ରତ୍ନଗିରି: ଯାଜପୁରଜିଲ୍ଲା ବରୀ ବ୍ଲକ୍‌ର ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ଆଜିଠାରୁ ପ୍ରତ୍ନତାତ୍ତ୍ବିକ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ରବିବାର ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ ଅଧୀକ୍ଷକ ଡ.ଦିବିଶଦ ବ୍ରଜସୁନ୍ଦର ଗଡ଼ନାୟକଙ୍କ ଉପସ୍ଥିତିରେ ନୀଳ ମୁଗୁନି ପଥର ପ୍ରବେଶପଥ ସମ୍ମୁଖ ଭାଗରେ ଖନନ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ମାପଚୁପ କରାଯାଇ ୧୦x୧୦ ମିଟର ପରିଧିରେ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଖନନ କାର୍ଯ୍ୟ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

Advertisment

ଆବଶ୍ୟକ ହେଲେ ଏହାର ଅବଧି ବଢ଼ିପାରେ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ପ୍ରସିଦ୍ଧ ବୌଦ୍ଧପୀଠର ଖନନ କାର୍ଯ୍ୟ ୧୯୫୮ ମସିହାରେ ଆରମ୍ଭ ହୋଇ ୧୯୬୨ ମସିହାରେ ଶେଷ ହୋଇଥିଲା। ଖନନ ସମୟରେ ବହୁ ବୌଦ୍ଧସ୍ତୂପ, ଶିଳାଲେଖ, ମୂର୍ତ୍ତି, ମାଟିପାତ୍ର, ଅସ୍ତ୍ର ଆଦି ଆବିଷ୍କୃତ ହୋଇଥିଲା। ସେସବୁକୁ ସଂଗ୍ରହାଳୟରେ ସଂରକ୍ଷିତ ରଖାଯାଇଛି। ଆହୁରି ଅନେକ କୀର୍ତ୍ତିରାଜି ମାଟିତଳେ ପୋତି ହୋଇ ରହିଥିବାର ଐତିହାସିକ ତଥା ବୌଦ୍ଧ ଗବେଷକମାନେ ଅନୁମାନ କରୁଛନ୍ତି। ଏହାର ଖନନ କାର୍ଯ୍ୟ କରିବା ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ବେଳେ ଆଜି ଏଏସ୍‌ଆଇ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି। ଖନନ ସମୟରେ ଏଏସ୍‌ଆଇ ଅଧୀକ୍ଷକ ଡ.ଗଡ଼ନାୟକଙ୍କ ସମେତ ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ସହକାରୀ ଅଧୀକ୍ଷକ ପ୍ରଜ୍ଞା ପ୍ରଧାନ, ସଂରକ୍ଷଣ ସହାୟକ ରୋହିତ କୁମାର, ସୁମନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।