ମୁଖ୍ୟମନ୍ତ୍ରୀଙ୍କ ସହ ଆର୍ସେଲର-ମିତ୍ତଲ ଅଧ୍ୟକ୍ଷଙ୍କ ଆଲୋଚନା, ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ

ଭୁବନେଶ୍ୱର : ବିଶ୍ୱର ୧ନମ୍ବର ଷ୍ଟିଲ କମ୍ପାନି ଆର୍ସେଲର-ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଛନ୍ତି ।

କମ୍ପାନି ଓଡ଼ିଶାରେ ୨ ହଜାର କୋଟି ନିବେଶ କରିବ ବୋଲି ଘୋଷଣା କରିଛି । ଏହା ମାଧ୍ୟମରେ ପାରାଦୀପରେ ଥିବା ପେଲେଟ ପ୍ଲାଣ୍ଟର କ୍ଷମତା ୬ ନିୟୁତ ଟନରୁ ୧୨ ନିୟୁତ ଟନ ଓ କେନ୍ଦୁଝରର ଥିବା ବେନିଫିସିଏସନ ପ୍ଲାଣ୍ଟର କ୍ଷମତା ୫ ନିୟୁତ ଟନରୁ ୧୬ ନିୟୁତ ଟନକୁ ବୃଦ୍ଧି କରାଯିବ ।
ଆର୍ସେଲର ମିତ୍ତଲ ଏସାର ଷ୍ଟିଲକୁ ଅଧିଗ୍ରହଣ କରିଥିବାରୁ ଓଡ଼ିଶାରେ ଥିବା ଏସାରର ଇସ୍ପାତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ସମ୍ଭାବନା ରହିଛି । ଓଡ଼ିଶା ସରକାର ମଧ୍ୟ ଏ ନେଇ ଗତ କିଛି ମାସ ହେଲା ଆର୍ସେଲର-ମିତ୍ତଲ ସହ ଆଲୋଚନା କରୁଛନ୍ତି ।

ଓଡ଼ିଶାର ପାରାଦୀପ ନିକଟରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏସାର ୨୦୦୫ରେ ଏମଓୟୁ କରିଥିଲା । କେନ୍ଦୁଝର ଜିଲ୍ଲାର ଡାବୁନାଠାରେ ଏସାରର ଏକ ଲୁହାପଥର ବେନିଫିସିଏସନ ପ୍ଲାଣ୍ଟ ଓ ପାରାଦୀପଠାରେ ଏକ ପେଲେଟ ପ୍ଲାଣ୍ଟ ରହିଥିଲା । ଅଧିଗ୍ରହଣ ପରେ ଏସବୁ ପ୍ରକଳ୍ପ ଆର୍ସେଲର ମିତ୍ତଲ ହାତକୁ ଆସିଛି ।

ସେହିପରି ଗତ ଫେବ୍ରୁଆରି ମାସରେ ଅନୁଷ୍ଠିତ ଖଣି ନିଲାମରେ ଆର୍ସେଲର ମିତ୍ତଲ କେନ୍ଦୁଝର ଜିଲ୍ଲାରେ ଥିବା ଠାକୁରାଣୀ ଓ ସାଗାସାହି ଲୁହାପଥର ଖଣିକୁ ହାତେଇଥିଲା । ଠାକୁରାଣୀ ପରି ଏକ ବଡ଼ ଲୁହାପଥର ଖଣି ହାତକୁ ଆସିବା ପରେ ଆର୍ସେଲର-ମିତ୍ତଲର ଲୁହାପଥର ଆବଶ୍ୟକତା ପୂରଣ ହୋଇପାରିବ ।

ସମ୍ବନ୍ଧିତ ଖବର