କେସିଙ୍ଗା: ୫ ବର୍ଷର ବହୁ ବାଦ ବିବାଦ ପରେ କେନ୍ଦ୍ର ସରକାର ବୁଧବାର କେସିଙ୍ଗା ପ୍ରସ୍ତାବିତ ଆର୍‌ଓବିର ପ୍ରକଳ୍ପର ଅତିରିକ୍ତ ବ୍ୟୟ ବରାଦକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଟୁଇଟ୍‌ କରି ୩୨୪.୦୯ କୋଟି ଟଙ୍କାକୁ ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି। ୨୦୦୬ ମସିହାରେ କେନ୍ଦ୍ର ସରକାର ଏହି ଯୋଜନାରେ ୨୦୫ କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ।

Advertisment

ହେଲେ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପର ମୂଲ୍ୟ ବୃଦ୍ଧି ହେବାରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅନୁଦାନକୁ ନେଇ ବିବାଦ ଲାଗିଥିଲା। ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ଆନ୍ଦୋଳନକୁ ସମ୍ମାନ ଜଣାଇ ଅଣ୍ଡର ବ୍ରିଜ୍‌ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଦେଲେ। କିନ୍ତୁ ଏହି ପ୍ରକଳ୍ପ ସେମିତି ଝୁଲି ରହିଲା। ଜମି ଅଧିଗ୍ରହଣ ପାଇଁ ଶେଷ ବିଜ୍ଞପ୍ତି ବି ବାହାରିଥିଲା। ଲୋକେ ଜମି ଦେବାର ସମ୍ମତି ଦେବାପରେ ବି ଝୁଲି ରହିଲା। ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଏହି ମଞ୍ଜୁରୀ ଦେବାପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସମୁଦାୟ ୩.୭୭୫ କିମି ରେ ଏହି ପ୍ରକଳ୍ପ ନିର୍ମାଣ ହେବ।

ଯେଉଁଥିରେ ୧ କିମି ବ୍ରିଜ୍‌ ହେବ, ବଳକା ଆପ୍ରୋଚ୍‌ ରୋଡ୍‌, ୪ ଲେନ୍‌ ରାସ୍ତା ତିଆର ହେବ। କିନ୍ତୁ ବୁଦ୍ଧିଜୀବୀ ମହଲରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ଅଭିଯୋଗ କରିଛନ୍ତି, ଏହି ଆରଓବି କେସିଙ୍ଗା-ବଲାଙ୍ଗୀର ପଟକୁ ଏନ୍‌ଏସି ପୁରୁଣା ଚେକ୍‌ଗେଟ୍‌ ନିକଟରୁ ବାହାରି ତେଲ ନଦୀ ରେଳ ବ୍ରିଜ୍‌ ଅତିକ୍ରମ କରି ଇଣ୍ଡିଆନ୍‌ ଅଏଲ ପେଟ୍ରୋଲ ପମ୍ପ ନିକଟରେ ବାହାରିବ, ଯାହା ବହୁ ବର୍ଷ ପୂର୍ବେ ସର୍ଭେ ହୋଇଥିଲା। ସେହି ହିସାବରେ ପ୍ରକଳ୍ପ ମଞ୍ଜୁର ହୋଇଛି। ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ବାହାରୁଥିବାରୁ ସହରରେ ଟ୍ରାଫିକ୍‌ ସେବା ବିପର୍ଯ୍ୟସ୍ତ ହେବ ବୋଲି କହିଛନ୍ତି। ତେବେ ୫ବର୍ଷ ହେବ ଝୁଲି ରହିଥିବା ଏହି ଆର୍‌ଓବି କେବେ ସମାପ୍ତ ହେବ ତାହା ଦେଖିବାକୁ ବାକି ରହିଲା।