କେନ୍ଦୁଝର : ଗୋଟିଏ ପଟେ ଯୁବ ଗୋ‌ଷ୍ଠୀଙ୍କୁ ନିଯୁକ୍ତି ନାହିଁ। ଅନ୍ୟ ପଟେ ଅବସର ପରେ ବିଭିନ୍ନ କାର୍ଯ୍ୟାଳୟରେ ମାଳ ମାଳ ନିଯୁକ୍ତି। ଖାଲି ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାଧିକ କାର୍ଯ୍ୟାଳୟରେ ଏଭଳି ଅବସର ପରେ ନିଯୁକ୍ତି ପାଇବା ଘଟଣା ଦେଖିବାକୁ ମିଳିଛି।

Advertisment

ଏଠାରେ ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍‌ଏଚ୍‌ଏଆଇର ସ୍ୱତନ୍ତ୍ର ଭୂଅର୍ଜନ କାର୍ଯ୍ୟାଳୟର ଉଦାହରଣ ନିଆଯାଉ। ଏହି କାର୍ଯ୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି, ଯାହାଙ୍କର ବୟସ ୬୫ ବର୍ଷରୁ ଅଧିକ।  ଏହି ପ୍ରସଙ୍ଗକୁ କେନ୍ଦ୍ର କରି କେନ୍ଦୁଝରଠାରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ ବା ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଏକ ପତ୍ର ଗତକିଛି ବର୍ଷ ତଳେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ତଥା ଜାତୀୟ ରାଜପଥ ୨୧୫ର କ୍ଷମତାପନ୍ନ ଅଧିକାରୀଙ୍କୁ ପତ୍ର ଲେଖା ଯାଇଥିଲା । ଏନ୍‌ଏଚ୍‌ଏଆଇର ପତ୍ର ସଂଖ୍ୟା ୭୧୭୧ ତା ୧୭/୫/୨୦୧୮ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବୟସସୀମା ଜଣାଇବା ସହ ଉପଯୁକ୍ତ ବୟସର ହୋଇଥିଲେ ସେମାନଙ୍କ କାର୍ଯ୍ୟକାଳ ୧/୬/୨୦୧୯ରୁ ୩୧/୫/୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପତ୍ର ଲେଖିଥିଲେ।

ଏଥିରେ ସେ ସ୍ପଷ୍ଟ ଭାବରେ ନିଯୁକ୍ତି ପାଇବା ସମୟରେ ବା କାର୍ଯ୍ୟକାଳ ଅବଧି ବଢିବା ସମୟରେ କର୍ମଚାରୀଙ୍କ ବୟସ ୬୫ବର୍ଷରୁ କମ୍ ହୋଇଥିବା କଥା ଉଲ୍ଲେଖ କରିଥିଲେ। ଏହାର ଉତ୍ତରରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବା କ୍ଷମତାପନ୍ନ ଅଧିକାରୀ ତାଙ୍କ ପତ୍ର ସଂଖ୍ୟା ୫୨୭ ତା ୩୦/୫/୨୦୧୯ରେ ପତ୍ର ଲେଖି ପ୍ରାୟ ୮ଜଣ କର୍ମଚାରୀଙ୍କ ବୟସ ୬୫ ବର୍ଷ ଉପରେ ବୋଲି ଉଲ୍ଲେଖ କରିଥିଲେ । ମାତ୍ର ଇତିମଧ୍ୟରେ ୨୦୨୨ ମସିହାର ଅର୍ଦ୍ଧାଧିକ ସମୟ ବିତିଯାଇଥିବାବେଳେ ସେମାନେ ନିୟୋଜିତ ଅଛନ୍ତି। ପୁନଶ୍ଚ ଏହି କର୍ମଚାରୀମାନେ କାର୍ଯ୍ୟରେ କିପରି ରହିଛନ୍ତି  ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରୁ ଏହି ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଅନେକ ବୟସାଧିକ କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିବାବେଳେ ଯୁବ ଠିକା କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଉଛି।  କେବଳ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ ନୁହେଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଧିକାରୀମାନେ ନିଜ ଇଚ୍ଛାରେ ସରକାରୀ ନିୟମ ଉଲ୍ଲଂଘନ କରି ଠିକାରେ ସର୍ଭିସ ପ୍ରୋଭାଇଡର ମାଧ୍ୟମରେ ନିଯୁକ୍ତି ଦେଇଛନ୍ତି । ଯେଉଁଥିପାଇଁ ଯୁବ ଗୋଷ୍ଠୀଙ୍କ ନିଯୁକ୍ତି ସୁଯୋଗ ସଂକୁଚିତ ହେଉଛି।