ବାଲେଶ୍ବର ରାଜନୀତିରେ ଏପଟସେପଟ: ଜ୍ୟୋତିପ୍ରକାଶଙ୍କୁ ମନାଇଦେଲେ ପ୍ରଣବ ପ୍ରକାଶ

ଜିଲ୍ଲା ସଭାପତି ଦାୟିତ୍ବ, ଅଶ୍ବିନୀ ରାଜ୍ୟ ସାଧାରଣ ସଂପାଦକ ନିଯୁକ୍ତ

ସିମୁଳିଆ/ଜଳେଶ୍ବର/ଖଇରା: ବାଲେଶ୍ବର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତକାଲି ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଥିଲେ। ଯାହାକୁ ନେଇ ଦଳରେ ହଲ୍‌ଚଲ୍‌ ସୃଷ୍ଟି ହୋଇଥିଲା। ବିଜେଡି ସଭାପତି ଇସ୍ତଫାପତ୍ର ଗ୍ରହଣ କରି ନଥିବା ବେଳେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଜ୍ୟୋତିପ୍ରକାଶଙ୍କୁ ରାତାରାତି ଭେଟି ମନାଇବାରେ ସକ୍ଷମ ହୋଇଛନ୍ତି। ପ୍ରତିଶ୍ରୁତି ଅନୁସାରେ ଆଜି ତାଙ୍କୁ ବାଲେଶ୍ବର ଜିଲ୍ଲା ସଭାପତି ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ, ବିଧାୟକ ପ୍ରାର୍ଥୀ ଅଶ୍ବିନୀ କୁମାର ପାତ୍ରଙ୍କୁ ଜିଲ୍ଲା ସଭାପତି ଦାୟିତ୍ବରୁ ଅନ୍ତର କରି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଏପରି ସମୟରେ ଜ୍ୟୋତିପ୍ରକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିବା ଜଣାପଡ଼ିଛି।

ଏନେଇ ଜ୍ୟୋତିପ୍ରକାଶଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ‘ଆମ ପରିବାର ବିଜେଡି ପ୍ରତି ସମର୍ପିତ। ମୋର ବାପା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀ ଦଳ ପାଇଁ କାମ କରିଥିଲେ। ମୁଁ ବି ୧୦ ବର୍ଷ ହେଲା କାମ କରୁଛି। ଟିକେଟ୍‌ କଟିବା ଯୋଗୁଁ ଅଭିମାନରେ ଦଳରୁ ଇସ୍ତଫା ଦେଇଥିଲି। ହେଲେ, ପରେ ମନକୁ ବୁଝାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଲୋକାଭିମୁଖୀ କାମକୁ ସମ୍ମାନ ଜଣାଇ ଦଳରେ ରହିଲି।’ ଏଥିସହିତ, ସିମୁଳିଆ ଟିକେଟ୍‌ ପାଇଥିବା ସୁବାସିନୀଙ୍କ ବିଜୟ ପାଇଁ ପ୍ରଚାର କରିବେ ବୋଲି ସେ କହିଛନ୍ତି।

ସେହିପରି ଶ୍ରୀ ପାତ୍ର କହିଛନ୍ତି, ‘ବିଜେଡିର ଜିଲ୍ଲା ସଙ୍ଗଠନ କଥା ବୁଝୁଥିଲି। ଏବେ ରାଜ୍ୟ ସଙ୍ଗଠନ କଥା ବୁଝିବି। ଯାହା ସୌଭାଗ୍ୟର କଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି।’ ଉଲ୍ଲେଖ ଥାଉକି; ବିଜେଡି ଟିକେଟ୍‌ରୁ ୨୦୧୪ ଓ ୨୦୧୯ରେ ଦୁଇଥର ବିଧାୟକ ହୋଇଥିବା ଜ୍ୟୋତିପ୍ରକାଶଙ୍କ ସହ ବିଜେଡି ରାଜ୍ୟ ସଂପାଦକ ଶଶି କୁମାର ସାହୁ ଏଥର ସିମୁଳିଆ ବିଜେଡି ଟିକେଟ୍‌ ପାଇଁ ପ୍ରତ୍ୟାଶୀ ଥିଲେ। ହେଲେ ଦଳ ମହିଳା କାର୍ଡ ଖେଳି ଶଶିଙ୍କ ପତ୍ନୀ ସୁବାସିନୀ ସାହୁଙ୍କୁ ଟିକେଟ୍‌ ଦେଲା। ଫଳରେ ନିରାଶ ଜ୍ୟୋତିପ୍ରକାଶ ଦଳୀୟ କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରହିଥିଲେ। ଚର୍ଚ୍ଚା ହେଉଥିଲା, ସେ ବିଜେପିରେ ଯୋଗଦେଇ ଥାଆନ୍ତେ।

ସମ୍ବନ୍ଧିତ ଖବର