୬ ଥାକିଆ ରିଙ୍ଗ୍‌ରୋଡ୍‌କୁ ଅନୁ‌ମୋଦନ

ଜମି ପାଇଁ ୬୦୦ କୋଟି, ୩୦ ମାସରେ ରାସ୍ତା ନିର୍ମାଣ ସରିବ, ୬ବର୍ଷ ତଳର ଯୋଜନା ଏବେ ହେବ

ଭୁବନେଶ୍ବର : ୬ ବର୍ଷ ତଳେ କଟକ-ଭୁବନେଶ୍ବରବାସୀଙ୍କୁ ରିଙ୍ଗରୋଡ୍‌ର ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଏବେ ଏହି ସ୍ବପ୍ନ ବାସ୍ତବ ରୂପ ନେବାକୁ ଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୬ ଥାକିଆ ରାସ୍ତା ନିର୍ମାଣ ଯୋଜନାକୁ ଅନୁ‌ମୋଦନ କରିବା ସହିତ ଜମି ଅଧିଗ୍ରହଣ ପାଇଁ ୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଜାତୀୟ ରାଜପଥ-୧୬ର ଭିଡ଼ କମାଇବା ପାଇଁ ଏହି ପ୍ରସ୍ତାବିତ ରିଙ୍ଗ‌େରାଡ୍‌ ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ନିକଟରୁ ବାହାରି କଟକ ଜିଲ୍ଲା ଟାଙ୍ଗିଠାରେ ମିଶିବ।

ଓଡ଼ିଶା ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ୧୧୧.୨କିମିର ଏହି ରିଙ୍ଗରୋଡ୍‌ ଖୋର୍ଦ୍ଧା ସହର, ଭୁବନେଶ୍ବର ସହର, ଆଠଗଡ଼ ସହର, କଟକ ସହର ଓ ଚୌଦ୍ବାର ସହର ପାଇଁ ବାଇପାସ୍ ରୋଡ୍‌ ହେବ।

ପୂର୍ବରୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏହି ରାସ୍ତାର ଡିଜାଇନ୍‌କୁ ଅନୁମୋଦନ କରିଥି‌ଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୩୦ ମାସ ଭିତରେ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଦୀର୍ଘ ୫ବର୍ଷ ହେଲା କ୍ୟାପିଟାଲ ରିଜିଅନ୍ ରିଙ୍ଗରୋଡ୍‌ ନିର୍ମାଣ ପାଇଁ କସରତ ଚାଲିଥିବା ବେଳେ କେତେବେଳେ ଏନ୍‌ଏଚ୍‌ଆଇ ନକ୍ସା ବଦଳାଉଥିଲା ତ କେତେ ବେଳେ ପୂର୍ତ୍ତ ବିଭାଗ ବଦଳାଉଥିଲା। ‌ବାରମ୍ବାର ନକ୍ସା ବଦଳିବା ପରେ ଗତ ଫେବ୍ରୁଆରି ୧୧ତାରିଖରେ ପୂର୍ତ୍ତ ବିଭାଗ ଓ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହାପରେ ରାସ୍ତାର ଡିଜାଇନ୍ ଚୂଡ଼ାନ୍ତ ହେବା ସହ କିଏ କେଉଁ ବାବଦକୁ କେତେ ଅର୍ଥ ଖର୍ଚ୍ଚ କରିବେ, କାହାର କ’ଣ ଦାୟିତ୍ବ ରହିବ ତାହା ନିଷ୍ପତ୍ତି ହୋଇଥିଲା।

ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ପାଇଁ ସମସ୍ତ ଜମି ରାଜ୍ୟ ସରକାର ଅଧ୍ରଗହଣ କରିବେ। ଏହା ବାବଦକୁ ପ୍ରାୟ ୬୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହି ୬ଥାକିଆ ରାସ୍ତା ଏନ୍‌ଏଚ୍‌-୧୬ର ରାମେଶ୍ବର ଛକ ନିକଟରୁ ବାହାରି ଖୋର୍ଦ୍ଧା ସହର ପରେ ଏନ୍‌ଏଚ୍‌-୫୭କୁ ଅତିକ୍ରମ କରିବ। ଏହାପରେ ବାଙ୍କି ନିକଟରେ ମହାନଦୀକୁ ଅତିକ୍ରମ କରିବ। ଏଠାରେ ମହାନଦୀ ଉପରେ ୬ଥାକିଆ ବ୍ରିଜ୍‌ ନିର୍ମାଣ ହେବ। ଏହାପରେ ରାସ୍ତା ଶଙ୍କରପୁର ହୋଇ ଢେଙ୍କାନାଳ ପୂର୍ବରୁ ଗୋବିନ୍ଦପୁରଠାରେ ଏନ୍‌ଏଚ୍‌-୫୫କୁ ଅତିକ୍ରମ କରିବ। ଏଠାରୁ ରାଜବାଟି, ବରପଦା ହୋଇ ଟାଙ୍ଗିସ୍ଥିତ ଟୋଲ୍‌ଗେଟ୍‌ ପୂର୍ବରୁ ପୁଣି ଏନ୍‌ଏଚ୍‌-୧୬ରେ ମିଶିବ। ରାଜ୍ୟ ସରକାର ଜମି ଅଧିଗ୍ରହଣ କରି ଦେବା ପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରିବେ। ଯଥାସମ୍ଭବ କମ୍‌ ଜଙ୍ଗଲ ଜମି, ଗାଁକୁ ପ୍ରଭାବିତ କରି ଏହି ରାସ୍ତା ନିର୍ମାଣ ହେବ।

ଏନ୍‌ଏଚ୍‌ଏଆଇର ଜଣେ ଅଧିକାରୀଙ୍କ କହିବାନୁଯା‌ୟୀ, ଭୁବନେଶ୍ବର-କଟକ ସହର ଦେଇ ଯାଇଥିବା ଜାତୀୟ ରାଜପଥ-୧୬ର ଭିଡ଼ କମାଇବା ପାଇଁ ୨୦୧୫ରେ ଏହି ରିଙ୍ଗ୍‌ରୋଡର ଯୋଜନା ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମିଶି ଏହି ରିଙ୍ଗ୍‌ରୋଡ୍‌ର ନକ୍ସା ପ୍ରସ୍ତୁତ କରିଥିଲେ। ପ୍ରଥମେ ପିତାପଲ୍ଲୀରୁ ଛକରୁ ମଙ୍ଗୁଳି ଛକ ପର୍ଯ୍ୟନ୍ତ ବାଇପାସ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିରେ ୪ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହୋଇଥାନ୍ତା ଏବଂ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସହର ପାଖ ପାଳତୋଟାପଡ଼ାରୁ ଚୌଦ୍ୱାର ନିକଟସ୍ଥ ବଉଳା ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ନିର୍ମାଣ ହୋଇଥାନ୍ତା । ଏହି ରାସ୍ତା କୁଣ୍ଡିଲୋ, ମୁକ୍ତାପୁର, ଅଂଶୁପା, ରାଧାମୋହନପୁର ଦେଇ ବଉଳା ନିକଟରେ ଏନ୍‌ଏଚ୍‌ ୫୫ରେ ମିଶିଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟରେ ବଉଳା ପାଖରୁ ରାସ୍ତା ବାହାରି ଏନଏଚ୍‌-୧୬ରେ ଟାଙ୍ଗି ନିକଟସ୍ଥ ବନ୍ଦାଲୋରେ ମିଶିଥାନ୍ତା। ଦ୍ୱିତୀୟ ପର୍ଯ୍ୟାୟ ରାସ୍ତାର ଲମ୍ବ ୨୧ କିମି ରହିଥାନ୍ତା। କିନ୍ତୁ ଏହା ଚୂଡ଼ାନ୍ତ ହୋଇପାରିଲାନି। ଏନ୍‌ଏଚ୍‌ଏଆଇ ଏହି ରାସ୍ତାର ନକ୍ସାକୁ ଅନୁମୋଦନ କଲାନି। ୪ଥାକିଆ ବଦଳରେ ୬ଥାକିଆ ରାସ୍ତା କରିବାକୁ ପ୍ରସ୍ତାବ ଦେଲା ଏବଂ ରାସ୍ତାର ଲମ୍ବ ବଢ଼ାଇଲା। ଏବେ ଏହା ୬୦ମିଟର ଓସାରର ୧୧୧.୨କିମିର ରିଙ୍ଗ୍‌ରୋଡ୍‌ ହେବ।

ସମ୍ବନ୍ଧିତ ଖବର