ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ବ୍ୟୟମଞ୍ଜୁରି ବିଲ୍ ଶନିବାର ଦିନ ବିଧାନସଭାରେ ପାରିତ ହୋଇଛି। ଜୁଲାଇ ୨ ତାରିଖରେ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିଲା। ତାହା ମଧ୍ୟରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୮୯,୫୯୦ କୋଟି, କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୧ ଲକ୍ଷ କୋଟି ଟଙ୍କା, ବିପର୍ଯ୍ୟୟ ମୁକାବିଲା ପାଣ୍ଠି ନିମନ୍ତେ ୩,୨୧୦ କୋଟି ଏବଂ ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ହସ୍ତାନ୍ତର ପାଇଁ ୭,୨୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ବିଧାନସଭାରେ ଶନିବାର ଦିନ ଏ ସଂକ୍ରାନ୍ତରେ ହୋଇଥିବା ଆଲୋଚନାର ଉତ୍ତର ରଖି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟର ଆର୍ଥିକ ସ୍ଥିତି ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ମନ୍ତ୍ରୀ କହିଥିଲେ ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି, ଯାହା କି ଗତ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ। ପୁଞ୍ଜି ବ୍ୟୟ ବାବଦକୁ ୩୮ ହଜାର ୭୩୨ କୋଟି ଟଙ୍କା ଅଟକଳ କରାଯାଇଛି, ଯାହା କି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୪ ପ୍ରତିଶତ ଅଟେ। ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷ ଠାରୁ ୫୬ ପ୍ରତିଶତ ଅଧିକ। ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି। ଜନସ୍ବାସ୍ଥ୍ୟ ସେବା ପାଇଁ ୧୨ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ୨୫% ଅଧିକ। ୨୦୧୩-୧୪ରେ ପ୍ରଥମ ଥର ପାଇଁ ୭,୧୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ବତନ୍ତ୍ର କୃଷି ବଜେଟ୍ ଆଗତ କରିଥିଲୁ। ୨୦୨୨-୨୩ କୃଷି ବଜେଟ୍ରେ ଏହି ପରିମାଣ ୨୧,୧୬୬ କୋଟି ଟଙ୍କା ହୋଇଛି।
ଅର୍ଥ ମନ୍ତ୍ରୀ ଆହୁରି କହିଥିଲେ, ଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାର ମୂଳପିଣ୍ଡ। ସେମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କ କାର୍ଯ୍ୟକୁ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରିବା ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ଗତ ଆର୍ଥିକ ବର୍ଷରେ ୬୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ମୋଟ୍ ୧୧,୪୦୩ ନୂଆ ଶିକ୍ଷକ ପଦବି ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ମହିଳା ଓ ଶିଶୁ କୈନ୍ଦ୍ରିକ ନୀତି ଏବଂ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ୩,୫୬୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଅବଢ଼ା ଯୋଜନାରେ ୧,୩୨୫ କୋଟି, ଏକାମ୍ର ଯୋଜନାରେ ୨୦୦ କୋଟି ଓ ସମଲେଇ ଯୋଜନା ଅଧୀନରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ ଅପ୍୍କୁ ପ୍ରୋତ୍ସାହିତ କରିବା ପାଇଁ ୧୨୬୯ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ସରକାରଙ୍କ ଖାଲି ଥିବା ବିଭିନ୍ନ ପଦପଦବି ପୂରଣ ପାଇଁ ନିଯୁକ୍ତି ପରୀକ୍ଷା କରାଯାଉଛି। ଡାକ୍ତରୀ ପଦବି ପୂରଣ ପାଇଁ ଲୋକସେବା ଆୟୋଗ ମାଧ୍ୟମରେ ବିଗତ ୫ ବର୍ଷରେ ନିୟମିତ ଭାବେ ଚୟନ ପ୍ରକ୍ରିୟା ଚାଲୁ ରହିଛି।
ଋଣ ଭାର ବଢ଼ିବା ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ରାଜ୍ୟ ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ରାଜ୍ୟର ଋଣ ଧାରଣ କ୍ଷମତା ଓ ମୁଣ୍ଡ ପିଛା ଋଣରେ ବୃଦ୍ଧି ପାଇବା ସ୍ବାଭାବିକ। ମୁଣ୍ଡପିଛା ଆୟର ଅଭିବୃଦ୍ଧି ଯଦି ମୁଣ୍ଡ ପିଛା ଋଣର ଅଭିବୃଦ୍ଧି ଠାରୁ ଅଧିକ ହୁଏ, ତେବେ ଋଣର ପୋଷଣୀୟତା ରହିଥାଏ। ଆମ ଋଣ ପୋଷଣୀୟ ସ୍ତରରେ ରହିଛି। ମୁଣ୍ଡ ପିଛା ଋଣରେ ଓଡ଼ିଶା ସମସ୍ତ ରାଜ୍ୟ ମଧ୍ୟରେ ଦ୍ବିତୀୟ ନିମ୍ନତମ ଅଟେ। ଉତ୍ତମ ଆର୍ଥିକ ଓ ଠିକ୍ ବିତ୍ତୀୟ ପରିଚାଳନା ଆମ ସରକାରର ପରିଚୟ। ୨୦୨୨-୨୩ ଆର୍ଥିକ ବର୍ଷର ମୋଟ୍ ରାଜସ୍ବ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯୬୭ କୋଟି ଏବଂ ରାଜସ୍ବ ବ୍ୟୟ ୧ ଲକ୍ଷ ୪୫ ହଜାର ୭୨୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ରାଜସ୍ବ ବଳକା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍ଡିପି)ର ୨.୫% ହେବ ଓ ବିତ୍ତୀୟ ନିଅଣ୍ଟ ୩%ରେ ସୀମିତ ରହିବ। ବର୍ଷ ଶେଷରେ ଋଣ ଭାର ଜିଏସ୍ଡିପିର ୧୫.୬ ପ୍ରତିଶତ ହେବାର ଆକଳନ କରାଯାଇଛି।