ସୋନପୁର: ଗତ ଜୁଲାଇ ୪ ତାରିଖ ୫-ଟି ସଚିବ ଭି. କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମେ କୋଟସମଲେଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରକୁ ପରିଦର୍ଶନରେ ଯାଇଥିଲେ। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଏବଂ କୀର୍ତ୍ତିରାଜି ବୁଲି ଦେଖିଥିଲେ। ଆଶା କରାଯାଉଥିଲା, ଜିଲ୍ଲାର ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ଆଶାଜନକ ଅନୁଦାନ ମିଳିବ। ତେବେ ପ୍ରଥମ ପର୍ଯ୍ୟାୟରେ ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅନୁଦାନ ଆସି ନାହିଁ।
ଅନ୍ୟ ପକ୍ଷରେ ଜିଲ୍ଲାର ଚାରିଟି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧ କୋଟି ୩୧ ଲକ୍ଷ ୪୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ବିନିକା ପାପକ୍ଷୟ ଘାଟର ଉନ୍ନତି ପାଇଁ ୪୫ ଲକ୍ଷ ଟଙ୍କା, ସୁବର୍ଣ୍ଣମେରୁ ପୀଠର ଉନ୍ନତି ପାଇଁ ୩୦ ଲକ୍ଷ ୫୭ ହଜାର ଟଙ୍କା, ଉଲୁଣ୍ଡା ବ୍ଲକ୍ ମା’ ମେଟାକାନୀ ମନ୍ଦିରର ବିକାଶ ପାଇଁ ୨୬ ଲକ୍ଷ ୯୬ ହଜାର ଟଙ୍କା ଏବଂ ତରଭା ବ୍ଲକ୍ ମେଣ୍ଡା ନିକଟସ୍ଥ ବାରପାହାଡ଼ ପୀଠର ଉନ୍ନତି ପାଇଁ ୨୮ ଲକ୍ଷ ୮୯ ହଜାର ଟଙ୍କା ମଞ୍ଜୁର ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ଅନୁଦାନ ପର୍ଯ୍ୟଟନ କ୍ଷେତ୍ରର ପାରିପାର୍ଶ୍ବିକ ବିକାଶ, ପର୍ଯ୍ୟଟକଙ୍କ ପାଇଁ ସୁବିଧା, ପାନୀୟ ଜଳର ବ୍ୟବସ୍ଥା ଏବଂ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ। ବିନିଯୋଗ ପ୍ରମାଣପତ୍ର ପ୍ରଦାନ ପରେ ଅଧିକ ଅନୁଦାନ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ପାତାଳି ଶ୍ରୀକ୍ଷେତ୍ରର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୮ ବର୍ଷ ପୂର୍ବରୁ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଥିଲା। ଏହାକୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଥିଲା। ୮ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଅର୍ଥ ମଞ୍ଜୁର ହୋଇନାହିଁ। ସେହିପରି ପାତାଳି ଶ୍ରୀକ୍ଷେତ୍ରରେ ରୋପ୍ ୱେ ନିର୍ମାଣ କାମ ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ହାତକୁ ନେଇଥିଲା। ୩୧ ଅକ୍ଟୋବର ୨୦୧୮ରେ ଏହା ଡବ୍ଲୁଓଡିସି ପ୍ରଶାସନିକ ଅନୁମୋଦନ ଲାଭ କଲା।
ଏଥିପାଇଁ ୧୦ କୋଟି ୭୫ ଲକ୍ଷ ୫ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ ଦାୟିତ୍ବ ଓସିସିଏଲକୁ ଦିଆଗଲା। ଅଗ୍ରିମ ୨ କୋଟି ୪୭ ଲକ୍ଷ ୪୩ ହଜାର ୫ ଶହ ଟଙ୍କା ମଧ୍ୟ ଓସିସିଏଲକୁ ଦିଆଯାଇ ଥିଲା। ୧୧ ଫେବ୍ରୁଆରି ୨୦୧୯ରେ ଶିଳାନ୍ୟାସ ହେଲା। ଠିକାସଂସ୍ଥା ୩ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରିବାରୁ ଗତ ୧୫ ଡିସେମ୍ବର ୨୦୨୨ରେ ଠିକାସଂସ୍ଥାକୁ ଦେଇଥିବା ପ୍ରଶାସନିକ ଅନୁମୋଦନକୁ ଡବ୍ଲୁଓଡିସି ବାତିଲ କରିଦେଲା। ଏହାପରେ ଏଠାରେ ରୋପ୍ ୱେ ନିର୍ମାଣ ନେଇ ଅନିଶ୍ଚିତତା ବଢ଼ିଥିଲା। କିନ୍ତୁ ଗତ ୪ ଜୁଲାଇରେ ୫-ଟି ସଚିବ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ କରିବା ପରେ ଏଠାରେ ଭବ୍ୟ ମନ୍ଦିର ଏବଂ ରୋପ୍ ୱେ ନିର୍ମାଣ ହେବା ନେଇ ଲୋକଙ୍କ ମନରେ ଆଶାସଞ୍ଚାର ହୋଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ପାତାଳି ଶ୍ରୀକ୍ଷେତ୍ର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ନ ହେବା ଏବଂ ରୋପ୍ ୱେ ନିର୍ମାଣ ଅନିଶ୍ଚିତତା ଦୂର ନ ହେବା ଲୋକଙ୍କୁ ପୁଣିଥରେ ନିରାଶ କରିଛି।