ଭୁବନେଶ୍ବର: ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆଁ ଯୋଗୁଁ  ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।  ତେଣୁ  ରାଜ୍ୟରେ ଏଣିକି ୧୫ ବର୍ଷ ପୂରୁଣ କରିଥିବା ପୁରୁଣାଗାଡ଼ିକୁ ସ୍କ୍ରାପିଂ କରାଯିବ।  ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି।

Advertisment

ଏହାଛଡ଼ା ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଖାଦ୍ୟ ପ୍ରକ୍ରିୟାକରଣ ସହ ଜଡିତ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକୁ ଆବଶ୍ୟକ ଭିତ୍ତିଭୂମି ସହାୟତା ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଏହି ନୀତିର ଲକ୍ଷ୍ୟ । ଓଡିଶା ରପ୍ତାନୀ ପଲିସି-୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହି ନୀତି ଅନୁଯାୟୀ ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଏବଂ ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି। ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆସିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ସଂକ୍ରାନ୍ତୀୟ ଦୁଇଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।

ତଦନୁଯାୟୀ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ୍‌ର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିନିମନ୍ତେ ୩୮୬ କୋଟି ୯୬ ଲକ୍ଷ ୪୦ ହଜାର ୫ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି । ସେହିପରି ଦ୍ବିତୀୟ ପ୍ରସ୍ତାବରେ ସୋନପୁର ଜିଲ୍ଲାର ତରଭା, ଉଲୁଣ୍ଡା, ସୋନପୁର ଓ ବୀରମହାରାଜପୁର ବ୍ଲକ୍‌ର ୬୪ଟି ଗ୍ରାମ ପଞ୍ଚାୟତର ୬୨୫ଟି ଗାଁରେ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ୫୫୩ କୋଟି ୮୫ ଲକ୍ଷ ୮୨ ହଜାର ୭୦୦ ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ଅନୁମୋଦନ କରିଛି ।

ଗତକାଲି ସଂଧ୍ୟାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବିଧାନସଭା ବସିଥିବାରୁ ତାହା ଘୋଷଣା କରାଯାଇ ନଥିଲା।ଆଜି ବିଧାନସଭାରେ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗୃହକୁ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଧାନସଭା ଚାଲିଥିବା ବେଳେ ରାଜ୍ୟ ସରକାର ସମସ୍ତ ଘୋଷଣା ଗୃହକୁ ପ୍ରଥମେ ଅବଗତ କରିବା ପରମ୍ପରା ରହିଛି।