‘ମୋ ସ୍କୁଲ’ରେ ୨୨ କୋଟିର ପ୍ରକଳ୍ପକୁ ମଞ୍ଜୁରି: ସେପ୍ଟେମ୍ବର ୧୫ରୁ ଲର୍ଣ୍ଣିଂ କ୍ୟାମ୍ପ୍‌

ମାସକରେ ଯୋଡ଼ି ହେଲେ ୩୦ ହଜାର ପୁରାତନ ଛାତ୍ରଛାତ୍ରୀ, ୧୯୪୨ ସ୍କୁଲ୍‌ରେ ନୂଆ ପ୍ରକଳ୍ପ, ବାଲେଶ୍ବର ପୁଣି ଆଗରେ

ଭୁବନେଶ୍ବର: ‘ମୋ ସ୍କୁଲ୍ ଅଭିଯାନ’ର ୨୭ତମ କାର୍ଯ୍ୟନିର୍ବ‌ାହୀ ପରିଷଦ ବୈଠକରେ ୨୯ଟି ଜିଲ୍ଲାର ୨୧କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ୩୦ ହଜାର ୭୬୮ଜଣ ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ଯୋଡ଼ି ହୋଇ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୭କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ବର ଜିଲ୍ଲା ପୁଣିଥରେ ଆଗରେ ରହିଛି। ଜିଲ୍ଲାର ପୁରାତନ ଛାତ୍ରଛାତ୍ରୀ ୩ କୋଟି ୨ ହଜାର ଟଙ୍କା ଦେଇଥିବା ବେଳେ ଖୋର୍ଦ୍ଧାରେ ୩୮ଲକ୍ଷ ୪୪ ହଜାର, କଟକରେ ୩୫ ଲକ୍ଷ ୬୭ ହଜାର, ସମ୍ବଲପୁରରେ ୩୪ଲକ୍ଷ ୮୪ ହଜାର, ଭଦ୍ରକରେ ୩୧ ଲକ୍ଷ ୪୩ ହଜା‌ର ଓ ବୌଦ୍ଧରେ ୨୯ ଲକ୍ଷ ୮୮ ହଜାର ଟଙ୍କା ମିଳିଛି।

‘ମୋ ସ୍କୁଲ୍’ ଅଭିଯାନରେ ସ‌ାମିଲ ହୋଇଥିବା ପୁରାତନ ଛା‌ତ୍ରଛାତ୍ରୀଙ୍କ ସଂଖ୍ୟା ୬ଲକ୍ଷ ନିକଟତର ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ୩୫ ହଜାରରୁ ଅଧିକ ସ୍କୁଲ୍ ଏଥିରେ ସାମିଲ ହୋଇଛନ୍ତି। ଅଭିଯାନ ଅଧୀନରେ ଚାଲିଥିବା ପୋଷ୍ୟ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟା‌କୁ ତ୍ୱରାନ୍ୱିତ କରିବାକୁ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରିବାକୁ ସ୍ଥିର ହୋଇଛି। ସେହିପରି ‘ପ୍ରଥମ’ ଓ ‘ଭାରତ ଜ୍ଞାନ ବିଜ୍ଞାନ ସମିତି’ ସହଯୋଗରେ ଆସନ୍ତା ୧୫ ତାରିଖରୁ ରାଜ୍ୟର ୫ହଜାର ଗ୍ରାମ ଓ ସହରାଞ୍ଚଳର ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ଲର୍ଣ୍ଣିଂ କ୍ୟାମ୍ପ୍ କରିବାକୁ ନିଷ୍ପତ୍ତି ହୋଇଛି।

ଇତିମଧ୍ୟରେ ‘ମୋ ସ୍କୁଲ୍‌’ ପ୍ରକଳ୍ପ ଅନ୍ତର୍ଗତ ତିଆରି ହୋଇଥିବା ବିଭିନ୍ନ ଆସବାବପତ୍ର, ଉଦ୍ୟାନ ଓ ସ୍କୁଲ୍ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ମିସନ୍‌ ଶକ୍ତି-ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଦେବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ ଲାଗି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦକ୍ଷ କରିବାକୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା ହେବ। ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଶିକ୍ଷକମାନେ ଇ-କଣ୍ଟେଣ୍ଟ୍ ବ୍ୟବହ‌ାର କରି ଅତ୍ୟାଧୁନିକ ଇଣ୍ଟରାକ୍ଟିଭ୍ ବୋର୍ଡରେ ଶିକ୍ଷାଦାନ କରିବେ। ଏହାବ୍ୟତୀତ ଶିକ୍ଷକମାନଙ୍କୁ ଏକବିଂଶ ଶତାବ୍ଦୀ ଟେକ୍ନୋଲୋଜି ଓ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ଦେବା ପାଇଁ ‘କ୍ୱେଷ୍ଟ୍ ଆଲିଆନ୍ସ’ ସହ ଏମ୍‌ଓୟୁ କରିବା‌କୁ ଯୋଜନା ରହିଛି। ଏହା ମାଧ୍ୟମରେ ଆସନ୍ତା‌ ୩ ବର୍ଷ ମଧ୍ୟରେ ୪ ହଜ‌ାର ହାଇସ୍କୁଲ୍‌ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯିବ। ଟାଟା ଟ୍ରଷ୍ଟ, ପୁରାତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସହଭାଗିତାରେ କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି।

‘ମୋ ସ୍କୁଲ୍’ ଅଭିଯାନରେ ସାମିଲ ବିଦ୍ୟାଳୟଗୁଡ଼ିକରେ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ‘ମୋ ସ୍କୁଲ୍‌’ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ୍ ରାଜ୍ୟ, ଜିଲ୍ଲା ଓ ସ୍କୁଲ୍‌ସ୍ତରରେ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିବାକୁ କୁହାଯାଇଛି। ଏଥିସହ ଶେଷ ହୋଇଥିବା ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି। ଜିଲ୍ଲାସ୍ତରରେ ଏକ ଟିମ୍ ଗଠନ କରି ଏହାର ତଦାରଖ ପାଇଁ ନିଷ୍ପତ୍ତି ନିଆଯାଇଛି। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟିର ନିର୍ଦେଶକ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ଭାରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର