ଭାରତୀହୁଡ଼ା ଉଦ୍ଖନନରେ ଏଏସ୍ଆଇକୁ ସଫଳତା : ବ୍ୟବହାର ହେଉଥିଲା ହାଡ଼ରେ ତିଆରି ଅସ୍ତ୍ର
ପ୍ରାଚୀ କୂଳରୁ ମିଳିଲା ବର୍ଚ୍ଛା ଓ ତୀର
ଓଡ଼ିଶାରେ ଦ୍ୱିତୀୟ ଥର, ପୂର୍ବ ଭାରତରେ ବିରଳ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ୪ ହଜାର ବର୍ଷ ପୂର୍ବେ ପ୍ରାଚୀ ନଦୀକୂଳରେ ଗଢ଼ିଉଠିଥିଲା ଉନ୍ନତ ସଭ୍ୟତା। ନଦୀକୂଳର ଲୋକେ ବସବାସ କରୁଥିଲେ। ସେମାନଙ୍କ ପ୍ରମୁଖ ଜୀବିକା ଥିଲା ଚାଷ। ପଶୁପକ୍ଷୀଙ୍କୁ ଶିକାର ମଧ୍ୟ କରୁଥିଲେ। ଶିକାର ଲାଗି ସେମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ପଥର ବଦଳରେ ପଶୁଙ୍କ ହାଡ଼ରେ ତିଆରି ବର୍ଚ୍ଛା ଓ ତୀର ସେମାନଙ୍କର ପ୍ରମୁଖ ଅସ୍ତ୍ର ଥିଲା। ତାହାକୁ ବ୍ୟବହାର କରି ସେମାନେ ମାଛ ଓ ପକ୍ଷୀ ଶିକାର କରୁଥିଲେ। ଶିକାର କରିବା ପରେ ମାଂସ ପୋଡ଼ି ମାଟିପାତ୍ରରେ ଖାଦ୍ୟ ଗ୍ରହଣ କରୁଥିଲେ। ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ)ର ଉତ୍ଖନନ ଶାଖା-୪ ପକ୍ଷରୁ ନିଆଳିଠାରୁ ୪ କି.ମି. ଦୂରରେ ଅବସ୍ଥିତ ଜଲ୍ଲାରପୁର ଗ୍ରାମ ନିକଟ ଭାରତୀହୁଡ଼ାରେ ଉତ୍ଖନନ ସମୟରେ ଏଭଳି ତଥ୍ୟ ପଦାକୁ ଆସିଛି।
ଉତ୍ଖନନ ଚାଲିବାର ୧୦ ଦିନ ପରେ ସେଠାରୁ ହାଡ଼ରେ ତିଆରି ବର୍ଚ୍ଛା ଓ ତୀର ମିଳିଛି। ଓଡ଼ିଶାରେ ଦ୍ୱିତୀୟ ଥର ଲାଗି ଏଭଳି ଅସ୍ତ୍ରଶସ୍ତ୍ର ମିଳିଛି। ଏହାପୂର୍ବରୁ ୯୦ ଦଶକର ପ୍ରଥମାର୍ଧାରେ ଗୋଳବାଇ ଶାସନଠାରେ ଉତ୍ଖନନ ବେଳେ ହାଡ଼ରେ ପ୍ରସ୍ତୁତ ବର୍ଚ୍ଛା ଓ ତୀର ମିଳିଥିଲା। କିନ୍ତୁ ତାହା ସ୍ପଷ୍ଟ ହୋଇପାରି ନ ଥିଲା। ଏବେ ଭାରତୀହୁଡ଼ାରୁ ହାଡ଼ ତିଆରି ବର୍ଚ୍ଛା ଓ ତୀର ମିଳିବା ପରେ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାରେ ତାମ୍ରସ୍ତର ଯୁଗର ସଭ୍ୟତା ରହିଥିଲା। ସେତେବେଳେ ଲୋକେ ହାଡ଼ରେ ତିଆରି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ପୂର୍ବ ଭାରତରେ ଏହି ପୁରାତନ ଅସ୍ତ୍ରଶସ୍ତ୍ର ମିଳିବା ବିରଳ ଘଟଣା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପୂର୍ବରୁ ଜାମ୍ମୁ କଶ୍ମୀରର ବୁରଜାମଠାରେ ହାଡ଼ରେ ତିଆରି କିଛି ଅସ୍ତ୍ର ମିଳିଥିଲା।
ସବୁଠାରୁ ବଡ଼ କଥା ହେଉଛି ଯେ ଏହି ସ୍ଥାନରେ ଅସ୍ତ୍ରଶସ୍ତ୍ର ତିଆରି ହେଉଥିବା ନେଇ ଅନୁମାନ କରାଯାଇଛି। ଯେଉଁଠାରୁ ପୂର୍ଣ୍ଣାଙ୍ଗ ବର୍ଚ୍ଛା ଓ ତୀର ମିିଳିଛି ତାହା ନିକଟରୁ ଗୋଟିଏ ଅଧା ଗଢ଼ା ବର୍ଚ୍ଛା ମଧ୍ୟ ମିଳିଛି। ଅସ୍ତ୍ରଶସ୍ତ୍ର ବ୍ୟତୀତ ମେଟ୍ ଇମ୍ପ୍ରେସଡ୍ ପ୍ରୋଟେରି, କଳା ଓ ନାଲିର ମାଟିପାତ୍ର, ଚକଲେଟ୍ ସିଲ୍ପିଡ୍, ପଥରର କୁରାଢ଼ୀ, ମାଛ କଣ୍ଟା, ପକ୍ଷୀ ହାଡ଼, କଇଁଛ ହାଡ଼ ପରି ସାମଗ୍ରୀ ଏଠାରୁ ମିଳିଛି।
ଉତ୍ଖନନ ଶାଖାର ମୁଖ୍ୟ ପତ୍ନତତ୍ତ୍ୱବିତ୍ ଡ. ଦିବିଷଦ୍ ଗଡ଼ନାୟକଙ୍କ କହିବାନୁଯାୟୀ, ଏଠାରେ ଗ୍ରାମ୍ୟ ସଂସ୍କୃତି ରହିଥିଲା। ଲୋକେ ଚାଷ ଓ ପଶୁପକ୍ଷୀ ଶିକାର କରି ଜୀବିକା ନିର୍ବାହ କରୁଥିଲେ। ଆଜି ମିଳିଥିବା ତାମ୍ରପ୍ରସ୍ତର ଯୁଗର ସାମଗ୍ରୀ ପ୍ରାଚୀ ନଦୀର ସଭ୍ୟତାର ନୂଆ ଦିଗ ଉନ୍ମୋଚନ କରିପାରିବ ବୋଲି ଆଶା କରାଯାଉଛି। ଏବେ ସୁଦ୍ଧା ମାତ୍ର ଏକ ମିଟର ତଳକୁ ଖୋଳାଯାଇଛି। ଏଭଳି ସମଗ୍ରୀ ମିଳିଥିବାରୁ ଆଗକୁ ଆହୁରି କିଛି ସାମଗ୍ରୀ ମିଳିପାରେ। ଏପ୍ରିଲ ମାସ ପର୍ଯ୍ୟନ୍ତ ଏଠାରେ ଉତ୍ଖନନ ଚାଲିବ ବୋଲି ସେ କହିଛନ୍ତି।
ଉତ୍ଖନନ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ୭୦ ଜଣ ଲୋକଙ୍କ ସମେତ ୨୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ୧୨ ଏକର ପରିମିତ ଏହି ହୁଡ଼ାକୁ ୪ ଭାଗରେ ବିଭକ୍ତ କରାଯାଇ ଖନନ ଚାଲିଛି। ୧୦ ମିଟର ଦୈଘ୍ୟ ଓ ୧୦ ମିଟର ଓସାରର ଖନନ ହେଉଛି।