ରେ ଡିପୋଜିଟ୍ କରାଯିବ। ଥରେ ଫି’ ଦାଖଲ କରାଗଲେ ଆଉ ଫେରସ୍ତ ନାହିଁ।
କୋଭିଡ୍-୧୯ ସମୟରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମେତ ଉତ୍କଳ, ରେଭେନ୍ସା, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଗଙ୍ଗାଧର ମେହେର, ଫକୀର ମୋହନ, ଉତ୍ତର ଓଡ଼ିଶା(ଉଭୟ କ୍ୟାମ୍ପସ), କଳହାଣ୍ଡି ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ। ଏଥିସହ ଜୟପୁରସ୍ଥିତ ବିକ୍ରମ ଦେବ ସ୍ବୟଂଶାସିତ କଲେଜ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ କଲେଜ, କେନ୍ଦୁଝର ସରକାରୀ ସ୍ବୟଂଶାସିତ କଲେଜ, ରାଉରକେଲା ସ୍ବୟଂଶାସିତ କଲେଜ, ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରିବାକୁ ସ୍ଥିର ହୋଇଛି। ଯଦି ଆବଶ୍ୟକ ପଡ଼େ ସମସ୍ତ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଘୋଷଣା କରାଯିବ।
ପ୍ରତି ପାଠ୍ୟକ୍ରମରେ ୧୬.୨୫% ସିଟ୍ ଏସ୍ସି ପିଲାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଏସ୍ଟି ବର୍ଗଙ୍କ ଲାଗି ୨୨.୫%, ଭିନ୍ନକ୍ଷମଙ୍କ ଲାଗି ୫%, ଅବସରପ୍ରାପ୍ତ କର୍ମଚାରୀ, ଯବାନ ଓ ସହିଦ୍ ଯବାନଙ୍କ ଲାଗି ଗୋଟିଏ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ। ଏନ୍ସିସି, ଏନ୍ଏସ୍ଏସ୍, ରୋଭର ଆଣ୍ଡ୍ ରେଞ୍ଜର, କ୍ରୀଡ଼ା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ତଥା ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିବା ଛାତ୍ରଛାତ୍ରୀଙ୍କୁ ସୁବିଧା ମିଳିବ। ଆବେଦନ ବେଳେ କେବଳ କମ୍ପୁଟର (ଇଣ୍ଟରନେଟ୍) ଜେନେରେଟେଡ୍ ସିଏଏଫ୍ ସହ ବାର୍କୋଡ୍କୁ ଗ୍ରହଣ କରାଯିବ। ଡିଟିପି କିମ୍ବା ଟାଇପ୍ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ। ଅନ୍ଲାଇନ୍ ଫି’ ଦାଖଲରେ ଯଦି କୌଣସି ସମସ୍ୟା ଥିବ ତେବେ [email protected] ରେ ଯୋଗାଯୋଗ କରିପାରିବେ। ଏସ୍ଏମ୍ଏସ୍, ଇ-ମେଲ୍, www.dheodisha.gov.in/ www.samsodisha.gov.in ୱେବସାଇଟ୍ ଓ ଟୋଲ୍ ଫି’ ନମ୍ବର(୧୫୫୩୩୫/୧୮୦୦-୩୪୫-୬୭୭୦) ମାଧ୍ୟମରେ ଆବେଦନକାରୀଙ୍କୁ ସେମାନଙ୍କ ଆବେଦନ ସମ୍ପର୍କରେ ଅବଗତ କରାଯିବ। ବିଶ୍ବବିଦ୍ୟାଳୟ ଓ କଲେଜରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ୍, ମାର୍କସିଟ୍ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ଯଦି ସାର୍ଟିଫିକେଟ୍/ମାର୍କସିଟ୍ ଓ ଅନ୍ୟାନ୍ୟ କାଗଜପତ୍ର ଭୁଲ୍ ଥିବା ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ଆବେଦନକାରୀଙ୍କ ନାମଲେଖା ବାତିଲ୍ ହେବ। ଛାତ୍ରଛାତ୍ରୀ ନିୟମିତ ଭାବେ www.dheodisha.gov.in ଓ www.samsodisha.gov.in , ବିଶ୍ବବିଦ୍ୟାଳୟ ଓ କଲେଜର ୱେବସାଇଟ୍କୁ ଯାଇ ହଷ୍ଟେଲ ସିଟ୍ ଓ ଅନ୍ୟାନ୍ୟ ଫି’ ବାବଦରେ ଜାଣିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।