ଅନୁଗୁଳ: ଅର୍ଚ୍ଚନା ନାଗ ଭୁବନେଶ୍ବରରେ ରହୁଥିଲେ ମଧ୍ୟ ଅନୁଗୁଳରୁ ଗାଡ଼ି କିଣିଲେ କ’ଣ ପାଇଁ ? ଗାଡ଼ି ନିଜ ଟଙ୍କାରେ କିଣିଲେ, ନା’ ଉପହାର ଆକାରରେ କିଏ ଦେଇଥିଲେ ? ଆଉ କିଏ କ’ଣ ପାଇଁ ଏତେ ଦାମୀ ଗାଡ଼ିକୁ ଅର୍ଚ୍ଚନାଙ୍କ ଉପହାର ଦେଇଥିଲେ ? ଏମିତି ହଜାରେ ପ୍ରଶ୍ନ ଏବେ ଅନୁଗୁଳ ଜିଲ୍ଲାର ରାଜନୀତିକୁ ଗୋଳିଆ କଲାଣି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲେଡି ବ୍ଲାକମେଲ୍ର ଅର୍ଚ୍ଚନା ନାଗଙ୍କ ସହ ଅନୁଗୁଳ ଜିଲ୍ଲାର ଏକାଧିକ ରାଜନେତା ଓ ବ୍ୟବସାୟୀଙ୍କ ସିଧାସଳଖ ସଂପର୍କ ରହିଥିଲା। ଏଥିରେ କୋଇଲା ମାଫିଆ, ବାଲି ବ୍ୟବସାୟୀ ଓ ବିଲଡର୍ଙ୍କ ନାଁ ମଧ୍ୟ ରହିଛି। ଏପରିକି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ଦୁଇଜଣ ବିଧାୟକଙ୍କ ନାଁ ଏହି ତାଲିକାରେ ଥିବା ନେଇ ଚର୍ଚ୍ଚା ହେଉଛି।
ଅର୍ଚ୍ଚନା ନାଗ୍ ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଜ ମାୟାଜାଲରେ ଫସାଇ ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇ ଚାଲିଥିଲେ। ପ୍ରଥମେ ଯୌନ ସଂପର୍କ ରଖି ପରେ ବ୍ଲାକ୍ମେଲ କରି ବିପୁଳ କଳା ଟଙ୍କା ରୋଜଗାର କରୁଥିଲେ। ଆଉ ଏଥିପାଇଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ରାଜନେତାଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିଲେ। ଏଥିରେ ଅନୁଗୁଳର କିଛି ନେତା ଓ ବ୍ୟବସାୟୀ ଥିବା ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚାକୁ ବଳ ଦେଇଛି ସେ ଚଢ଼ୁଥିବା ଏକ ଟୟୋଟା ଫର୍ଚ୍ୟୁନର(ଓଡ଼ି-୧୯-କେ-୨୩୨୪) ଗାଡ଼ି। ଅନୁଗୁଳର ଗାଡ଼ି ସେ ଚଢ଼ୁଥିବାରୁ ସ୍ବାଭାବିକ ଭାବେ ତାଙ୍କର ଏଠାରେ ନିହାତି ସଂପର୍କ ଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଏହି ଗାଡ଼ିଟି ଆରମ୍ଭରୁ ଅର୍ଚ୍ଚନା କିଣି ନ ଥିଲେ। ଏକ ବିଲ୍ଡର୍ସ କମ୍ପାନିର ଜଣେ ନିର୍ଦ୍ଦେଶକ ଏହି ଗାଡ଼ିକୁ ୨୦୧୭ ମସିହା ଏପ୍ରିଲ ୧୮ ତାରିଖରେ କିଣିଥିଲେ। କିନ୍ତୁ ପରେ ଏହି ଗାଡ଼ିକୁ ୨୦୧୯ ଜୁଲାଇରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଆଉ ଏହାକୁ କିଣିଥିଲେ ଅର୍ଚ୍ଚନା ନାଗ। ଗାଡ଼ିକୁ ସେ ପାଖାପାଖି ୨ ବର୍ଷ ବ୍ୟବହାର କରିବା ପରେ ୨୦୨୧ ଏପ୍ରିଲ୍ରେ ବିକ୍ରି କରି ଦେଇଛନ୍ତି। ପୁରୀର ଜଣେ ବ୍ୟବସାୟୀଙ୍କ ପାଖରେ ଏବେ ଏହି ଗାଡ଼ି ରହିଛି।
ଅର୍ଚ୍ଚନା ଏହି ଗାଡ଼ି କିଣିବା ସମୟରେ ତାଙ୍କ ଠିକଣା କଳାହାଣ୍ଡି ବୋଲି ଲେଖିଛନ୍ତି। ଶତ୍ରୁଘ୍ନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମାର୍ଫତରେ ଏହି ଗାଡ଼ି କିଣା ହୋଇଛି। ତେବେ ସେ ଗାଡ଼ିଟି କିଣିଛନ୍ତି ନା’ ତାଙ୍କ ପାଇଁ ଆଉ କେହି କିଣି ଦେଇଛନ୍ତି ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଚ୍ଚନାଙ୍କ ଘର କଳାହାଣ୍ଡିରେ ହୋଇଥିଲାବେଳେ ସେ ବିବାହ କରିଛନ୍ତି ବାଲେଶ୍ବର ଜିଲ୍ଲାରେ। ରହୁଥିଲେ ଭୁବନେଶ୍ବରରେ। ତଥାପି ଅନୁଗୁଳକୁ ଆସି କାହିଁକି ଗାଡ଼ି କିଣିଲେ? ଭୁବନେଶ୍ବରରେ କ’ଣ ଏହି ଗାଡ଼ି ମିଳୁ ନଥିଲା ? ତା’କୁ ନେଇ ମଧ୍ୟ ନାନା ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ଅର୍ଚ୍ଚନା ଲିଙ୍କ୍ରେ ଥିବା ଜଣେ ବ୍ୟକ୍ତି ଏହି ଗାଡ଼ିକୁ ତାଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ତେବେ ସେ ନେତା ନା’ ବ୍ୟବସାୟୀ ? ଗାଡ଼ିର ପ୍ରଥମ ମାଲିକ ଏକ ବିଲଡର୍ସ କଂପାନିର ନିର୍ଦ୍ଦେଶକ ହୋଇଥିଲାବେଳେ ଏହି କଂପାନିରେ ଅନୁଗୁଳର କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି। ତେଣୁ ଅର୍ଚ୍ଚନାଙ୍କୁ ଏହି ଗାଡ଼ି ଉପହାର ସୂତ୍ରରେ ମିଳିଥିବା ନେଇ ସନ୍ଦେହ କରାଯାଉଛି।
ଅନ୍ୟ ଏକ ସୂତ୍ର ଅନୁସାରେ, ଅର୍ଚ୍ଚନାଙ୍କ ପାଖରେ ଟଙ୍କାର ଅଭାବ ନ ଥିଲା। ତେଣୁ ସେ ସେକେଣ୍ଡ ହ୍ୟାଣ୍ଡ କିଣିବା ଘଟଣାକୁ ସାଧାରଣଲୋକେ ବିଶ୍ବାସ କରୁନାହାନ୍ତି। ବରଂ, ନିଶ୍ଚିତ ଉପହାର ଭାବେ ତାଙ୍କୁ ଏହି ଗାଡ଼ି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ଦେଇଛନ୍ତି ବୋଲି ଆଲୋଚନା ହେଉଛି। ପୁଲିସ ତଦନ୍ତ କଲେ ଏହି ବ୍ୟକ୍ତିଙ୍କ ଠିକଣା ମିଳିପାରିବ। ଅପରପକ୍ଷରେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ରାଜନୀତି ସରଗରମ ହୋଇ ଯାଇଛି। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଏକାଧିକ ବିଧାୟକଙ୍କର ଅର୍ଚ୍ଚନା ସହ ଲିଙ୍କ୍ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପଟେ ଅନ୍ୟ ପ୍ରମୁଖ ରାଜନୈତିକ ଦଳର କିଛି ନେତା ବି ଅର୍ଚ୍ଚନାଙ୍କ ମାୟା ଜାଲରେ ଫସିଛନ୍ତି। ଅବିଭକ୍ତ ଢେଙ୍କାନାଳର କିଛି ମାଫିଆ, ବିଲଡର୍ସ ଓ ବ୍ୟବସାୟୀ ମଧ୍ୟ ମଉଜମସ୍ତି କରି ଅର୍ଚ୍ଚନାଙ୍କ ପଛରେ ବିପୁଳ ଟଙ୍କା ଉଡ଼ାଇଛନ୍ତି। ଏହି ସବୁ ନେତା ଓ ବ୍ୟବସାୟୀ ଏବେ ପୁଲିସ୍ ସ୍କାନର୍ରେ ରହିଥିବାବେଳେ ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି।