ଅର୍ଚ୍ଚନା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, ଏମିତି ବିସ୍ତାର ହୋଇଥିଲା କଳା ସାମ୍ରାଜ୍ୟ

ଭୁବନେଶ୍ବର: ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କର ପ୍ରମାଣ ଗଣମାଧ୍ୟମ ଆଗରେ ଧରାପଡ଼ିଛି । ୨୦୧୭ ମସିହାରେ ସିନେ-ପ୍ରଯୋଜକ ପ୍ରମୋଦ ସ୍ବାଇଁ ଖଣ୍ଡଗିରି ଥାନାରେ ଦେଇଥିବା ଏତଲାର କପି ଗଣମାଧ୍ୟମ ହାତରେ ଲାଗିଛି। ଏତଲାରୁ ମିଳିଥିବା ସୂଚନା ଅନୁସାରେ, ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ନାଗ ୨୦୧୬ ମସିହାରେ ଭଡ଼ା ସୂତ୍ର ରହୁଥିଲେ । କିନ୍ତୁ ଠିକ ସମୟରେ ଭଡା ଟଙ୍କା ନ ଦେବାରୁ ଓ ଘର ନଛାଡ଼ିବାରୁ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ଘରମାଲିକ ଶ୍ରୀ ସ୍ବାଇଁ।  ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହିବାକୁ ଆସିଥିଲେ। ପ୍ରମୋଦ ସ୍ୱାଇଁ ପେସାରେ ଜଣେ ପ୍ରଯୋଜକ ସହିତ ଜଣେ ବିଲଡର। ତାଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସହ ଅର୍ଥ  କାରବାର ହୋଇଥିବା ଇଡି ସୁରାକ ପାଇଛି। କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାର ଖିଅ ଖୋଜୁଛି।

ଇଡି ସନ୍ଦେହ କରୁଛି ଯେ, ଫିଲ୍ମ  ପ୍ରଯୋଜକ ପ୍ରମୋଦ ସ୍ୱାଇଁ ପ୍ରଥମେ ଅର୍ଚ୍ଚନା ନାଗଙ୍କ ଶିକାର ହୋଇଥାଇପାରନ୍ତି। କାରଣ ଅର୍ଚ୍ଚନା ନାଗ ୨୦୧୬ରେ ପ୍ରମୋଦ ସ୍ୱାଇଁଙ୍କ ଘରେ ରହୁଥିଲେ। ହୁଏତ ଉଭୟଙ୍କ ମଧ୍ୟରେ  ସମ୍ପର୍କ ଗଢ଼ିଉଠିଥିଲା। କାଇଦା କରି ଅର୍ଚ୍ଚନା ନାଗ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ। ଏହା ଆଧାରରେ ଅର୍ଚ୍ଚନା  ମହିଳା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କୁହାଯାଉଥିଲା ଯେ, ଅର୍ଚ୍ଚନା କୁଆଡେ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ସେ ୮ ଲକ୍ଷ ଟଙ୍କା ନେଇଯିବା ପରେ ଚୁପ୍ ହୋଇଯାଇଥିଲେ। ମାତ୍ର କିଛି ଦିନର ନୀରବତା ପରେ ପୁଣି ଅର୍ଥ ମାଗିଥିଲେ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପଟରେ ୨୦୧୮ ମସିହାରେ ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ଦେଖାସାକ୍ଷାତ ହୋଇଥିଲେ। ଉଭୟ ଯୁବତୀ ଗୋଟିଏ କୋଠାରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଅନେକ ବଡ଼ବଡିଆ ଅର୍ଚ୍ଚନାଙ୍କ ଘରକୁ ଆସିଥିବା ଶ୍ରଦ୍ଧାଞ୍ଜଳି ଜାଣିବାକୁ ପାଇଥିଲେ। ସୂତ୍ର ଅନୁସାରେ, ଅର୍ଚ୍ଚନା ୨୦୧୯ ମସିହାରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରବର୍ତ୍ତାଇଥିଲେ। ଏହା ମଧ୍ୟ ସୂତ୍ରରୁ ଜାଣିବାକୁ ମିଳିଛି କି ପ୍ରମୋଦ ସ୍ୱାଇଁଙ୍କ ଘର ଛାତ ଉପରେ ଏକ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ଭୋଜିରେ ଅର୍ଚ୍ଚନା ଓ ତାଙ୍କ ସମ୍ପର୍କୀୟ ଭାଇ ଶ୍ରଦ୍ଧାଞ୍ଜଳିଙ୍କୁ ନିମନ୍ତ୍ରଣ କରିଥିଲେ। ଖାଦ୍ୟରେ ନିଶା ଦେଇ ଶ୍ରଦ୍ଧାଞ୍ଜଳିକୁ ଖାଇବାକୁ ଦିଆଯାଇଥିଲା। ନିଶାଯୁକ୍ତ ଖାଦ୍ୟ ଖାଇବା କାରଣରୁ ଶ୍ରଦ୍ଧାଞ୍ଜଳି ଚେତାଶୂନ୍ୟ ହୋଇଥିଲେ। କିନ୍ତୁ ଚେତା ଫେରିବା ପରେ ନିଜକୁ ଉଲଗ୍ନ ଅବସ୍ଥାରେ ପାଇଥିଲେ ଓ ପରେ ଜାଣିବାକୁ ପାଇଥିଲେ ଯେ ଅର୍ଚ୍ଚନା ଓ ଜଗବନ୍ଧୁ ଫଟୋ ଓ ଭିଡିଓ ଉଠାଇଛନ୍ତି। ଏହାପରେ ସେ ଅର୍ଚ୍ଚନାର ନାଗଫାସରେ ବାନ୍ଧିହେବାକୁ ବାଧ୍ୟ ହୋଇଥିଲେ।

ତେବେ କୋଭିଡ-୧୯ ପାଇଁ ସମଗ୍ର ବିଶ୍ବ ସମେତ ଓଡ଼ିଶା ସ୍ତବ୍ଧ ପାଲଟିଯାଇଥିବା ବେଳେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ବ୍ଲାକମେଲ କାରବାର ଆରମ୍ଭ କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ବ୍ୟତୀତ ସାଧାରଣ ଲୋକଙ୍କ ଚଳପ୍ରଚଳ ନ ଥିବାରୁ ଅର୍ଚ୍ଚନାଙ୍କ ବ୍ୟବସାୟ ଜମିବାରେ ଲାଗିଲା। ଲକ୍‌ଡାଉନ୍ ସମୟରେ ବ୍ଲାକମେଲିଂର ଧାରା ଆରମ୍ଭ ହୋଇଥିଲା। ଅର୍ଚ୍ଚନା ନାଗ ଏହି ସମୟରେ ଶ୍ରଦ୍ଧାଞ୍ଜଳିଙ୍କ ମାଧ୍ୟମରେ ନୟାଗଡ଼ର ଜଣେ ବ୍ୟବସାୟୀଙ୍କୁ ଫସାଇଥିଲେ । ବ୍ଲାକମେଲ ଟଙ୍କାରୁ ଶ୍ରଦ୍ଧାଞ୍ଜଳିଙ୍କୁ ୫୦ ହଜାର ଦେଇଥିଲେ। ଅଧିକ ଟଙ୍କା ମାଗିବାରୁ ଶ୍ରଦ୍ଧାଞ୍ଜଳିଙ୍କୁ ବି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର