ଏପ୍ରିଲ ୩ ରେ ନୂଆପଡ଼ା, ହିନ୍ଦୋଳ ଓ ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର: ଏପ୍ରିଲ ୩ ତାରିଖ ଦିନ ନୂଆପଡ଼ା, ହିନ୍ଦୋଳ ଓ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିସନ ଏ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିସହିତ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଆସନ୍ତା ଏପ୍ରିଲ ୫ ତାରିଖ ଦିନ ଏହି ତିନିଟି ଏନ୍‌ଏସି ଅନ୍ତର୍ଗତ ୪୨ କାଉନ୍‌ସିଲର ପଦ ପାଇଁ ନିର୍ବାଚନ ଫଳ ପ୍ରକାଶ ପାଇବ। ମତଦାନ ଇଭିଏମ୍‌ରେ କରାଯିବ, ମାତ୍ର ଭିଭିପାଟ୍‌ ବ୍ୟବସ୍ଥା ରହିବ ନାହିଁ। ନିର୍ବାଚନ ସଂପର୍କରେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆସନ୍ତା ଏପ୍ରିଲ ମାସ ୧୨ ତାରିଖରେ ଏହି ତିନିଟି ଏନ୍‌ଏସିର କାର୍ଯ୍ୟକାଳ ସମାପ୍ତ ହେଉଛି। ଚୂଡ଼ାନ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୯ତାରିଖରେ ସ୍ଥାନୀୟ ବିଜ୍ଞାପିତ ପରିଷଦରେ ନିର୍ବାଚନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହେବ। ଚଳିତ ମାସ ୧୩ ତାରିଖରୁ ୧୭ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦିନ ଏଗାରଟାରୁ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ
ପ୍ରକ୍ରିୟା ଚାଲିବ। ୧୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବା ସହିତ ୨୦ ତାରିଖରେ ବୈଧ ପ୍ରାର୍ଥିତାଲିକା ପ୍ରକାଶ ପାଇବ। ୨୨ ତାରିଖ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର ଦିବସ ରହିଛି। ସେଦିନ ଅପରାହ୍ନ ୫ଟା ସୁଦ୍ଧା ଚୁଡ଼ାନ୍ତ ପ୍ରାର୍ଥିତାଲିକା ପ୍ରକାଶ ପାଇବ। ଏପ୍ରିଲ ୩ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟ ଗ୍ରହଣ ହେବ ଓ ୫ରେ ଗଣତି କରାଯିବା ସହିତ ଫଳାଫଳ ଘୋଷଣା କରାଯିବ। ୧୨ ଏପ୍ରିଲରେ ଏହି ତିନିଟି ଏନ୍‌ଏସିରେ ଅଧ୍ୟକ୍ଷ ଏବଂ ୩୦ରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିସନ ଜଣାଇଛନ୍ତି, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ୧୨ଟିି ଓ୍ଵାର୍ଡରେ ୧୩ ହଜାର ୨୦୫ ଜଣ ଓ ହିନ୍ଦୋଳର ୧୬ଟି ଓ୍ଵାର୍ଡ଼ରେ ୯ ହଜାର ୪୦୭ଜଣ ଭୋଟର ଅଛନ୍ତି। ସେହିଭଳି ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪ଟି ଓ୍ଵାର୍ଡ଼ରେ ୧୨ ହଜାର ୧୪୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଅତାବିରା ଏନ୍‌ଏସିରେ ମୋଟ ୧୩ଟି ବୁଥ୍‌, ହିନ୍ଦୋଳରେ ୧୬ ଓ ନୂଆପଡାରେ ୧୪ଟି ବୁଥ୍‌ କରାଯିବ। ଅତାବିରା ଓ ହିନ୍ଦୋଳ ଅଧ୍ୟକ୍ଷା ପଦବି ଅନୁସୂଚିତ ମହିଳା ବର୍ଗ ପାଇଁ ସଂରକ୍ଷିତ ଥିବା ବେଳେ ନୂଆପଡା ଅନୁସୂଚିତ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଆଦର୍ଶ ଆଚରଣ ବିଧି ଅନୁଯାୟୀ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପାଇଁ ସର୍ବାଧିକ ୨ଟି ତିନିଚକିଆ କିମ୍ବା ଚାରିଚକିଆ ଯାନ ସହିତ ସର୍ବାଧିକ ୩୦ ହଜାର ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିପାରିବେ। ରାଜନୈତିକ ଦଳ ନିଜ ଦଳ କିମ୍ବା ପ୍ରାର୍ଥୀଙ୍କ ପ୍ରଚାରରେ ଗୋଟିଏରୁ ଅଧିକ ଗାଡ଼ି ବ୍ୟବହାର କରିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିସନର ସ୍ପଷ୍ଟ କରିଛନ୍ତି।

ଏହି ତିନିଟି ଏନଏସିରେ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୧୧ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ। ନିର୍ବାଚନରେ ରାଜନୈତିକ ଦଳର ଆଚରଣ ସଂପର୍କରେ କମିସନ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ ଅଶୋକ କୁମାର ଦାଶ, ଉପସଚିବ ଆଜାଦ୍‌ହିନ୍ଦ୍‌ ପାଣିଗ୍ରାହୀ, ଆଇନ ଅଧିକାରୀ ମାଧୁରୀ ମିଶ୍ର ଓ ଅନୁସଚିବ ବାଙ୍କନିଧି ଷଡଙ୍ଗୀଙ୍କ ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ଆସନ୍ତା ସେପ୍‌ଟେମ୍ବର ୨୯ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୬୬ଟିି ପୌରପାଳିକାର କାର୍ଯ୍ୟକାଳ ସରୁଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଆଉ ୨୦ଟି ପୌରପାଳିକା କାର୍ଯ୍ୟକାଳ ସରିବ। ଆସନ୍ତାବର୍ଷ ଜାନୁଆରି ୧୬ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଓ ଫେବ୍ରୁଆରି ୧୨ ତାରିଖ ପୂର୍ବରୁ କଟକ ମହାନଗର ପାଇଁ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର