ଅଫିସ୍‌ରେ ଆର୍‌ବିଏସ୍‌କେ ଅଧିକାରୀଙ୍କ ମଦ୍ୟପାନ! ସହକର୍ମୀଙ୍କୁ ଦୁର୍ବ୍ୟବହାର କରୁଥିଲେ ସହକାରୀ ପରିଚାଳକ

ତଦନ୍ତ ଚାଲିଛି ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ : ସିଡିଏମଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରାଷ୍ଟ୍ରୀୟ ବାଲସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆର୍‌ବିଏସ୍‌କେ)ର ସହକାରୀ ପରିଚାଳକ ସନ୍ଦୀପ ତ୍ରିପାଠୀଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ସହକାରୀ ପରିଚାଳକ ଶ୍ରୀ ତ୍ରିପାଠୀ କାର୍ଯ୍ୟାଳୟରେ ମଦ୍ୟପାନ କରିବା ସହ ବ୍ଲକ୍‌ସ୍ତରରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତର, ନର୍ସିଂ ଅଫିସର ଓ ସହକର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କର ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟର ସହକର୍ମୀମାନେ ଏଥିନେଇ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସିଡିଏମ୍‌ଓଙ୍କ ତତ୍ତ୍ବାବଧାନରେ ଗଠିତ ଏକ ଟିମ୍‌ ଘଟଣାର ତଦନ୍ତ କରିବା ସହ ଦୁଇଦିନ ପରେ ତଦନ୍ତକାରୀ ଟିମ୍‌ ରିପୋର୍ଟ ପ୍ରଦାନ କରିବେ ବୋଲି ସିଡିଏମ୍‌ଓ ଡା. ଉମା ମିଶ୍ର ସୂଚନା ଦେଇଛନ୍ତି।

ସହକାରୀ ପରିଚାଳକ ସନ୍ଦୀପ ତ୍ରିପାଠୀ ଆଜକୁ ୫ ବର୍ଷ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନ୍‌ଏଚ୍‌ଏମ୍‌ ୟୁନିଟରେ ଆର୍‌ବିଏସ୍‌କେ( ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ)ରେ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର ୨୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆର୍‌ବିଏସ୍‌କେ ୟୁନିଟ୍‌ ଗୁଡିକୁ ସେ ତଦାରଖ କରିବା ସହ ତାଙ୍କ ଅଧୀନରେ ଥିବା ୨୯ଟି ଆର୍‌ବିଏସ୍‌କେ ୟୁନିଟର ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍‌ନର୍ସ ଓ ଅନ୍ୟ ସହକର୍ମୀଙ୍କ ସହ କାର୍ଯ୍ୟ କରନ୍ତି। ସନ୍ଦୀପ ସହକର୍ମୀଙ୍କୁ ଦୁର୍ବବ୍ୟହାର କରି ଆସୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିବା ଏବଂ ଏହାର ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଳାଗିଛି। ମଦ୍ୟପାନ ପରେ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗକାରୀ ଏଥିରେ ଦର୍ଶାଇଛନ୍ତି।

ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଡିଏମଓ ଡା. ମିଶ୍ର ଜିଲ୍ଲା ମେଡ଼ିକାଲ ଅଫିସର ଓ ଏଡିଏମ୍‌ଓ(ପରିବାର କଲ୍ୟାଣ)ଙ୍କୁ ନେଇ ଗଠିତ ଦୁଇ ଜଣିଆ ଟିମ୍‌ ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଅଭିଯୋଗକାରୀଙ୍କ ସମେତ ସନ୍ଦୀପଙ୍କ ଉପସ୍ଥିତିରେ ତଦନ୍ତକାରୀ ଟିମ୍‌ ଘଟଣାର ତଦନ୍ତ କରି ତଥ୍ୟ ସଂଗ୍ରହ କରିଥିଲେ। ଅଭିଯୋଗର ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରିପୋର୍ଟ ଦାଖଲ ପରେ ସହକାରୀ ପରିଚାଳକ ସନ୍ଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଡିଏମଓ ଡା. ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, କାର୍ଯ୍ୟାଳୟ ଭିତରେ ମଦ୍ୟପାନ କରିବାର ଯେଉଁ ଫଟୋ ଭାଇରାଲ ହେଉଛି, ତାହା ଭିତ୍ତିହୀନ ବୋଲି କହିଛନ୍ତି ସହକାରୀ ପରିଚାଳକ ସନ୍ଦୀପ। ତଦନ୍ତକାରୀ ଟିମ୍‌ଙ୍କ ନିକଟରେ ସେ ନିଜର ମତାମତ ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର