ସ୍ନାନଯାତ୍ରା, ରଥଯାତ୍ରା ନୀତିକାନ୍ତିରେ ମୋହର

ସ୍ନାନଯାତ୍ରାରେ ଭୋର୍‌ ୪ଟାରେ, ରଥଯାତ୍ରାରେ ସକାଳ ୯ଟାରେ ପହଣ୍ଡି
ସାଢ଼େ ୧୨ଟାରେ ଗଜ‌ ବେଶ, ଅପରାହ୍ନ ୪ଟାରେ ରଥଟଣା
ସଂଧ୍ୟା ୬ରୁ ସାହାଣମେଲା ଦର୍ଶନ

ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ମଙ୍ଗଳବାର ଦିନ ସ୍ନାନଯାତ୍ରା ଓ ରଥଯାତ୍ରା ଉପରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରାର ନୀତିକାନ୍ତିରେ ଚୂଡ଼ାନ୍ତ ମୋହର ବାଜିଛି। ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଜୁନ ୧୪ ତାରିଖ ସ୍ନାନଯାତ୍ରାରେ ଭୋର ୪ଟାରୁ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ। ସେହିଭଳି ଜୁଲାଇ ୧ ତାରିଖ ରଥଯାତ୍ରାରେ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ।

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତିରେ ଚୂଡ଼ାନ୍ତ ମୋହର ଲଗାଯାଇଥିଲା। ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ଶେଷପରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ପରେ ସାଢ଼େ ୧୨ଟାରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ ହେବେ। ପରେ ଅପରାହ୍ନ ୩ଟା ୧୫ରେ ମହନ୍ତ ଶାଢ଼ିବନ୍ଧା, ସାଢ଼େ ୩ଟାରୁ ୫ଟା ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ସଂଧ୍ୟା ୬ଟାରୁ ରାତି ସାଢ଼େ ୯ଟା ସାହାଣ ମେଲା ଦର୍ଶନ ହେବ। ରାତି ୧୦ଟା ପୂର୍ବରୁ ଗଜ ବେଶ ଓଲାଗି ପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ହେବ। ସେହିଦିନ ରାତି ସାଢ଼େ ୧ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।

atlasobscura.com

ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଦନମୋହନ ବିଜେ, ଚିତା ଲାଗି, ବେଶ ଆଦି ଶେଷ ହେବ। ଛେରାପହଁରା ପରେ ଚାରମାଳ ଫିଟା ଯାଇ ଘୋଡ଼ା, ସାରଥୀ ଲାଗିବା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ବାହୁଡ଼ା ଯାତ୍ରା ଦିନ ଭୋର ୪ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତି ହେବ। ଭୋର ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପ ପରେ ସକାଳ ୭ଟାରେ ସେନାପଟା ଲାଗି ଆରମ୍ଭ ହେବ। ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଚାରମାଳ ଫିଟା ଯାଇ ଘୋଡ଼ା ଲାଗିବା ପରେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ। ସେହିପରି ସୁନାବେଶ ଦିନ ସଂଧ୍ୟା ୫ଟାରୁ ଶ୍ରୀଜିଉଙ୍କ ସୁନାବେଶ ଆରମ୍ଭ ହେବ। ସାଢ଼େ ୬ଟା ସୁଦ୍ଧା ବେଶ ଶେଷପରେ ଭକ୍ତ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ। ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ଓଲାଗି ହେବ। ପରଦିନ ଅଧରପଣା ନୀତି ପରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ଅନ୍ୟପଟେ ଜୁନ ୧୦ ତାରିଖ ରାଜେନ୍ଦ୍ରାଭିଷେକ, ଜୁଲାଇ ୯ ତାରିଖ ବାହୁଡ଼ା ନୀତି, ଜୁଲାଇ ୧୦ ତାରିଖ ସୁନାବେଶ ନୀତିକାନ୍ତି ବି ଚୂଡ଼ାନ୍ତ ହୋଇଛି। ାହର ବାଜିଛି। ଭକ୍ତଙ୍କ ବାଧାବିହୀନ ଦର୍ଶନ ପାଇଁ ସେବାୟତଙ୍କୁ ଶ୍ରୀଜିଉଙ୍କ ଆଗରେ ନ ଛିଡ଼ା ହେବାକୁ ସତର୍କ କରାଯାଇଛି। ସ୍ନାନ‌ଯାତ୍ରା ବେଳେ ସ୍ନାନଜଳ ଯେଭଳି କେହି ନ ନେବେ ସେ ଉପରେ ବି ବୈଠକରେ ଗୁରୁତ୍ବ ଦିଆଯାଇଛି।

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଳ ସିଂହ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ କହିଛନ୍ତି, ଆଜି ରଥଯାତ୍ରା, ସ୍ନାନଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ଏହାର ବ୍ୟବସ୍ଥାବଳୀ କ’ଣ ରହିବ ତାହା ଚୂଡ଼ାନ୍ତ ହୋଇଛି। ଅନ୍ୟପଟେ ସେବାୟତ ଗୁରୁକୁଳ ଏମ୍‌ଓୟୁ ଉପରେ ଆଲୋଚନା ହୋଇଛି। ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ, ତାହା ଉପରେ ମଧ୍ୟ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର