ବିସ୍ଫୋରକ ବୟାନ ଦେଲେ ଅର୍ଚ୍ଚନା

୬୦ ଘଣ୍ଟା କାଳ ନଜରବନ୍ଦୀ ରଖାଯାଇଥିଲା, ମୋତେ ପୁଲିସ କଥା କୁହାଇ ଦେଉନାହିଁ

ଭୁବନେଶ୍ବର : ସେ‌କ୍ସୋର୍ଟସନ୍ ମାମଲାରେ ସୋମବାର ଦିନ ଅର୍ଚ୍ଚନା ନାଗ ଭୁବନେଶ୍ବର କୋର୍ଟରେ ହାଜର ହେଲାବେଳେ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ତଥ୍ୟ ରଖିଥିଲେ। ନାଗଙ୍କ ଅଭିଯୋଗ କମିସନରେଟ୍ ପୁଲିସର ମୁଣ୍ଡ ଗୋଳମାଳ କରିଦେଇଛି। ଏଥିସହିତ ପୁଲିସ ତଦନ୍ତର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଚିହ୍ନ ଆଙ୍କିଲାଣି। ଆଜି ଅର୍ଚ୍ଚନା ସିଧା ଡିସିପି ପ୍ରତୀକ ସିଂହଙ୍କ ନାଁ ଧରି କହିଲେ, କାହିଁକି ସେ ମୋତେ ଓ ମୋର ପରିବାରକୁ ୬୦ ଘଣ୍ଟା କାଳ ବାଲିଅନ୍ତା ଥାନା ପରିସର ଭିତରେ ନଜରବନ୍ଦୀ କରି ରଖିଥିଲେ? ବାଲିଅନ୍ତା ଥାନାର ଅକ୍ଟୋବର ମାସ ୪ ତାରିଖ ସିସିଟିଭି ଗାଏବ କଲା କିଏ? ମୋତେ କୋର୍ଟ ଚାଲାଣ ବେଳେ ପୁଲିସ କାହିଁକି ମୋ ହାତ, ମୁହଁକୁ ଚାପି ଧରୁଛନ୍ତି? ଏ ଯାହା ସବୁ ଘଟୁଛି ସବୁ ସ୍କ୍ରିପଟେଡ୍, ସ୍କ୍ରିପ୍ଟ୍ ଅନୁଯାୟୀ ମୋତେ ନଚା ଯାଉଛି। ସବୁ ପ୍ରି-ପ୍ଲାନିଂ। ନ୍ୟୁଜ୍ ମଧ୍ୟ ଏକପାଖିଆ। କୁଆଡେ ଗଲେ ଆପଣମାନଙ୍କର ସୋ କଲଡ୍ ଆକ୍ୟୁଜ୍‌ଡ ଶ୍ରଦ୍ଧାଞ୍ଜଳି? ସେ କାହିଁକି ଆପଣମାନଙ୍କ ସାମ୍ନାକୁ ଆସୁ ନାହାନ୍ତି? ତାକୁ ଏ ଯାଏ କାହିଁକି ଗିରଫ କରାଯାଉ ନାହିଁ? ସତ ଜାଣିବାକୁ ଯଦି ସମସ୍ତେ ଚାହୁଁଛନ୍ତି ତେବେ ଘଟଣାର ସିବିଆଇ ତଦନ୍ତ କରାଯାଉ।

ଅର୍ଚ୍ଚନାଙ୍କ ଏଇ କେତେ ପଦ କଥା ଏବେ ସାରା ରାଜ୍ୟରେ ଝଡ଼ ସୃଷ୍ଟି କରିଛି। ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି। ଯେଉଁ ପ୍ରସଙ୍ଗଟି ବେଶୀ ଚର୍ଚ୍ଚା ହେଉଛି, ତାହା ହେଲା- ଅର୍ଚ୍ଚନା କେଉଁ ଆଡ଼େ ଇସାରା କରି ଆଜି ଏଭଳି ବିସ୍ଫୋରକ ବୟାନ ଦେଲେ? ବାସ୍ତବରେ ସେ ଚାପଗ୍ରସ୍ତ କି? କିଏ କେଉଁଠି ତାଙ୍କ ଉପରେ ଚାପ ପକାଇଲା? କାହାକୁ ସୁରକ୍ଷା ଦେବା ପାଇଁ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି? ଏସବୁ ପ୍ରଶ୍ନ ଉପରୁ ପରଦା ହଟିପାରିନଥିଲେ ହେଁ ସେ ଅନେକ କଥା କହିବାକୁ ଚାହୁଁଛନ୍ତି, ଏକଥା ସ୍ପଷ୍ଟ ହୋଇଛି। କିନ୍ତୁ ସୁରକ୍ଷା କର୍ମୀମାନେ ତାଙ୍କୁ ଠେଲାପେଲା କରି ନେଇ ଯାଇଥିଲେ। ଏବେ ଆଶା କରାଯାଉଛି, ଅର୍ଚ୍ଚନା ଇଡି ଅଧିକାରୀଙ୍କୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇପାରନ୍ତି। ଇଡ଼ିର ଅଧିକାରୀମାନେ ମଧ୍ୟ ଆଶା କରିଛନ୍ତି, ଅର୍ଚ୍ଚନା ଥରୁଟିଏ ରିମାଣ୍ଡରେ ଆସିଗଲେ ତାଙ୍କ ହାତରେ ଅନେକ ତଥ୍ୟ ଲାଗିବ। ଯାହାକୁ ଆଧାର କରି ସେ ତଦନ୍ତକୁ ଆଗେଇ ନେବେ।

ଅଚ୍ଚର୍ନାଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ: ଡିସିପି
ବିଚାରପତିଙ୍କ ଆଗରେ କାନ୍ଦିଲେ ଅର୍ଚ୍ଚନା
୧୫ ଦିନ ରିମାଣ୍ଡ ମାଗିଲା ଇଡି, ୭ ଦିନ ଅନୁମତି

ଅନ୍ୟପକ୍ଷରେ ସେ‌କ୍ସୋର୍ଟସନ୍ ମାମଲାର ଅଧିକ ତଦନ୍ତ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଭୁବନେଶ୍ବର ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା। ସୋମବାର ଦିନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନା ଝାରପଡ଼ା ଜେଲରୁ ବାହାରି ଭୁବନେଶ୍ବର କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ। କୋର୍ଟ ଭ୍ୟାନରୁ ଓହ୍ଲାଉ ଓହ୍ଲାଉ ସେ ପ୍ରଥମେ ସାମ୍ବାଦିକମାନଙ୍କ ଉପରେ ଚିଡ଼୍ ଚିଡ୍ ହୋଇଥିଲେ। ଇଡି ମାମଲା ନେଇ କ’ଣ ସେ କହିବାକୁ ଚାହାନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ଏହାର କୌଣସି ଉତ୍ତର ରଖି ନ ଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବାବଦ ପ୍ରଶ୍ନରେ ସେ କହିଥିଲେ, ମୁଁ ତାଙ୍କଠାରୁ ଟଙ୍କାଟିଏ ମଧ୍ୟ ନେଇ ନାହିଁ। ଏହାରି ମଧ୍ୟରେ ଠେଲାପେଲା ଭିତରେ ପୁଲିସ ତାଙ୍କୁ କୋର୍ଟ ଭିତରକୁ ନେଇ ଯାଇଥିଲେ। ସେଠାରୁ ସିଧା ତାଙ୍କୁ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ବିଚାରପତିଙ୍କ ସମ୍ମୁଖରେ ପହଞ୍ଚୁ ପହଞ୍ଚୁ ..ସାର୍ ସାର୍ କହି..ଭୋ-ଭୋ ହୋଇ କାନ୍ଦି ପକାଇଥିଲେ ଅର୍ଚ୍ଚନା।

ଏହା ପରେ ତାଙ୍କୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ପରେ ସେ କୋର୍ଟରୁ ବାହାରିବା ବେଳେ ଗଣମାଧ୍ୟମକୁ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ଦେଇ ଚାଲିଥିଲେ। କହିଥିଲେ, ଅକ୍ଟୋବର ମାସ ୪ ତାରିଖରେ ମୋତେ ଓ ମୋ ପରିବାରକୁ ଡିସିପି ଗିରଫ କରି କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇଗଲେ। ପରେ ମୁଁ ଜାଣିଲି ଏହା ବାଲିଅନ୍ତା ଥାନା ବୋଲି। ସେଠାରେ ମୋତେ ୬୦ ଘଣ୍ଟା କାଳ ଡିସିପି ନଜରବନ୍ଦୀ କରି ରଖିଥିଲେ। କିନ୍ତୁ ବାଲିଅନ୍ତା ଥାନାର ସିସିଟିଭି ଗାଏବ ହୋଇ ଯାଇଛି। ତାକୁ କିଏ ଗାଏବ କଲା? ସବୁ ଯୋଜନାବଦ୍ଧ। ମୋତେ ପୁଲିସ କଥା କୁହାଇ ଦେଉ ନାହିଁ। ମୋ ମୁହଁ ହାତକୁ ପୁଲିସ ଚାପି ରଖୁଛି। ଅର୍ଚ୍ଚନା କହିଛନ୍ତି, ଶ୍ରଦ୍ଧାଞ୍ଜଳିଙ୍କୁ ତୁରନ୍ତ ଗିରଫ ମଧ୍ୟ କରାଯାଉ। ସତ ଜାଣିବାକୁ ହେଲେ ଏହାର ସିବିଆଇ ତଦନ୍ତ ହେଉ। ଏଭଳି କେତେକ କଥା କହି ଅର୍ଚ୍ଚନା କୋର୍ଟ ଭ୍ୟାନରେ ବସି ଚାଲି ଯାଇଥିଲେ।

ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ୧୫ ଦିନ ଲାଗି ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବଦେନ କରାଯାଇଥିଲା। କିନ୍ତୁ କୋର୍ଟ ପକ୍ଷରୁ ତାଙ୍କୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ଅର୍ଚ୍ଚନାଙ୍କ ଆଇନଜୀବୀ ଦେବ ମହାପାତ୍ର କହିଛନ୍ତି। ତେଣୁ ମଙ୍ଗଳବାରଠାରୁ ଇଡି ହେପାଜତକୁ ଚାଲି ଯିବେ ଅର୍ଚ୍ଚନା। ସେହିପରି ଆସନ୍ତା ୭ ତାରିଖରେ ଜଗବନ୍ଧୁଙ୍କ ରିମାଣ୍ଡ ଆବେଦନର ଶୁଣାଣି ହେବା ନେଇ ସୂଚନା ମିଳିଛି।

ଅନ୍ୟପକ୍ଷରେ ଡିସିପି ପ୍ରତୀକ ସିଂହ କହିଛନ୍ତି, ଅର୍ଚ୍ଚନା ନାଗଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ। ତାଙ୍କ କଥାରେ ମଧ୍ୟ କୌଣସି ପ୍ରମାଣ ନାହିଁ। ଆମେ ତାଙ୍କୁ ନଜରବନ୍ଦୀ କରି ରଖି ନାହୁଁ। ଯଦି ତାଙ୍କ ବିରୋଧରେ ଅଭିଯୋଗ ଆସୁଥିବା ମିଛ, ତେବେ ଦୁଇ ଦୁଇଟି ତଦନ୍ତକାରୀ ସଂସ୍ଥା କାହିଁକି ତଦନ୍ତ କରୁଛନ୍ତି। ଇଡି ଏକ କେନ୍ଦ୍ର ସରକାରଙ୍କ ସଂସ୍ଥା। ଅଭିଯୋଗର ସତ୍ୟତା ନ ଥିଲେ, ସେମାନେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ କାହିଁକି ନେଉଛନ୍ତି ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର