ତୈଳ ଓ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ୯ରେ ଆପ୍‌ର ବିକ୍ଷୋଭ

ଭୁବନେଶ୍ବର : ରାଜ୍ୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ,ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୯ତାରିଖରେ ଆମ୍‌ ଆଦ୍‌ମି ପାର୍ଟି (ଆପ୍) ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ଦିବସ ପାଳନ କରିବ ବୋଲି ଆଜି ଦଳ ପକ୍ଷରୁ କୁହାଯାଇଛି।

ଆପ୍‌ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇଯାଇଥିବାବେଳେ ବି‌ଜେପି ଓ ବିଜେଡି ବାରମ୍ବାର ଭ୍ରମାତ୍ମକ ଓ ଅବାନ୍ତର ଯୁକ୍ତି ଦର୍ଶାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୨୦୧୪ରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁକ୍ଳ ବଢାଇ ଚାଲିଛି ଓ ସେସ୍ ବୃଦ୍ଧି କରି ସେଥିରୁ ରାଜ୍ୟ ଗୁଡ଼ିକର ଅଂଶ ମଧ୍ୟ କମାଇ ଚାଲିଛି। ୨୦୧୪ ଅକ୍ଟୋବର ପରଠାରୁ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁକ୍ଳ ଯଥାକ୍ରମେ ୨୫୦% ଓ ୮୦୦% ବୃଦ୍ଧି କରି ବର୍ତ୍ତମାନ ପ୍ରତି ଲିଟର ପେଟ୍ରୋଲ ପିଛା ୩୨.୯୦ ଟଙ୍କା ଓ ପ୍ରତି ଲିଟର ଡିଜେଲ ପିଛା ୩୧.୮୦ ଟଙ୍କା ଆଦାୟ କରୁଛି। ଅନ୍ୟ ପକ୍ଷରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ କମାଇବାକୁ ରାଜି ହେଉ ନାହାନ୍ତି। ଗତ ବର୍ଷ ମେ ମାସରେ ରାଜ୍ୟ ସରକାର କରୋନା ଜନିତ ଆର୍ଥିକ ସଙ୍କଟର ଦ୍ବାହି ଦେଇ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ଦର ବୃଦ୍ଧି କରିଥିଲେ। ସେତେବେଳେ ରାଜ୍ୟ ସରକାର ପ୍ରତି ଲିଟର ପେଟ୍ରୋଲରେ ୧୬.୬୦ ଟଙ୍କା ପାଉଥିବାବେଳେ ଏବେ ସେଥିରୁ ପାଖାପାଖି ୨୬ ଟଙ୍କା ଭାଟ୍ ପାଉଛନ୍ତି। ଗତବର୍ଷ ସେହି ସମୟରେ ଦିଲ୍ଲୀର ଆପ୍ ସରକାର ଭାଟ୍ ଦର ବୃଦ୍ଧି କରିଥିବା ବେଳେ ତାହାର ଦୁଇ ମାସ ପରେ ଡିଜେଲ ଉପରେ ଭାଟ୍ ଲିଟର ପିଛା ୮ ଟଙ୍କାରୁ ଅଧିକ ହ୍ରାସ କରିଛନ୍ତି। ହେଲେ ଓଡ଼ିଶାରେ ଏହା କମୁନି।

ଏହାବାଦ୍ ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ବିଦ୍ୟୁତ୍ ଦର ଦୁଇ ଥର ବୃଦ୍ଧି କରି ସାଧାରଣ ଲୋକଙ୍କ ବୋଝ ଉପରେ ନଳିତା ବିଡା ଲଦି ଦେଇଛନ୍ତି। ରାଜ୍ୟ ସରକାରଙ୍କ ମାରଣ ନୀତିକୁ ବିରୋଧ କରି ଆପ୍ ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରିବ ‌େବାଲି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ରଙ୍ଗା ଚରଣ ପ୍ରଧାନ, ଅଜୟ ପତି, ଜୟସୂର୍ଯ୍ୟ କାନୁନଗୋ ଓ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଚନ୍ଦ୍ରଭାନୁ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର