ଭୁବନେଶ୍ବର: ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମାଣ ଆଧାରିତ ଶିକ୍ଷା ମାଧ୍ୟମରେ ଜନଜାତି ଭବିଷ୍ୟତକୁ ସଶକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ କିସ୍ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇକୋସକ୍) ଉଚ୍ଚସ୍ତରୀୟ ସେଗମେଣ୍ଟ ଦ୍ୱାରା ରେକର୍ଡରେ ସ୍ଥାନିତ ହୋଇଛି। ଚଳିତମାସ ଇକୋସକ୍ର ସାଧାରଣ ଅଧିବେଶନରେ ଜନଜାତି ବିଷୟରେ ଆଲୋଚନା କାଳରେ କିସ୍ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରାଯାଇଥିଲା।
ବିଶ୍ୱର ସବର୍ବୃହତ ଜନଜାତି ଅନୁଷ୍ଠାନ ଭାବରେ ସ୍ୱୀକୃତି ପାଇଥିବା କିସ୍ର ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ଦିଗରେ ଉଲ୍ଲେଖନୀୟ ଯୋଗଦାନ ସହ କିସ୍ ଏକ ସୃଜନଶୀଳ ଶୈକ୍ଷିକ ମଡେଲର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିପାରିଛି। କିସ୍ ଜନଜାତି ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷା ସହ ଡିଜିଟାଲ୍ ସଶକ୍ତୀକରଣ ଏବଂ ଜଳବାୟୁ ସ୍ଥିରତା ଉପରେ ଶିକ୍ଷା ପ୍ରଦାନ କରୁଛି। ଜନଜାତି ପିଲାମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଉଛି। ୟୁନେସ୍କୋ ପୁରସ୍କୃତ ମାତୃଭାଷା ପର୍ଯ୍ୟବସିତ ବହୁ ଭାଷୀ ଶିକ୍ଷା ମାଧ୍ୟମରେ ପ୍ରାଥମିକସ୍ତରରେ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି କରିପାରୁଛି ବୋଲି ଜାତିସଂଘର ରେକର୍ଡରେ ଉଲ୍ଲେଖ କରାଯାଇଛି। ଏଥିରେ ଖୁସିବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିସ୍ ବିଷୟରେ ଜାତିସଂଘରେ ସର୍ବଦା ଆଲୋଚନା ହେବା ସହ ଏହାର ରେକର୍ଡ ରହୁଛି।