ଯୁକ୍ତ୩ ନାମଲେଖା ପାଇଁ ଆଜିଠୁ ଆବେଦନ

୧୦୦୪ କଲେଜରେ ଅଢ଼େଇ ଲକ୍ଷ ସିଟ୍‌

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୨୦୨୨-୨୩ ଶିକ୍ଷାବର୍ଷରେ ୧୦୦୪ କଲେଜର ୨ ଲକ୍ଷ ୪୯ ହଜାର ୩୫୭ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ। କଳା ବିଭାଗରେ ୧ ଲକ୍ଷ ୩୯ ହଜାର ୬୯୭ ସିଟ୍‌ ଥିବା ବେଳେ ଫିଜିକାଲ ସାଇନ୍ସରେ ୪୨ ହଜାର ୧୫, ବାୟୋଲୋଜିକାଲ ସାଇନ୍ସରେ ୨୬ ହଜାର ୬୦୪, ବାଣିଜ୍ୟରେ ୩୦ ହଜାର ୬୭୫, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ୧୬୬୬ ଓ ସଂସ୍କୃତ ବିଭାଗର ୮୭୦୦ ସିଟ୍ ରହିଛି। ଅଗଷ୍ଟ ୩୧ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୨ରୁ ୫ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ।

ସେପ୍ଟେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ କରାଯିବ ଏବଂ ୧୨ରୁ ୧୪ ତାରିଖ ଯାଏ ନାମଲେଖା ହେବ। ୧୬ ତାରିଖ ଅପରାହ୍ନ ୨ଟାରେ ସାମ୍‌ସ ୱେବସାଇଟ୍‌ରେ ଶିକ୍ଷାନୁଷ୍ଠାନର ଇ-ସ୍ପେସ୍‌ରେ ଖାଲି ସିଟ୍ ତାଲିକା ପ୍ରକାଶ ପାଇବ। ୧୯ ତାରିଖ ଅପରାହ୍ନ ୨ଟାରୁ ୨୧ ତାରିଖ ପୂର୍ବାହ୍ନ ୧୧ଟା ୪୫ ମଧ୍ୟରେ ଯେଉଁ ଆବେଦନକାରୀ ପୂର୍ବରୁ ଲଗ୍‌ଇନ୍ କରିଥିବେ ସେମାନେ ସ୍ପଟ୍ ନାମଲେଖା ଲାଗି ସିଏଏଫ୍ ପୂରଣ କରିପାରିବେ। ୨୪ ତାରିଖରେ ଖାଲିଥିବା ସିଟ୍‌ଗୁଡ଼ିକ ଲାଗି ଚୟନ ତାଲିକା ଶିକ୍ଷାନୁଷ୍ଠାନର ନୋଟିସ୍ ବୋର୍ଡରେ ପ୍ରକାଶ ପାଇବ। ଯଦି କୌଣସି ଆବେଦନକାରୀ ଏକାଧିକ ଚଏସ୍ ତଥା ଅପସନ୍ ପାଇଥିବେ ସ୍ପଟ୍ ନାମଲେଖା ସମୟରେ ସେଥିମଧ୍ୟରୁ ଗୋଟିଏକୁ ଚୟନ କରିବେ। ସେପ୍ଟେମ୍ବର ୨୬ରୁ ୨୮ ମଧ୍ୟରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ୨୯ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଶିକ୍ଷାନୁଷ୍ଠାନର ଇ-ସ୍ପେସ୍‌ରେ ଉପଲବ୍ଧ ହେବ। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଇ-ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ନାମଲେଖା ଫି’ ଆଦାୟ କରିବେ।

ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ବିଭାଗ ପକ୍ଷରୁ ଆଜି ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନ‌ସିଲ୍‌ ଅଧ୍ୟକ୍ଷ କଲେଜ ଅଧ୍ୟକ୍ଷଙ୍କ ଲାଗି ଗାଇଡ୍‌ଲାଇନ୍‌ ଜାରି ହୋଇଛି। କେଉଁଭଳି ଭାବେ ପିଲାମାନଙ୍କ ନାମ ଲେଖାଇବେ ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ସମସ୍ତ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନାମଲେଖା ଲାଗି ଫର୍ମ ପୂରଣ କରିବା ପୂର୍ବରୁ ଛାତ୍ରଛାତ୍ରୀ କମନ୍‌ ପ୍ରସ୍ପେକ୍ଟସ୍‌କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଚଳିତବର୍ଷ ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଆଣ୍ଟି-ରାଗିଂ ଅଣ୍ଡରଟେକିଂ ବାଧ୍ୟତାମୂଳକ ହୋଇଛି। କେଉଁଭଳି ଅଣ୍ଡରଟେକିଂ ଦେବାକୁ ପଡ଼ିବ ସେନେଇ ନିର୍ଦେଶାବଳୀରେ କୁହାଯାଇଛି।

ସମ୍ବନ୍ଧିତ ଖବର