ପୁରୀ: ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଜମି କିଣାବିକା ତଥା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଅଧ୍ୟାଦେଶ କ୍ରମେ ଶ୍ରୀମନ୍ଦିର ଭୂସମ୍ପତ୍ତି ପରିଚାଳନା ଅଧିନିୟମ-୨୦୨୪ର ଚିଠା ପ୍ରସ୍ତାବକୁ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଚିଠା ପ୍ରସ୍ତାବରେ ରାଜ୍ୟ ସରକାର ମୋହର ମାରିଲେ, ସେହି ଆଧାରରେ ଜମି କିଣାବିକା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିସକୁ ଅନୁମୋଦନ କରିଛି। ପୁରୁଣା ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ଏସ୍‌ଓପିକୁ ଅନୁମୋଦନ ମିଳିଛି। ପୁରୁଣା ସିନ୍ଦୁକ ଓ ଆଲମିରା ସବୁ କିଭଳି ଓ କେଉଁଠିକୁ ସ୍ଥାନାନ୍ତର ହେବ, ତାର ମଧ୍ୟ ବିଧିବଦ୍ଧ ନିଷ୍ପତ୍ତି ହୋଇଛି। ଏଥିସହ ରତ୍ନଭଣ୍ଡାରର ଲେଜର୍‌ ସ୍କାନିଂ ସହ ଅନ୍ୟ କେଉଁ କେଉଁ ବୈଜ୍ଞାନିକ ଜ୍ଞାନକୌଶଳ ଆପଣାଯିବ, ତା’ ଉପରେ ଆଲୋଚନା ହୋଇଛି। ଆଇଆଇଟି, ସିବିଆର୍‌ଆଇ ଅବା ଯେ କୌଣସି ବେସରକାରୀ ସଂସ୍ଥା ରତ୍ନଭଣ୍ଡାରର ବୈଷୟିକ ଅନୁଧ୍ୟାନ କରିବ, ତାହା ରାଜ୍ୟ ସରକାର ଅନୁମୋଦନ କରିବେ ବୋଲି ଡ.ପାଢ଼ୀ କହିଛନ୍ତି।

Advertisment

ସୁଡ଼ଙ୍ଗ, ରହସ୍ୟମୟ ଭଣ୍ଡାର ଯାଞ୍ଚକୁ ଅନୁମତି
ଅର୍ପଣ ଚାଉଳ ଉପରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ନିଷ୍ପତ୍ତି ନେବେ
ଓଏସ୍‌ଆର୍‌ଟିସି ନେଇପାରେ ୩୫ଟି ବିଓବି ଦାୟିତ୍ବ

ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି, ଓବିସିସି ଅବଢ଼ା ଯୋଜନାରେ ୩୫ଟି ମିନି ଇ-ବସ୍‌ କିଣି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛି। ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଓଏସ୍‌ଆର୍‌ଟିସି ଅବା କୌଣସି ଘରୋଇ ସଂସ୍ଥା ଜରିଆରେ ଏହି ବସ୍‌ ପରିଚାଳନା କରିବାକୁ ପ୍ରସ୍ତାବ ଦେଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କମିଟି ସହମତି ଦେଇଛି। ଅର୍ପଣ ଚାଉଳ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସେବା ସଂପୃକ୍ତ ନିଯୋଗ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ଏ ସଂପର୍କରେ ଅବଗତ କରି ଉପଯୁକ୍ତ ପ୍ରସ୍ତାବ ଦେବେ ବୋଲି ଆଜି କମିଟି ନିଷ୍ପତ୍ତି ନେଇଛି। ବୈଠକରେ ଶୃଙ୍ଖଳିତ ଦର୍ଶନ ଉପରେ ବି ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ସଂପୃକ୍ତ ନିଯୋଗ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବିଗୁଡ଼ିକ ସରକାରଙ୍କ ନିଯୁକ୍ତି ସଂସ୍ଥା ଜରିଆରେ ପୂରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଯଦ୍ବାରା ନିଯୁକ୍ତିରେ ସ୍ବଚ୍ଛତା ଆସିବ ବୋଲି ଡ.ପାଢ଼ୀ କହିଛନ୍ତି। ସେ କହିଛନ୍ତି, ଖଣିଖାଦାନ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ତହସିଲଦାର ଅବା ଜିଲ୍ଲାପାଳ ଏହାର ନିଲାମ ଡାକୁଥିଲେ। ନୂଆ ନିୟମ ଅନୁସାରେ ଖଣି ବିଭାଗ ଏହାର ନିଲାମ ଡାକିବ। ଖଣି ବିଭାଗ ଏହାର ପରିଚାଳନା ଓ ନିଲାମ ଡାକିବା ପ୍ରକ୍ରିୟା ନେବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଏଣୁ ଉପନିର୍ଦ୍ଦେଶକସ୍ତରର ଅଧିକାରୀ ମହାପ୍ରଭୁଙ୍କ ଖଣି ପରିଚାଳନା ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଛି। ଅନେକ ଖଣି ନିଲାମକାରୀ ଆମକୁ ପ୍ରାପ୍ୟ ପାଉଣ ଦେଇନାହାନ୍ତି ଅବା ଯେତିକି ଜାଗା ନେଇଛନ୍ତି, ତା’ଠାରୁ ଅଧିକ ଜାଗା ଖୋଳୁଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆନନ୍ଦବଜାର ଶୃଙ୍ଖଳା ଉପରେ ବି ଗୁରୁତ୍ବ ଦିଆଯାଇଛି। ଜିଲ୍ଲାପାଳ, ଏସ୍‌ପି, କମାଣ୍ଡର, ସଂପୃକ୍ତ ନିଯୋଗ ସହ ଆଲୋଚନା କରି ଦର ତାଲିକା ଲଗାଇବା ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ କମିଟି କହିଛି ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି।