ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କଡ଼ା ସୁରକ୍ଷା ଭିତରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ଅଣାଯାଇଛି। ତାଙ୍କୁ ସେଠାରେ ଜେରା କରୁଛନ୍ତି ଇଡି ଅଧିକାରୀ। ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ନେବାକୁ ଝାରପଡ଼ା ଜେଲ୍ରେ ସକାଳେ ପହଞ୍ଚିଥିଲେ ଇଡି ଅଧିକାରୀ। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ତାଙ୍କୁ ଝାରପଡ଼ା ଜେଲରୁ ଆଣିଥିଲା ଇଡି। ତାପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ, ମୋତେ ୩୦ ମିନିଟ୍ ଦରକାର, ମୋତେ ଫସାଇ ଦେଇଛନ୍ତି, ତଥ୍ୟ ପ୍ରମାଣ ସହ ସବୁ ଦେବି। ସେ ଆହୁରି କହିଛନ୍ତି, ଇଡି ଉପରେ ମୋର ବିଶ୍ୱାସ ଅଛି। ମୁଁ ତ ଇଡିକୁ ଅପେକ୍ଷା କରିଥିଲି। ତଦନ୍ତରେ ନିଶ୍ଚୟ ସହଯୋଗ କରିବି । ମୁଁ ଜାଣିପାରୁନି କିଏ ମୋତେ ଫସାଇଛନ୍ତି। ମୋର ପାଟିବନ୍ଦ କରି ଗିରଫ କଲା କମିସନରେଟ ପୁଲିସ। ମୁଁ କଣ ଆତଙ୍କବାଦୀ ଭଳି ଦେଖାଦେଉଛି। ଆପଣଙ୍କ ମା’ ଭଉଣୀ ଭଳି ମୁଁ ଜଣେ ମହିଳା। ମୋ ସହ ଯାହା ବି ହୋଇଛି ତାହାର ତଦନ୍ତ ହେଉ। ଏହାସହ କମିସନରେଟ ପୁଲିସ ଉପରେ ମଧ୍ୟ ବର୍ଷିଛନ୍ତି ଅର୍ଚ୍ଚନା। କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି। ନେତା, ମନ୍ତ୍ରୀ କି ଆଉ କିଏ ଅଛନ୍ତି, ସବୁ ପ୍ରମାଣ କରିଦେବି। ମୁଁ ନିର୍ଦୋଷ। ପଣସ ଖାଇ ମୋ ମୁଣ୍ଡରେ ୨ ଜଣ ଅଠା ବୋଳିଛନ୍ତି। ଏହା ସହ ଅର୍ଚ୍ଚନା କହିଛନ୍ତି, ମୋତେ ଫସାଇ ଦିଆଯାଇଛି, କାହାକୁ ଛାଡ଼ିବିନିି।
ଏଣେ ଆଜି ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଂଜିତ ବେହେରା। ରାଜଧାନୀର ସତ୍ୟବିହାରରେ ଥିବା ସୁସଜ୍ଜିତ ଗୃହ ନିର୍ମାଣର ଆର୍କିଟେକ୍ଟ ରଂଜିତ ବେହେରା ଇଡିରେ ହାଜର ହୋଇପାରନ୍ତି ବୋଲି ଖବର ମିଳିଥିଲା। ତାଙ୍କୁ ଇଡି ସମନ କରିଥିଲା। ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରିକୁ ନେଇ ରଂଜିତ ବେହେରାଙ୍କୁ ଇଡି ଜେରା କରିବ ବୋଲି ଜଣାଯାଇଛି। ଉଭୟଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି।
ଏଣେ ଗତକାଲି ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ବି ଇଡି ପାଖାପାଖି ୧୩ ଘଣ୍ଟାକାଳ ଜେରା କରିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଇଡି ଆଜି ଅର୍ଚ୍ଚନା ନାଗଙ୍କୁ ପଚାରିପାରେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଲି ବି ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ଦେଇଥିଲେ କୋର୍ଟ। ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆବେଦନ କରିଥିଲା । ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଇଡି ଓକଲି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି। ଟଙ୍କା ଆସିବା ପରେ ହଠାତ୍ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।