ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ସୋମବାର ଦିନ ବିଧାନସଭାରେ ଉଠିଛି। ଏ ସଂକ୍ରାନ୍ତରେ ଆସିଥିବା ମୁଲତବୀ ଆଲୋଚନାରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ଓଡ଼ିଶା ପୁଲିସର ଭୂମିକାକୁ ସନ୍ଦେହ ଚକ୍ଷୁରେ ଦେଖିଥିଲେ। ଜବାବରେ ମନ୍ତ୍ରୀ କହିଥିଲେ ଯେ ସରକାର ଅପରାଧୀଙ୍କୁ କେବେ ସୁରକ୍ଷା ଦେଉ ନାହାନ୍ତି।
ସୋମବାର ଦିନ ବିଜେପି ପକ୍ଷରୁ ‘ସବୁଠି ଏବେ ଗୋଟିଏ କଥା, ସରକାରୀ ଅପରାଧୀଙ୍କ ସୁରକ୍ଷାଦାତା, କୋଟିଏରୁ ଗୋଟିଏ ଅର୍ଚ୍ଚନା ନାଗ ଅପରାଧ ଖିଅଟିଏ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆସିଥିଲା। ତାହା ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଘଟଣାକୁ ଚପାଇ ଦେବାକୁ ଚକ୍ରାନ୍ତ ଚାଲିଛି। ଆଇନ ତା’ ବାଟରେ ଯାଉଛି ବୋଲି ସରକାର ବାରମ୍ବାର କହୁଛନ୍ତି। ବାସ୍ତବରେ ଆଇନକୁ ଚପାଇ ଦେବା ପାଇଁ ସବୁପ୍ରକାର ଉଦ୍ୟମ ଚାଲିଛି। ଲେଡି ବ୍ଲାକ୍ମେଲର୍ ଅର୍ଚ୍ଚନା ନାଗ କଥା ଗଣମାଧ୍ୟମରେ ଲଗାତର ଆସୁଛି। ଏଠାରେ କେବଳ ସେକ୍ସ ସ୍କାଣ୍ଡାଲ୍ ହୋଇନାହିଁ, ଆର୍ଥିକ ହେର୍ଫେର୍ ମଧ୍ୟ ହୋଇଥିବା ଜଣାପଡ଼ୁଛି। ଶାସକ ଦଳର ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ ଏଥିରେ ସଂପୃକ୍ତ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗର ମେଲ୍ରୁ ୬୦ ଜଣଙ୍କ ଫଟୋ ବାହାରିଲା। କିନ୍ତୁ ତାହାର ତଦନ୍ତ କ’ଣ ହେଲା ଜଣାପଡ଼ିଲାନି। ଏହି ଘଟଣା ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି।
ଅର୍ଚ୍ଚନା ନାଗର ସବୁ କାରନାମା ଯେପରି ରହସ୍ୟମୟ ରାଜ୍ୟ ପୁଲିସର ଭୂମିକା ମଧ୍ୟ ସେମିତି ସନ୍ଦେହଜନକ। ଇଡି ତଦନ୍ତ ହେବା ପରେ ବହୁ ଘଟଣାର ପର୍ଦ୍ଦାଫାସ ହେଉଛି। ଠିକାଦାରୀ, ଟେଣ୍ଡର୍ ଫିକ୍ସିଂ ଓ ବଦଳି ଆଦିରେ ଅର୍ଚ୍ଚନା ନାଗର ସଂପୃକ୍ତି ଥିଲା, ସେଥିପାଇଁ ସେ ତା’ର ସାମ୍ରାଜ୍ୟ ବିସ୍ତାର କରିଥିଲା। ଇଡି ଏତେ ଲୋକଙ୍କୁ ଜେରା କରି ସତ ବାହାର କରିବାକୁ ଚେଷ୍ଟା କରୁଛି। ରାଜ୍ୟ ପୁଲିସ କାହିଁକି ତାହା କରୁ ନଥିଲା? ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଥାଇ ଚୁପ୍ କିପରି ବସିଛନ୍ତି? ମୁଖ୍ୟମନ୍ତ୍ରୀ ତାଙ୍କ ନିରବତା ଭଙ୍ଗ କରନ୍ତୁ। ଆଇନକୁ ତା’ ବାଟରେ ଯିବାକୁ ଦେବା ପାଇଁ ନିଜେ ଦାୟିତ୍ବ ନିଅନ୍ତୁ। ବିଜେପି ସଭ୍ୟ କେ ନାରାୟଣ ରାଓ କହିଲେ, ଏହା ଅତି ସାଂଘାତିକ ଅପରାଧ। ମନ୍ତ୍ରୀ, ବିଧାୟକ, ଆଇଏଏସ୍, ଆଇପିଏସ୍ ଏଥିରେ ସାମିଲ ହୋଇଛନ୍ତି। ଅର୍ଚ୍ଚନା ନାଗଙ୍କ ଧନ୍ୟବାଦ ଓ ନମସ୍କାର ଜଣାଉଛି, ସେ ଏତେ ଲୋକଙ୍କୁ ସମ୍ଭାଳିପାରୁଥିଲା। ସନାତନ ବିଜୁଳି କହିଲେ, ଏହି ପ୍ରସଙ୍ଗ ଆଲୋଚନା କଲା ବେଳେ ଲଜ୍ଜା ଲାଗୁଛି ଯେ ଆମେ ଜଣେ ଜଣେ ବିଧାୟକ। ପ୍ରଶାସନିକ ଓ ରାଜନୈତିକ ସହଯୋଗ ବିନା ଜଣେ ଏତେ କାମ କରିପାରିବନି। ଯଦି ସବୁ ଭଲ କାମ ପାଇଁ ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି, ତେବେ ଏହି ଅରାଜକତା ପାଇଁ ସେ କାହିଁକି ଦାୟୀ ହେବେ ନାହିଁ? ନିଆଁ ନଥିଲେ ଧୂଆ ବାହାରେନି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଏପରି ଏକ ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ଭୂମିକା ସନ୍ଦେହଜନକ। କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏସ୍ଆଇଟି ଏହି ଘଟଣାରେ ଆୟକର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନିଜେ ଉତ୍ତର ରଖିବା କଥା। କିନ୍ତୁ ଜଣେ ଜୁନିଅର ମନ୍ତ୍ରୀଙ୍କୁ ସେ ଦାୟିତ୍ବ ଦେଇନ୍ତି। ସେ ନିଜେ ଡରୁଛନ୍ତି ନା ଏହାର ଗୁରୁତ୍ବ ନାହିଁ ବୋଲି ଭାବୁଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ମନୋଭାବ ଜଣାପଡ଼ିଯାଉଛି। ଅସୁସ୍ଥତା ଦର୍ଶାଇ ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନାହାନ୍ତି। କିନ୍ତୁ ବାହାରେ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଉଛନ୍ତି କିପରି? ଗୋଟିଏ ସମ୍ବେଦନଶୀଳ ଘଟଣାକୁ ସେ ଏଡ଼ାଇ ଯାଉଛନ୍ତି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଆମେ ଦାବି କରୁଛୁ। ଏହି ଘଟଣାରେ ବିଜେପିର ଜଣେ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବାଚସ୍ପତିଙ୍କ ଫଟୋ ଆସିଛି। କିନ୍ତୁ ପୁଲିସ କି ଇଡି ସେମାନଙ୍କୁ ପଚରାଉଚୁରା ପାଇଁ ଡାକିନି। ସେହି ଫଟୋରେ କିଛି ନାହିଁ ବୋଲି ତଦନ୍ତ ହେଲେ ପ୍ରମାଣିତ ହୋଇଯିବ। ଏହି ଘଟଣାରେ ବିଧାୟକମାନଙ୍କ ସିଧାସଳଖ ସଂପୃକ୍ତି ଥିବା ଅଭିଯୋଗ ଚିନ୍ତାର ବିଷୟ। ବର୍ତ୍ତମାନ ସୁଦ୍ଧା ଇଡି ତଦନ୍ତ ଠିକ୍ ଭାବେ ଚାଲିଥିବା ଜଣାପଡ଼ୁଛି। ଆଗକୁ ଏହା ସିବିଆଇର ଚିଟ୍ଫଣ୍ଡ୍ ତଦନ୍ତ ପରି ହେବ ନା ଠିକ୍ ଭାବେ ଚାଲିବ, ତାହା ପରେ ଜଣାପଡ଼ିବ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ଏହି ପ୍ରସଙ୍ଗରେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଏତେ ଦିନ ଧରି ନାଗ ଦମ୍ପତି ତାଙ୍କ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ। ରାଜ୍ୟ ପୁଲିସ୍, ଗୁଇନ୍ଦା କରୁଥିଲେ କ’ଣ?
ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ଏହା ଏକ ସମ୍ବେଦନଶୀଳ ଘଟଣା। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଛି। ଏହି ଘଟଣାଟି ଏବେ ବିଚାରାଧୀନ ରହିଛି। ଗୃହରେ ଆମେ ଏମିତି କିଛି ମନ୍ତବ୍ୟ ଦେବାନି, ଯାହାକି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ। ଯିଏ ଅପରାଧ କରୁଛି, ସେ ଅପରାଧୀ। ଏଠି ଶାସକ, ବିରୋଧୀ କିଛି ନାହିଁ। ଯିଏ ଦୋଷୀ ସେ ନିଶ୍ଚିତ ଦଣ୍ଡ ପାଇବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଶାସକ ଦଳ ସଭ୍ୟ ମିନାକ୍ଷୀ ମହନ୍ତ, ସୁନନ୍ଦା ଦାସ ଓ ରାଜକିଶୋର ଦାସ ଆଲୋଚନାରେ ଭାଗ ନେଇଥିଲେ।
ଆଲୋଚନାର ଉତ୍ତର ରଖି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଲେ, ରାଜ୍ୟ ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନର ଶାସନକୁ ଗୁରୁତ୍ବ ଦେଉଛନ୍ତି। ଅର୍ଚ୍ଚନା ନାଗ ମାମଲାରେ ଅଭିଯୋଗକାରୀ ଅକ୍ଷୟ ପରିଜାଙ୍କ ଲିଖିତ ଅଭିଯୋଗ କ୍ରମେ ନୂଆପଲ୍ଲୀ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଅଭିଯୋଗକ୍ରମେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ତଦନ୍ତ ସମୟରେ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେଣୁ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ଇଡି ଆର୍ଥିକ କାରବାର ମାମଲାର ତଦନ୍ତ କରୁଛି। ଏହାର ତଦନ୍ତ ପୁଲିସର ଅଧୀକୃତ ନୁହେଁ। ଇଡି ତଦନ୍ତରେ ପୁଲିସ ଆବଶ୍ୟକ ସହଯୋଗ କରୁଛି। ବ୍ଲାକ୍ମେଲିଂ ସମ୍ପର୍କରେ କୌଣସି ସ୍ଥାନରେ ଅଭିଯୋଗ ହୋଇନି।