ପୋଲସରା: ମିଟ୍ ସ୍କୁଲ ଅଫ୍ ପୁନେ ପକ୍ଷରୁ ଆସନ୍ତା ଜୁନ୍ ୧୫ରୁ ୧୭ ତାରିଖ ତିନି ଦିନ ଧରି ମୁମ୍ବାଇରେ ହେବାକୁ ଯାଉଥିବା ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେବାକୁ ଦ୍ବିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଢୁଙ୍କାପଡ଼ାର ପ୍ରାକ୍ତନ ସରପଞ୍ଚ ସୁଶ୍ରୀ ଆରତୀ ଦେବୀ ନିମନ୍ତ୍ରିତ ହୋଇଛନ୍ତି। ପ୍ରାକ୍ତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପୃଷ୍ଠପୋଷକତା ଓ ବର୍ତ୍ତମାନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ତତ୍ତ୍ବାବଧାନରେ ଡ.ମୀରା କୁମାର, ଡ.ମୁରଲୀ ମନୋହର ଯୋଶୀ ଓ ଶିବରାଜ ପାଟିଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହାସହ ଭାରତର ସମସ୍ତ ବିଧାନସଭା ଓ ବିଧାନପରିଷଦ ସଭ୍ୟଙ୍କ ସମେତ କେରଳ, ବିହାର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆସାମ, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରପ୍ରଦେଶ, ମେଘାଳୟ, ଅରୁଣାଞ୍ଚଳପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଗୋଆ ଓ ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତିମାନେ ଯୋଗ ଦେବେ। ବିଭିନ୍ନ ସମୟରେ ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରୁ ଅନେକ ବିଶିଷ୍ଟ ବ୍ୟକ୍ତି ପ୍ରତିନିଧିତ୍ବ କରିଥିବା ବେଳେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ସେମାନଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି। ସୂଚନା ଥାଉକି, ଆରତୀ ଦେବୀ ପୂର୍ବରୁ ମିଟ୍ ସ୍କୁଲ ଅଫ୍ ପୁନେ ଦ୍ୱାରା ୨୦୧୪ ମସିହାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନିତ ହୋଇ ସାରିଛନ୍ତି।