ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୧୭୮୧ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ୧୭୮୧ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଜୟଦେବ ଭବନରେ ନବନିଯୁକ୍ତ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଶ୍ରୀ ଦାଶ କହିଥିଲେ, ସ୍ବାଧୀନତା ପୂର୍ବରୁ ବକୁଳବନରେ ପଞ୍ଚଶଖା ଶିକ୍ଷକତା କରୁଥିଲେ। ଉତ୍କଳ ପ୍ରଦେଶକୁ ଆଗେଇ ନେବା ସେମାନଙ୍କର ଲକ୍ଷ୍ୟ ଥିଲା। ମାତ୍ର ଆଜିର ସମୟରେ ବହୁ ପରିବର୍ତନ ହୋଇଛି। ଛାତ୍ରଛାତ୍ରୀମାନେ ଡାକ୍ତର, ଇଞ୍ଜିନିୟର ହେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ଶିକ୍ଷକ ହେବା ପାଇଁ କେହି ଇଚ୍ଛୁକ ହେଉ ନାହାନ୍ତି। ତେଣୁ ଆଜି ଯେଉଁ ଶିକ୍ଷକମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ରାଜ୍ୟ ଓ ଦେଶ ଗଠନ ଦିଗରେ ସହାୟକ ହୁଅନ୍ତୁ ‌ବୋଲି ସେ କହିଥିଲେ।

ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍ କହିଥିଲେ, ପ୍ରତ୍ୟେକ ପିଲା ପାଠ ପଢ଼ିପାରିବ। ତେଣୁ ଶ୍ରେଣୀ ଗୃହ‌ରେ ଭୟ ନୁହେଁ, ଆନନ୍ଦ ଆଣିବା ଶିକ୍ଷକଙ୍କ ଲକ୍ଷ୍ୟ ହେବା ଉଚିତ। ଯାହାଫଳରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପ୍ରତି ଆଗ୍ରହ ପ୍ରକାଶ କରିବେ। ଏହି ବ୍ୟାଚ୍‌ରେ ନିଯୁକ୍ତ ହୋଇଥିବା ଶିକ୍ଷକମାନେ ନିଜର ସର୍ଭିସ୍ ବୁକ୍‌ ୱେବସାଇଟ୍‌ରେ ପାଇପାରିବେ। ଏହି ବର୍ଷଠାରୁ ଇ-ସର୍ଭିସ୍ ବୁକ୍ ପ୍ରଚଳନ କରାଯିବ। ଆଗକୁ ପ୍ରତି ପଞ୍ଚାୟତର ଗୋଟିଏ ହାଇସ୍କୁଲକୁ ଶ୍ରେଷ୍ଠ ହାଇସ୍କୁଲରେ ପରିଣତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଶ୍ରୀମତୀ ଅରୁମୁଗମ୍ କହିଥ‌ିଲେ।

ଅନ୍ୟମାନଙ୍କ ମଧ୍ୟରେ ଓସେପାର ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂହ ପୁନିଆ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି, ଏନ୍‌ଆଇଆରଟି ନିର୍ଦେଶକ ଗଙ୍ଗାଧର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦେଶକ ଲିଙ୍ଗରାଜ ପଣ୍ଡା, ପାଠ୍ୟପୁସ୍ତକ ମୁଦ୍ରଣ ଓ ବିତରଣ ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଓ ବିଭାଗୀୟ କର୍ମକର୍ତା ଉପସ୍ଥିତ ଥିଲେ।

ନିଯୁକ୍ତିପତ୍ର ପାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ଟିଜିଟି କଳାରେ ୧୨୭୩ଜଣ, ଟିଜିଟି ପିସିଏମ୍‌ରେ ୧୬୧, ଟିଜିଟି ସିବିଜେଡ୍‌ରେ ୩୧୭ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ଥିବା ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ପଦବିଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପୂରଣ ପାଇଁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ଚଳିତମାସ ୧୮ତାରିଖ ସୁଦ୍ଧା ସମସ୍ତ ନବନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦେଶ ଦିଆଯାଇଛି। ନୂତନ ଶିକ୍ଷକଙ୍କ ନିଯୁକ୍ତି ଶିକ୍ଷକ ଅଭାବଜନିତ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର