ଭୁବନେଶ୍ବର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ଆଜି ଇଡି ବଡ଼ବଡ଼ିଆଙ୍କୁ ଜେରା ଆରମ୍ଭ କରିଛି। ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ହୋଟେଲ ବ୍ୟବସାୟୀ ତଥା ଏକେ ଦାସ ଆସୋସିଏଟ୍ସର ପରିଚାଳନା ନିର୍ଦ୍ଦେଶକ ଅମିୟକାନ୍ତ ଦାସ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ୫ ଜଣ ଇଡି କାର୍ଯ୍ୟାଳୟକୁ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି। ଅମିୟକାନ୍ତଙ୍କୁ ଅର୍ଚ୍ଚନାଙ୍କ ସହିତ ହୋଇଥିବା ବ୍ୟାଙ୍କ କାରବାର ନେଇ ପଚରାଉଚରା କରାଯାଇଥିବାବେଳେ ଅକ୍ଷୟଙ୍କୁ ଖଗେଶ୍ବରଙ୍କ ପାତ୍ରଙ୍କ ସହିତ ମୁହାଁମୁହିଁ ଜେରା କରାଯାଇଥିଲା। ଦୁହିଁଙ୍କୁ ଇଡି ଦୀର୍ଘସମୟ ପର୍ଯ୍ୟନ୍ତ ଜେରା କରିଥିଲା। ଆସନ୍ତାକାଲି ଅର୍ଚ୍ଚନା ନାଗ ମାମଲାର ମୁଖ୍ୟ ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଇଡି କାର୍ଯ୍ୟାଳୟରେ ହାଜର ହେବେ। ଅର୍ଚ୍ଚନା ସେକ୍ସଟର୍ସନ ପାଇଁ ତାଙ୍କୁ କେମିତି ବ୍ୟବହାର କରୁଥିଲା, ସେ ନେଇ ପଚରାଉଚରା କରାଯିବ। ତାଙ୍କୁ ମଧ୍ୟ ଖଗେଶ୍ବର ସହିତ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି।
ଆଜି ଦିନ ପ୍ରାୟ ୯ଟା ବେଳେ ଅମିୟକାନ୍ତ ଇଡି କାର୍ଯ୍ୟାଳୟକୁ ଆସିଥିଲେ। ଅମିୟକାନ୍ତ ୨୦୨୧ ଫେବ୍ରୁଆରିରୁ ୨୦୨୨ ଏପ୍ରିଲ ମଧ୍ୟରେ ୧୧ ଲକ୍ଷ ଟଙ୍କା ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି ବୋଲି ତାଙ୍କ ନାମରେ ଅଭିଯୋଗ ରହିଛି। କେଉଁଥିପାଇଁ ସେ ଏତେ ଟଙ୍କା ପଠାଇଥିଲେ, ସେ ନେଇ ଇଡି ଅଧିକାରୀମାନେ ଅମିୟକାନ୍ତଙ୍କଠାରୁ ଜାଣିବାକୁ ଚାହିଁଥିଲେ। ଅମିୟକାନ୍ତ ସେକ୍ସଟର୍ସନର ଶିକାର ହୋଇନଥିବା କହିଥିଲେ। ଜଗବନ୍ଧୁଙ୍କୁ ଦେହ ଖରାପ ଅଛି କହି ଅର୍ଚ୍ଚନା ତାଙ୍କୁ ଟଙ୍କା ମାଗିଥିବା ଶ୍ରୀ ଦାସ କହିଥିଲେ। ଯେହେତୁ ବିଭିନ୍ନ ସମୟରେ ଅମିୟକାନ୍ତ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଥା’ନ୍ତି, ତେଣୁ ସେ ଅର୍ଚ୍ଚନାଙ୍କୁ ୭ ଲକ୍ଷ ଟଙ୍କା ଦେଇଥିଲେ। ୧୧ ଲକ୍ଷ ଟଙ୍କା ଦେବା କଥା ମିଛ ବୋଲି ସେ ଇଡିକୁ କହିଛନ୍ତି। କିନ୍ତୁ ଇଡିର ଅଧିକାରୀମାନେ ଏହାକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି। ଜଣେ ଦାନସୂତ୍ରରେ ଏତେ ଗୁଡ଼ିଏ ଟଙ୍କା କିପରି ଦେଲେ ବୋଲି ଇଡି ଅଧିକ ଅନୁସନ୍ଧାନ ଚଳାଇଛି। ସେହିପରି ଅମିୟକାନ୍ତଙ୍କ ବ୍ୟବସାୟ ସମ୍ପର୍କରେ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି। ଅମିୟକାନ୍ତ ପୁଣିଥରେ ଇଡି କାର୍ଯ୍ୟାଳୟକୁ ଆସି ତାଙ୍କ ବ୍ୟବସାୟ ସମ୍ପର୍କିତ ସମସ୍ତ କାଗଜପତ୍ର ଦେବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଅମିୟକାନ୍ତଙ୍କର ପାରାଦୀପ ଓ ପୁରୀରେ ସି-ପର୍ଲ ହୋଟେଲ ରହିଛି। ଭୁବନେଶ୍ବରରେ ତାଙ୍କର ସହିଦନଗର ମହର୍ଷି କଲେଜ ରୋଡ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ହୋଟେଲ ନିର୍ମାଣ କାମ ଚାଲିଛି। ତାଙ୍କର ନାମ୍ବିଆ ସମେତ ଏକାଧିକ ଦେଶରେ ରିଅଲ ଇଷ୍ଟେଟ ବ୍ୟବସାୟ ରହିଛି। ତାଙ୍କର ଅନେକ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହିତ ସୁ-ସମ୍ପର୍କ ରହିଛି। ମଧ୍ୟପ୍ରଦେଶ ଓ ଗୁଜୁରାଟରେ ତାଙ୍କ ଓୟାରଲେସ୍ କେବଲିଂ ବ୍ୟବସାୟ ଚାଲିଛି। ୨୦୧୩ ମସିହାରେ ଓପିଏଲ ଭୁବନେଶ୍ବର ଟିମ୍ ତାଙ୍କ ମାଲିକାନାରେ ଆରମ୍ଭ ହେବାକୁ ଯାଉଥିଲା। ସେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହିତ ସଂପୃ୍କ୍ତ ରହି ସମାଜସେବା ମଧ୍ୟ କରିଥାନ୍ତି।
ଅନ୍ୟପକ୍ଷରେ, ଦିନ ପ୍ରାୟ ୨ଟାବେଳେ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା। ଇଡିର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଜେରା କରିଥିଲେ। ବ୍ଲାକମେଲ୍, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଦୁଇଦିନ ତଳେ ଇଡି ତାଙ୍କୁ ପଚରାଉଚରା କରିବାକୁ ଡାକିଥିଲା। କିନ୍ତୁ, ସେ ଅସୁସ୍ଥତା କାରଣରୁ ଆସି ପାରି ନ ଥିଲେ। ଆଜି ଆଇନଜୀବୀ ଆକାଶ ଭୂୟାଁଙ୍କ ସହିତ ଅକ୍ଷୟ ହାଜର ହୋଇଥିଲେ। ବ୍ଲାକମେଲ୍ କରି ଅର୍ଚ୍ଚନା ଅକ୍ଷୟଙ୍କଠାରୁ କେତେ ଟଙ୍କା ନେଇଛି? କେବେଠାରୁ ଅର୍ଚ୍ଚନାଙ୍କ ସହିତ ତାଙ୍କ ପରିଚୟ ହୋଇଥିଲା? କେବେଠାରୁ ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ୍ କଲେଣି? ଏହିସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଇଡି ଅଧିକାରୀମାନେ ତାଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲେ। ଉତ୍ତର ଦେବାବେଳେ ଅକ୍ଷୟ ହଡ଼ବଡ଼େଇ ଯାଇଥିଲେ। ସେହିପରି ଅର୍ଚ୍ଚନା ୩ କୋଟି ମାଗିବା ପୂର୍ବରୁ ଅକ୍ଷୟ ତାଙ୍କୁ ୩୦ ଲକ୍ଷ ଟଙ୍କା ଦେଇ ସାରିଥିଲେ। ତେଣୁ ସେହି ଟଙ୍କାର ମଧ୍ୟ ହିସାବ ମାଗିଛି ଇଡି। ଅକ୍ଷୟଙ୍କ ଭଳି ଆଉ କେଉଁମାନେ ଅର୍ଚ୍ଚନାଙ୍କ ହନିଟ୍ରାପର ଶିକାର ହୋଇଛନ୍ତି, ସେ ସମ୍ପର୍କରେ ମଧ୍ୟ ଇଡିକୁ ତଥ୍ୟ ଦେଇଛନ୍ତି ଅକ୍ଷୟ।
ଏହାର କିଛିସମୟ ପରେ ଅକ୍ଷୟଙ୍କୁ ଖଗେଶ୍ବରଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା। ଅକ୍ଷୟ ଇଡି କାର୍ଯ୍ୟାଳୟରୁ ବାହାରି ଗଣମାଧ୍ୟମକୁ କହିଛନ୍ତି, ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବି। ମାମଲାର ଉଚିତ ତଦନ୍ତ ହେବା ଆବଶ୍ୟକ। ଏଠାରେ ପ୍ରକାଶଥାଉକି, ବ୍ଲାକ୍ମେଲ କରି ତାଙ୍କୁ ୩ କୋଟି ମଗାଯାଇଥିବା ନେଇ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ। ଅନ୍ୟପକ୍ଷରେ, ଶ୍ରଦ୍ଧାଞ୍ଜଳିଙ୍କ ବାଙ୍କୀ ଘରକୁ ଯାଇ ଇଡି ଅଧିକାରୀମାନେ ପଚରାଉଚରା କରି ସାରିଛନ୍ତି। ତେବେ ସେ ମଙ୍ଗଳବାର ଇଡି କାର୍ଯ୍ୟାଳୟକୁ ଆସି ସବିଶେଷ ତଥ୍ୟ ଦେବେ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି। ସେହିପରି ଆଜି ଇଡି କାର୍ଯ୍ୟାଳୟକୁ ଆହୁରି ୩ ଜଣ ସେମାନଙ୍କ ଆଇନଜୀବୀଙ୍କ ସହିତ ଆସିଥିଲେ। କିନ୍ତୁ ସେମାନେ ମୁହଁରେ ମାସ୍କ ପିନ୍ଧି ଥିବାରୁ ଚିହ୍ନଟ ହୋଇ ପାରି ନ ଥିଲେ।