ପାଟକୁରାରେ ଜିତିଲେ ଅରବିନ୍ଦ, ନୟାଗଡ଼ରେ ଜିତିଲେ ଅରୁଣ

ପାଟକୁରା/ନୟାଗଡ: ପାଟକୁରା ଜିତିଲା ବିଜେଡି । ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହେଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତେଜେଶ୍ୱର ପରିଡାଙ୍କୁ ହରାଇଛନ୍ତି ଅରବିନ୍ଦ ମହାପାତ୍ର । ତେବେ ଅରବିନ୍ଦ ୧୩ ହଜାର ୭୦୫ ଭୋଟରେ ବିଜୟୀ ହେଇଥିବା ନେଇ ସୂଚନା ମିଳୁଛି । ସୂଚନାଯୋଗ୍ୟ ଯେ, ପାଟକୁରା ଆସନରୁ ଏଥର ବିଜେଡି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଅନ୍ୟପଟେ ବିଜେପି ତେଜେଶ୍ୱର ପରିଡାଙ୍କ ଉପରେ ଭରସା କରିଥିଲା । ହେଲେ ସାଧାରଣ ନିର୍ବାଚନରେ ଅରବିନ୍ଦ ମହାପାତ୍ର ଲୋକଙ୍କ ଭରସା ଜିତିବା ସହ ବାଜିମାତ୍ କରିଛନ୍ତି । ଅନ୍ୟପଟେ ନୟାଗଡରୁ ଜିତିଛନ୍ତି ଅରୁଣ ସାହୁ ।

ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଚଳିତ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପରାସ୍ତ କରିଛନ୍ତି ଅରୁଣ ସାହୁ । ତେବେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ଆରମ୍ଭରୁ କଡା ଟକ୍କର ଦେଖିବାକୁ ମିଳିଥିଲା । କିଛି ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହୁଥିବାବେଳେ, ଅନ୍ୟ କିଛି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିଲେ । ହେଲେ ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟୀ ସହିତ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପରାସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୪ ମସିହାରୁ ଲଗାତାର ନୟାଗଡ ଆସନରୁ ବିଜୟ ଲାଭ କରିଆସୁଛନ୍ତି ଅରୁଣ ସାହୁ । ନୟାଗଡରୁ ଲଗାତାର ୪ଥର ସେ ନିର୍ବାଚିତ ହେଇଥିଲେ ଆଉ ଏଥର ମଧ୍ୟ ଦଳ ତାଙ୍କୁ ଟିକେଟ୍ ଦେଇଥିଲା । ଅନ୍ୟପଟେ ବିଜେପି ଏହି ଆସନରୁ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ନିର୍ବାଚନ ରଣାଙ୍ଗନରେ ପ୍ରତ୍ୟୁଷାଙ୍କୁ ହରାଇ ବାଜି ମାରିଛନ୍ତି ଅରୁଣ ସାହୁ ।

ସମ୍ବନ୍ଧିତ ଖବର