ବରଗଡ଼: ଦୀର୍ଘ ଗୋଟିଏ ଦଶନ୍ଧିର ତର୍କ ବିତର୍କ ପରେ ଶେଷରେ ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପ ପାଇଁ ବାଟ ଫିଟିଛି। ଏହାକୁ ଏକ ସ୍ବତନ୍ତ୍ର ପ୍ରକଳ୍ପର ମାନ୍ୟତା ଦେବା ସହ ରେଳ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପ ପାଇଁ ପଥ ପରିଷ୍କାର ହେବା ପଶ୍ଚିମ ଓଡ଼ିଶା ରେଳସେବା କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଗତ ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଥିଲେ। ସେଠାକୁ ପ୍ରଚାରକୁ ଓହ୍ଲାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ‘ଆଜି ଓଡ଼ିଶା ସରକାର ଜମି ଦେଲେ, କାଲିଠୁ ରେଳ ଲାଇନ୍ କାମ ଆରମ୍ଭ ହେବ’ ବୋଲି କହିଥିଲେ। ପ୍ରତି ନିର୍ବାଚନୀ ସଭାରେ ସେ ଏହା ଦୋହରାଇ ଥିଲେ। ଯାହାକୁ ନେଇ ବିଜେଡି ବି ନିଜ ଜବାବ ରଖିଥିଲା।
ଦଳ କହିଥିଲା, ୨୦୧୯ରେ ରେଳ ମନ୍ତ୍ରଣାଳୟ ସର୍ଭେ ପରେ ଏହି ଲାଇନ ଲାଭଦାୟକ ନୁହେଁ ଏବଂ ଏହି ପ୍ରକଳ୍ପକୁ ସଂରକ୍ଷିତ କରାଗଲା ବୋଲି କେନ୍ଦ୍ର ସରକାର ସୂଚନା ଦେଇଥିଲେ। କିନ୍ତୁ ଜମି ପାଇଁ ଏହା ପରଠୁ କେନ୍ଦ୍ର ସରକାର ଆଜି ଯାଏଁ ରାଜ୍ୟ ସରକାର ସହ ଯୋଗାଯୋଗ କରିନାହାନ୍ତି। ଏଣେ ଓଡ଼ିଶା ସରକାର ସ୍ବେଚ୍ଛାକୃତ ଭାବେ ୩୦୦ କୋଟି ଟଙ୍କା ସହିତ ଏହି ରେଳ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ବୋଲି କହି ବିଜେଡି ସ୍ପଷ୍ଟୀକରଣ ଦେଇଥିଲା। କିନ୍ତୁ ଗତ ରେଳ ବଜେଟ୍ ବେଳେ ଏହି ପ୍ରକଳ୍ପର ନାମଗନ୍ଧ ରହିନଥିଲା। ଫଳରେ ଏହି ପ୍ରସ୍ତାବିତ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର ଘେରକୁ ଚାଲି ଯାଇଥିଲା। କାରଣ ବଜେଟ୍ରେ ଏହି ପ୍ରସ୍ତାବିତ ରେଳଲାଇନ୍ ପାଇଁ ଅର୍ଥ ବରାଦ ହୋଇନଥିଲା। ୨୦୧୮ ବିଜେପୁର ଉପନିର୍ବାଚନରୁ ଏହି ପ୍ରକଳ୍ପ ନେଇ ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ ଟକ୍କର୍ ଆରମ୍ଭ ହୋଇଥିଲା। ଯାହା ସଦ୍ୟ ଶେଷ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ଆହୁରି ଉଗ୍ର ହୋଇଥିଲା।
ଗତବର୍ଷ ଏହି ୧୪୨ କିଲୋମିଟର୍ ପ୍ରସ୍ତାବିତ ରେଳ ଲାଇନ୍ ପାଇଁ କେନ୍ଦ୍ର ରେଲୱେ ବୋର୍ଡ ନୀତିଗତ ମଂଜୁରୀ ପ୍ରଦାନ କରିଥିଲା। ତେଣୁ ଏଥର ପ୍ରକଳ୍ପ ପାଇଁ ପୁନର୍ବାର ଚୂଡ଼ାନ୍ତ ସର୍ଭେ ଏବଂ ଅର୍ଥ ମଂଜୁର ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ୨୦୧୮ଏପ୍ରିଲ ମାସରେ ପୂର୍ବତଟ ରେଳବାଇ ଉପମୁଖ୍ୟ ପ୍ରବନ୍ଧକ (ପରିଚାଳନା) ଉଭୟ ବରଗଡ଼ ଏବଂ ନୂଅାପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରସ୍ତାବିତ ରେଳ ଲାଇନ୍ର ଟ୍ରାଫିକ୍ ସଂପର୍କିତ ତଥ୍ୟ ଦାଖଲ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେତିକିରେ ହିଁ ଏହି ପ୍ରକଳ୍ପ ଠପ୍ ହୋଇପଡ଼ିଥିଲା। ସଦ୍ୟ ଭାବେ ୨୦୧୮-୨୦୧୯ ମସିହାରେ ମଧ୍ୟ ସର୍ଭେ ସଂପାଦିତ ହୋଇଥିଲା। ହେଲେ ଏହି ୧୪୨ କିମି ବିଶିଷ୍ଟ ପ୍ରସ୍ତାବିତ ରେଳପ୍ରକଳ୍ପ ଆଗକୁ ବଢ଼ି ପାରିନଥିଲା। କିନ୍ତୁ ଏହି ପ୍ରକଳ୍ପକୁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପରିଷଦ (ଓଆର୍ଆଇଡିଏଲ୍) ଚିହ୍ନଟ କରିଥିଲା। ଓଡ଼ିଶା ସରକାରଙ୍କ ୫୧ ପ୍ରତିଶତ ଓ ରେଳ ମନ୍ତ୍ରଣାଳୟର ୪୯ ପ୍ରତିଶତ ଅଂଶୀଦାରିରେ ଏହି ପ୍ରକଳ୍ପ ଆଗକୁ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ ଓଡ଼ିଶା ସରକାର ଜମି ଅଧିଗ୍ରହଣ ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏବେ ବିଧିବଦ୍ଧ ଅନୁମୋଦିତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରକଳ୍ପ ଶୀଘ୍ର ଆଗେଇବା ସମ୍ଭାବନା ବଢ଼ି ଯାଇଛି।