କଟକ: ଖାଦ୍ୟ ଯୋଗାଣକାରୀ ସଂସ୍ଥା ପକ୍ଷରୁ ନିୟୋଜିତ ଡେଲିଭରି ବଏ’ଙ୍କ ବେପରୁଆ ଗାଡ଼ିଚାଳନାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏମାନେ ଗ୍ରାହକଙ୍କ ନିକଟରେ ତୁରନ୍ତ ଖାଦ୍ୟ ପହଞ୍ଚାଇବା ଉଦ୍ଦେଶ୍ୟରେ ସହରରେ ବେପରୁଆ ଗାଡ଼ି ଚାଳନା କରୁଥିବା ଘଟଣା ଏବେ ପରିବହନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲାଣି। ତେଣୁ ସେମାନଙ୍କୁ ଜଗିବାକୁ କଠୋର ପଦକ୍ଷେପ ସ୍ବରୂପ ସମ୍ପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପରିବହନ କମିସନର୍‌ଙ୍କ ପକ୍ଷରୁ ଚିଠି ଲେଖାଯାଇଛି। 

Advertisment

ହେଲମେଟ୍‌ ନପିନ୍ଧି ୧୭୬୯ ଜଣ, ମୋବାଇଲ୍‌ ପାଇଁ ୧୬୩ ଜଣଙ୍କ ମୃତ୍ୟୁ
ଖାଦ୍ୟ ଯୋଗାଣକାରୀ ସଂସ୍ଥାଙ୍କୁ ପରିବହନ କମିସନର୍‌ଙ୍କ କଡ଼ା ଚିଠି

ସୂଚନା ଅନୁଯାୟୀ, ପ୍ରମୁଖ ଖାଦ୍ୟ ଯୋଗାଣକାରୀ ସଂସ୍ଥାର ବ୍ୟାବସାୟିକ କାରବାର ରାଜ୍ୟର ବିଭିନ୍ନ ସହରରେ ବଢ଼ି ଚାଲିଛି। ମୁଖ୍ୟତଃ କଟକ, ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, ପୁରୀ, ବ୍ରହ୍ମପୁର ଇତ୍ୟାଦି ସହରରେ ଏହି ସଂସ୍ଥାଗୁଡ଼ିକ ବେଶ ସକ୍ରିୟ ହେଲେଣି। ଘରେ ବସି ଗ୍ରାହକ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ହୋଟେଲ୍ ଓ ରେଷ୍ଟୁରାଣ୍ଟରୁ ଖାଦ୍ୟ ଉକ୍ତ ସଂସ୍ଥାର ଆପ୍ଲିକେସନ୍ ମାଧ୍ୟମରେ ମଗାଉଛନ୍ତି। ଡେଲିଭରି ବଏ’ମାନେ ପ୍ରତି ଅର୍ଡର ପିଛା ୨୪ରୁ ୨୫ ଟଙ୍କା ପାଇଥାଆନ୍ତି। କେହି କେହି ସଂସ୍ଥାର ଡେଲିଭରି ବଏ’ ୫ କିମିରୁ ଅଧିକ ଦୂର ଗଲେ ସେମାନଙ୍କୁ ଅର୍ଡର ପିଛା ଅତିରିକ୍ତ ୧୦ ଟଙ୍କା ସଂସ୍ଥା ତରଫରୁ ମିଳୁଥିବା ବେଳେ ଆଉ କେତେକ ସଂସ୍ଥା ସେମାନଙ୍କ 
ଆପ୍ଲିକେସନ୍‌ରେ ଦେଖାଉଥିବା ସୂଚନା ଆଧାରରେ ଅତିରିକ୍ତ ୧୫ରୁ ୨୦ ଟଙ୍କା ଦେଇଥାନ୍ତି। ତେଣୁ ଡେଲିଭରି ବଏ’ ଯେତେ ଅଧିକ ଖାଦ୍ୟ ଯୋଗାଇବେ ଏବଂ ଯେତେ ଦୂରକୁ ଯିବେ ସେହି ହାରରେ ଅର୍ଡର ପିଛା ଟଙ୍କା ପାଇବେ। ତେଣୁ ଏହାକୁ ନେଇ ଉପରୋକ୍ତ ସହରଗୁଡ଼ିକରେ ଡେଲିଭରି ବଏଙ୍କ ଭିତରେ ଏକ ଅସ୍ବାସ୍ଥ୍ୟକର ପ୍ରତିଯୋଗିତା ହେଉଛି।  ଦ୍ରୁତ ଗତିରେ ଗାଡ଼ି ଚାଳନା ସହିତ ହେଲମେଟ୍ ବ୍ୟବହାର ନକରିବା, ଗାଡ଼ି ଚଲାଇବା ବେଳେ ମୋବାଇଲ୍ ବ୍ୟବହାର କରି ଅର୍ଡର କରିଥିବା ଗ୍ରାହକଙ୍କ ସହିତ କଥାବାର୍ତ୍ତା ହେବା ଯୋଗୁଁ ଦୁର୍ଘଟଣା ଆଶଙ୍କା ଅଧିକ ବଢ଼ିଯାଉଛି। ଏହି ମର୍ମରେ ପରିବହନ କମିସନର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସହିତ ଭୁବନେଶ୍ବରରେ ଥିବା କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ଏଭଳି ନିୟମ ବିରୋଧୀ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ସହିତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ପରିବହନ କମିସନର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୩ ବର୍ଷରେ ରାଜ୍ୟରେ ୪ ହଜାର ୮୫୨ଟି ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧ ହଜାର ୭୬୯ ଜଣ ବାଇକ୍ ଚାଳକ ବିନା ହେଲମେଟ୍ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି। କେବଳ ସେତିକି ନୁହେଁ, ଏହି ବର୍ଷ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ଯୋଗୁଁ ୪୩୩ଟି ଦୁର୍ଘଟଣା ଘଟିଛି। ଏଥିରେ ୨୪୭ ଜଣ ଗୁରୁତର ହୋଇଥିବା ବେଳେ ୧୬୩ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁର୍ଘଟଣାଜନିତ ଚିତ୍ର ଉଦ୍‌ବେଗ ସୃଷ୍ଟି କରିଛି। ତେଣୁ ଏ ଦିଗରେ ଡେଲିଭରି ବଏ’ମାନେ ଯେଭଳି ସତର୍କ ରହିବେ ଓ ନିୟମ ମାନିବେ, ସେ ନେଇ ସେମାନଙ୍କୁ ସତର୍କ କରାଯାଇଥିବା ପରିବହନ କମିସନର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।