ଭୁବନେଶ୍ୱର : ରାଜ୍ୟ ସରକାର ୯୦୪୬୫ ପଦବିରେ ନିଯୁକ୍ତି ପାଇଁ ମଞ୍ଜୁରି ଦେଇଛନ୍ତିି। ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ୪୬୫୦୦ ପଦବିରେ ନିଯୁକ୍ତି ହୋଇଛି। ସରକାରୀ ସ୍ତରରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରି ଖାଲି ପଦବି ପୂରଣ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତିି। ନିଯୁକ୍ତି ଏବଂ ପ୍ରଶିକ୍ଷଣ ବ୍ୟବସ୍ଥାର ଉପଯୁକ୍ତ ଯାଞ୍ଚ ପାଇଁ ଏକ ନିଯୁକ୍ତି ଓ୍ଵବ୍‌ ପୋର୍ଟାଲ୍‌ ଖୋଲାଯାଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତିି ମୁଖ୍ୟମନ୍ତ୍ରୀ।

Advertisment

ଆଜି ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସରକାରୀ ସ୍ତରରେ ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କରିବା ଅବସରରେ ଉପରୋକ୍ତ ନିର୍ଦେଶ ଦେଇଥିଲେ। ବିଭିନ୍ନ ନିଯୁକ୍ତି କମିସନମାନଙ୍କ ପକ୍ଷରୁ ଯେଉଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି, ସେସବୁକୁ କାର୍ଯ୍ୟକାରୀ କରିବା ସହିତ ଅନୁରୂପ ପଦବି ପାଇଁ ମିଳିତ ପରୀକ୍ଷା (କମ୍ବାଇନ୍‌ଡ ରିକ୍ରୁଟ୍‌ମେଣ୍ଟ) କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ନିଯୁକ୍ତି ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପୋଷ୍ଟିଂରେ ସ୍ୱଚ୍ଛ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହି ପରିପ୍ରେକ୍ଷୀରେ ସମସ୍ତ ବିଭାଗ ଆଡ୍‌ଭୋକେଟ୍‌ ଜେନେରାଲ୍‌ଙ୍କ ସହିତ ନିୟମିତ ସମନ୍ଵୟ ରକ୍ଷା କରି ନ୍ୟାୟିକ ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଇତିମଧ୍ୟରେ ମଞ୍ଜୁରୀପ୍ରାପ୍ତ ୯୦୪୬୫ ପଦବି ମଧ୍ୟରୁ ୪୬୫୦୦ ପଦବି ପୂରଣ ହୋଇଛି। ଆହୁରି ୨୬୫୩୦ ପଦବି ପାଇଁ ସରକାରଙ୍କ ତରଫରୁ ଆବଶ୍ୟକ ଅନୁରୋଧ ପଠାଯାଇଛି। ଆହୁରି ୫୨୪୪ ପଦବି ପାଇଁ ଅନୁରୋଧ ପଠାଯିବା ବାକି ରହିଛି। ସେହିପରି ବ୍ଲକ ସ୍ତରରେ ଖାଲିଥିବା ୧୦୯୬୪ ପଦବି ମଧ୍ୟରୁ ୬୪୦୯ ପଦବି ପୂରଣ ହୋଇଥିବା ସମୀକ୍ଷା ବୈଠକରେ ଜଣାପଡ଼ିଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ଆଡ୍‌ଭୋକେଟ୍‌ ଜେନେରାଲ୍‌ ସୂର୍ଯ୍ୟପ୍ରସାଦ ମିଶ୍ର, ବିଭିନ୍ନ କମିସନର ପ୍ରତିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ।