ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍: ୬ ଦିନ ଆଗରୁ ବଜେଟ୍‌ ଅଧିବେଶନ ଶେଷ

ମହାନଦୀ ଆଲୋଚନା ହେଲାନି, ଧନ୍ୟବାଦ ପର୍ବରେ ସାମିଲ ହେଲାନି ବିଜେପି

ଭୁବନେଶ୍ବର: ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରି ବିଲ୍‌ ଆଜି ପାରିତ ହୋଇଛି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ମାସ ୨୪ ତାରିଖରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ଆଜି ବିରୋଧୀ ଦଳ ସଦସ୍ୟମାନେ ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନାରେ ଭାଗ ନେଇ ନଥିଲେ। ଶାସକ ଦଳ ପକ୍ଷରୁ ଅରୁଣ ସାହୁ, ଶଶିଭୂଷଣ ବେହେରା ଓ ସ୍ବାଧୀନ ସଦସ୍ୟ ମକରନ୍ଦ ମୁଦୁଲି ଆଲୋଚନାରେ ଭାଗ ନେଇଥିଲେ। ଅର୍ଥମନ୍ତ୍ରୀ ସରକାରଙ୍କ ବିଭିନ୍ନ ସଫଳତା ଓ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ କହିଥିଲେ। ତା’ପରେ ବିଲ୍‌ଟି ପାରିତ ହୋଇଥିଲା। ଏହାସହ ଆଜି ବିଧାନସଭାର ବଜେଟ୍‌ ଅଧିବେଶନ ଶେଷ ହୋଇଛି।

ଏପ୍ରିଲ୍‌ ୬ ତାରିଖ ଯାଏ ଅଧିବେଶନ ଚାଲିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲା। ୬ ଦିନ ଆଗରୁ ଓ ୪ଟି କାର୍ଯ୍ୟଦିବସ ବାକି ଥାଇ ଅଧିବେଶନ ଶେଷ କରାଗଲା। ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏଥିପାଇଁ ପ୍ରସ୍ତାବ ଆଣିଥିଲେ। ସେ ଯୁକ୍ତି କରିଥିଲେ ଯେ ଏହି ଅଧିବେଶନ ଲମ୍ବା ସମୟ ଧରି ଚାଲିଲାଣି। ବିଧାୟକମାନଙ୍କର ନିଜ ନିଜ ଅଞ୍ଚଳରେ ବହୁତ କାମ ରହିଛି। ତେଣୁ ଅଧିବେଶନକୁ ଆଜି ସମାପ୍ତି କରାଯାଉ। ଶାସକ ଦଳ ସଭ୍ୟ ଅମର ଶତପଥୀ, ପଦ୍ମନାଭ ବେହେରା, ଶଶିଭୂଷଣ ବେହେରା, ଭୂପିନ୍ଦର ସିଂହ, ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ ଏହାକୁ ସମର୍ଥନ କରିଥିଲେ।

ପ୍ରସ୍ତାବଟି ପାରିତ ହେଲାପରେ ଧନ୍ୟବାଦ ପର୍ବ ଆରମ୍ଭ ହୋଇଥିଲା। ଏହିସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସିଥିଲେ। ତେବେ ବିରୋଧୀ ସଦସ୍ୟମାନଙ୍କୁ ଗୃହକୁ ଡାକିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଓ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ବାଚସ୍ପତି ପଠାଇଥିଲେ। ସେମାନେ ବାହାରକୁ ଯାଇ ଉଭୟ ଦଳର ସଦସ୍ୟମାନଙ୍କୁ ବୁଝାଇଥିଲେ। ବିଜେପି ସଦସ୍ୟମାନେ ଆସି ନଥିଲା ବେଳେ କଂଗ୍ରେସ ସଦସ୍ୟମାନେ ଗୃହକୁ ଫେରିଥିଲେ। ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତେ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଧନ୍ୟବାଦ ‌ଦେଇଥିଲେ। ବାଚସ୍ପତି ଧନ୍ୟବାଦ ଦେଲା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା।

ଫେବ୍ରୁଆରି ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ମୋଟ୍‌ ୨୩ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନର ବିଭିନ୍ନ ଦିବସରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ, ରାଜ୍ୟରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ୫-ଟି ବ୍ୟବସ୍ଥା, ନକଲି ସାର୍ଟିଫିକେଟ୍‌ ରାକେଟ୍‌, କେନ୍ଦ୍ର ସରକାର ଚାଉଳ କୋଟା ହ୍ରାଗସ କରିବା ଓ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉପରେ ଗୃହ ସରଗରମ ରହିଥିଲା। ବ୍ୟୟମଞ୍ଜୁରି ବିଲ୍‌ ପରେ ମହାନଦୀ ପ୍ରସଙ୍ଗରେ ଉପରେ ସ୍ବତନ୍ତ୍ର ଆଲୋଚନା ହେବ ବୋଲି ବାଚସ୍ପତି ପୂର୍ବରୁ କହିଥିଲେ। କିନ୍ତୁ ତାହା ହେଲା ନାହିଁ। ଆଜି କେବଳ ଜଳସମ୍ପଦ ମନ୍ତ୍ରୀ ଗୃହରେ ମହାନଦୀ ପ୍ରସଙ୍ଗରେ ବିବୃତି ରଖିଥିଲେ।

ସମ୍ବନ୍ଧିତ ଖବର