ଅର୍ଚ୍ଚନା ନାଗ ମାମଲା: ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା

ଭୁବନେଶ୍ବର : ଦୁଇ ଦୁଇ ଥର ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଥିବା ଅର୍ଚ୍ଚନା ନାଗ ଇଡି ଆଗରେ କିଛି କହୁ ନାହାନ୍ତି। ଗତ ଦୁଇ ଦିନ ହେବ ଇଡି ତାଙ୍କୁ ପଚରା ଉଚରା କରୁଥିଲେ ମଧ୍ୟ ସେ ସେଭଳି କୌଣସି ସନ୍ତୋଷଜନକ ଉତ୍ତର ଦେଉ ନ ଥିବା ଜଣାପଡ଼ିଛି। ଫଳରେ ଇଡ଼ି ଏବେ ହରଡ଼ଘଣାରେ ପଡ଼ିଛି। ଇଡି ଯେଉଁ ଆଶା ରଖିଥିଲା ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ପାଇ ତଦନ୍ତକୁ ଆଗେଇ ନେବ ତାହା ପାଣି ଫୋଟକା ଭଳି ମିଳାଇ ଯାଇଛି। ଅନ୍ୟପକ୍ଷରେ ଗୁରୁବାର ଦିନ ଅର୍ଚ୍ଚନାଙ୍କ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ଇଡି ଜେରା କରିଛି। ଅର୍ଚ୍ଚନାଙ୍କ ଘର ତିଆରେ କେତେ ଟଙ୍କା ଖର୍ଚ ହୋଇଛି। ଅର୍ଚ୍ଚନା ତାଙ୍କୁ ଘର ତିଆରି ପାଇଁ ଟଙ୍କା ନଗଦରେ ଦେଉଥିଲେ ନା ଚେକରେ ସେନେଇ ପଚରା ଉଚରା ଜାରି ରଖିଛି ଇଡି।

ଇଡି ରିମାଣ୍ଡରେ ଆସିବା ବେଳେ କୋର୍ଟ ଓ ହସ୍ପିଟାଲରେ ବିସ୍ଫୋରକ ବୟାନ ଦେଇଥିଲେ ଅର୍ଚ୍ଚନା। କହିଥିଲେ, ତାଙ୍କୁ ୩୦ ମିନିଟ ସମୟ ଦେଲେ ସେ ଓଡ଼ିଶା ଦୋହଲାଇ ଦେବେ। କିନ୍ତୁ ଗତ ଦୁଇ ଦିନ ହେବ ସେ ଇଡ଼ି ରିମାଣ୍ଡକୁ ଆସିବା ପରେ ସେଭଳି କୌଣସି ତଥ୍ୟ ଦେଉ ନାହାନ୍ତି, ଯାହାକୁ ଆଧାର କରି ଇଡି ତାର ତଦନ୍ତକୁ ଆଗେଇ ନେବ। କେବଳ ପୁଲିସ ଉପରେ ଦୋଷ ଲଦି ଚାଲିଛନ୍ତି। ଆଉ ନିଜ ୫ ବର୍ଷର ପୁଅ କଥା ବାରମ୍ବାର କାନ୍ଦୁଛନ୍ତି। ଇଡି ଅଧିକାରୀମାନେ କ’ଣ କରିବେ ଚିନ୍ତା ମଧ୍ୟ କରି ପାରୁ ନାହାନ୍ତି। ଯେହେତୁ ଇଡିରେ କୌଣସି ମହିଳା ଅଧିକାରୀ ନାହାନ୍ତି ତାଙ୍କୁ ପଚରା ଉଚରା ନେଇ ସମସ୍ୟା ମଧ୍ୟ ସୃଷ୍ଟି ହେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଗୁରୁବାର ଦିନ ପବିତ୍ରଙ୍କୁ ମାରାଥନ ଜେରା କରିଛି ଇଡି। ପବିତ୍ର ଅର୍ଚ୍ଚନା ଓ ଖଗେଶ୍ବରଙ୍କ ଘର ତିଆରି କରିଥିଲେ। ଘର ତିଆରି ବାବଦରେ ପବିତ୍ର କେତେ ଟଙ୍କା ନେଇଥିଲେ, ସେନେଇ ତାଙ୍କୁ ଜେରା କରାଯାଇଛି। କିନ୍ତୁ ଇଡି ତଦନ୍ତରୁ ଜାଣିବାକୁ ପାଇଛି ଓଲଟି ପବିତ୍ର ପାଖାପାଖି ୭ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଛନ୍ତି। କେଉଁଥିପାଇଁ ସେ ଏତେ ଟଙ୍କା ପଠାଇଛନ୍ତି ସେ ନେଇ ତାଙ୍କୁ ଜେରା କରୁଛି ଇଡି।

ସମ୍ବନ୍ଧିତ ଖବର