୧୨୦ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର : ଅଧ୍ୟାପକଙ୍କ ଦ୍ବାରା ସମାଜର ସାମଗ୍ରିକ ଉନ୍ନତି ସମ୍ଭବ

ଭୁବନେଶ୍ବର : ଉଚ୍ଚଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆଣିବା ଦିଗରେ ନିଆଯାଇଥିବା ସଂସ୍କାରର ସୁଫଳ ମିଳୁଛି। ଶିକ୍ଷା କ୍ଷେତ୍ରରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି ଦିଗରେ ଅଧ୍ୟାପକ ଅଧ୍ୟାପିକା ନିଷ୍ଠାର ସହ ଚେଷ୍ଟା କଲେ ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି କରିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଓଡ଼ିଆ ବିଭାଗର ଅଧ୍ୟାପକଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାହୁ କହିଲେ ନାମଲେଖା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯାଇଛି। ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ସୁଦୀର୍ଘ ପରମ୍ପରା ରହିଛି। ଓଡ଼ିଆ ଭାଷା, ସାହିତ୍ୟ ଆମ ନିଜସ୍ୱ। ବହୁ ପ୍ରାଚୀନ। ଅତ୍ୟନ୍ତ ଉଚ୍ଚମାନର। ରାଜ୍ୟ ସରକାର ମଧ୍ୟ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ମହିମାକୁ ଆହୁରି ଗୌରବାନ୍ୱିତ ଓ ରୁଦ୍ଧିମନ୍ତ କରିବାର ଗୁରୁଦାୟିତ୍ୱ ଓଡ଼ିଆ ବିଭାଗର ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନ୍ୟସ୍ତ ହୋଇଛି। ସେମାନେ ଏହାକୁ ସଫଳତାର ସହ ନିର୍ବାହ କରିବେ। ନିଷ୍ଠା, ଚେଷ୍ଟା, ଯୋଗ୍ୟତା ଓ ପରିଶ୍ରମ ବଳରେ ସେମାନେ ସମାଜର ଆଙ୍ଗିକ ଓ ସାମଗ୍ରିକ ଉନ୍ନତି ପାଇଁ କାମ କରିବାକୁ ସେ ଆହ୍ବାନ ଦେଇଥିଲେ।

ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ କହିଲେ ଅଧ୍ୟାପକମାନେ ସର୍ବଦା ଜ୍ଞାନ ଆହରଣରେ ବ୍ରତୀ ହୋଇ ନିଜ ଚିନ୍ତା ଓ ଚେତନାର ବିକାଶ କରିବା ଦରକାର। ଭଲ ଶିକ୍ଷାଦାନ ସହ ପ୍ରଶାସନିକ ଓ ନେତୃତ୍ୱ ନେବା କ୍ଷେତ୍ରରେ ଦକ୍ଷତା ହାସଲ କରିବା ଉଚିତ। ଜୀବନରେ ଓ କର୍ମକ୍ଷେତ୍ରରେ ସବୁ ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଲେ ସମସ୍ୟାର ସମାଧାନ ସହଜ ହୋଇଥାଏ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ୧୨୦ ଜଣ ଓଡ଼ିଆ ବିଭାଗର ଅଧ୍ୟାପକ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଚୟନ ହୋଇଥିବା ପ୍ରାର୍ଥୀମାନେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିଯୁକ୍ତିପତ୍ର ଅନୁସାରେ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପାଇବେ।

ସମ୍ବନ୍ଧିତ ଖବର