ଉତ୍କଳ ଦିବସରେ ଶିକ୍ଷକଙ୍କ ମହାସମାବେଶ

ଆନ୍ଦୋଳନ ବ୍ୟାପକ କରିବାକୁ ମିଳିତ ମଞ୍ଚର ନିଷ୍ପତ୍ତି

ଭୁବନେଶ୍ୱର : ଆନ୍ଦୋଳନ ଜାରି ରଖିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ। ରାତିଦିନ ଏକ କରି ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଲୋୟର ପିଏମ୍‌ଜିରେ ଧାରଣାରେ ବସିରହିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନି। ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ବି ଧମକ ଦେଇଛନ୍ତି। ତଥାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି। ଏହାରି ଭିତରେ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ପୁଣିଥରେ ଲୋୟର ପିଏମ୍‌ଜିରେ ମହାସମାବେଶ କରିବେ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବୈଠକରେ ନିଷ୍ପତ୍ତିି ନିଆଯାଇଛି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, କୌଣସି ବି ପରିସ୍ଥିତିରେ ଆମେ ପଛଘୁଞ୍ଚା ଦେବୁନି। ଆନ୍ଦୋଳନକୁ ବ୍ୟାପକ କରାଯିବ। ଗତକାଲି ମିଳିତ ମଞ୍ଚ ସହ ମନ୍ତ୍ରୀଙ୍କ ଆଲୋଚନା ହେବ ବୋଲି କୁହାଯାଉଥିଲା। କିନ୍ତୁ ସେଭଳି କିଛି ବି ହେଲା ନାହିଁ। ଆଲୋଚନା ଲାଗି ସରକାର ଡାକିଲେ ନାହିଁ। ୩ ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ମଧ୍ୟ ପୂରଣ କରାଗଲା ନାହିଁ। ତେଣୁ ଆଜି ମିଳିତ ମଞ୍ଚର ବୈଠକ ବସି ପରବର୍ତର୍ୀ କାର୍ଯ୍ୟପନ୍ଥା ସ୍ଥିର ହୋଇଛି। ଶନିବାର ମନ୍ତ୍ରୀଙ୍କ ସହ ଆଲୋଚନା ହୋଇପାରେ। ଯଦି ଦାବି ପୂରଣ ନେଇ ଆଲୋଚନା କରା ନ ଯାଏ ତେବେ ଏପ୍ରିଲ ୧ ତଥା ଉତ୍କଳ ଦିବସରେ ଲୋୟର ପିଏମ୍‌ଜିରେ ମହାସମାବେଶ ହେବ। ଏଥିରେ ମିଳିତ ମଞ୍ଚରେ ସାମିଲ ହୋଇଥିବା ସମସ୍ତ ସଂଘର ନେତାମାନେ ଏକାଠି ହେବେ। ବ୍ଲକଗ୍ରାଣ୍ଟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ କଲେଜ ଅଧ୍ୟକ୍ଷମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉତ୍ସବକୁ ଆଡ଼ମ୍ବର ସହିତ ରାଜ୍ୟ ସରକାର ପାଳନ କରୁଥିବା ବେଳେ ଶିକ୍ଷକମାନେ ରାସ୍ତାରେ ପାଳନ କରିବେ।

ଅନ୍ୟପକ୍ଷରେ ଯୁକ୍ତ୨ ଖାତା ଦେଖା ଲାଗି ପ୍ରସ୍ତୁତି ଜାରି ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଖାତା ଦେଖିବାକୁ ଥିବା ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ମୂଲ୍ୟାୟନକାରୀଙ୍କ ତାଲିକାରୁ ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ବାଦ୍‌ ଦିଆଯାଇଛି। ପ୍ରାୟ ୨ ହଜାର ଅଧ୍ୟାପକଙ୍କୁ ବାଦ୍‌ ଦେଇ ତାଲିକା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮ ହଜାର ଅଧ୍ୟାପକ ଏପ୍ରିଲ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ କରିବେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନରେ ୭ ହଜାର ଅଧ୍ୟାପକ ସାମିଲ ହେବେ। ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହେଉଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର