ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନାଗ ଦମ୍ପତିଙ୍କୁ ମୁହାଁମୁହିଁ ଜେରା କରିଛି। ବିଶେଷ କରି ସେମାନଙ୍କ ଆର୍ଥିକ କାରବାର ଦିଗକୁ ନେଇ ଇଡି ମାରାଥନ ଜେରା କରିଥିଲା। ‌ପ୍ରଥମେ ଉଭୟଙ୍କୁ ଭିନ୍ନ ଭିନ୍ନ ରୁମ୍‌ରେ ଜେରା କରି ତଥ୍ୟ ହାତେଇବା ପରେ ପୁଣି ଗୋଟିଏ ରୁମ୍‌ରେ ଇଡି ଅଧିକାରୀ ଦମ୍ପତିଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଥିଲେ। ରୋଜଗାର ମାଧ୍ୟମ ଏଭଳି କ’ଣ ଥିଲା ଯେ ଏତେ କମ୍‌ ସମୟରେ କୋଟିପତି ହୋଇଯାଇଥିଲେ। ଦାମୀ ଗାଡ଼ି, ଆଲିସାନ୍‌ ଘର ପାଇଁ କେଉଁଠୁ ଟଙ୍କା ଆଣୁଥିଲେ? କେଉଁ କେଉଁ ବ୍ୟକ୍ତିଙ୍କ ସହ ଆର୍ଥିକ କାରବାର କରିଛନ୍ତି? ବଡ଼ବଡ଼ିଆଙ୍କୁ ବ୍ଲାକମେଲ କରି ଟଙ୍କା ରୋଜଗାର କରୁଥିଲେ କି? ଇଡିର ଅଧିକାରୀମାନେ ଜଣଙ୍କ ପରେ ଜଣେ ଦମ୍ପତିଙ୍କୁ ମାରାଥନ ଜେରା କରିଥିଲେ। ମୁହାଁମୁହିଁ ଜେରା ବେଳେ କିଛି ତଥ୍ୟ ତାଳମେଳ ଖାଇଥିବା ବେଳେ କିଛି ତଥ୍ୟର ତାଳମେଳ ନଥିଲା। ହେଲେ ଉଭୟଙ୍କୁ ଜେରା ବେଳେ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି। ଆଶ୍ଚର୍ଯ୍ୟର କଥା ଯେ ଜେରା ବେଳେ ଅର୍ଚ୍ଚନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡ ଚକର କାଟିଥିଲା। ଏଥିପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଏକ ଡାକ୍ତରୀଦଳ ସେଠାରେ ପହଞ୍ଚି ଅର୍ଚ୍ଚନାଙ୍କୁ ଚିକିତ୍ସା କରିଥିଲେ।

Advertisment

ଅସୁସ୍ଥ ହୋଇପଡ଼ିଲେ ଅର୍ଚ୍ଚନା
ଗଣମାଧ୍ୟମରେ ମୁହଁ ଖୋଲିଲେନି ଜଗବନ୍ଧୁ
ଅନ୍ୟମାନଙ୍କୁ ଯାଇପାରେ ଇଡି ଡକରା
ଶ୍ରଦ୍ଧାଞ୍ଜଳିଙ୍କ ଜାମିନ ଖାରଜ

publive-image

ତେବେ ଇଡି ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ଆଣିଥିବା ବେଳେ ପ୍ରଥମ ଦିନରେ ଯଦି ଏଭଳି ସ୍ଥିତି ତେବେ ଆଗକୁ ଆହୁରି ଅନେକ କିଛି ତଥ୍ୟ ଇଡି ହାତରେ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଦରକାର ପଡ଼ିଲେ ଇଡି ଖଗେଶ୍ବରଙ୍କୁ ବି ରିମାଣ୍ଡରେ ଆଣିପାରେ। ଏପରିକି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଡାକି ଦମ୍ପତିଙ୍କ ସହ ମୁହାଁମୁହିଁ ଜେରା କରିପାରେ।

ତେବେ ଗତକାଲି ଅର୍ଚ୍ଚନା ଇଡି କାର୍ଯ୍ୟାଳୟକୁ ଆସିଥିବା ବେଳେ ଆଜି ଜଗବନ୍ଧୁଙ୍କୁ ଝାରପଡ଼ା ଜେଲରୁ ଇଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଏବଂ ପରେ ଇଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରିଯାଇ ମାଳ ମାଳ ପ୍ରଶ୍ନ କରିଥିଲେ। କିନ୍ତୁ ସେ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ପ୍ରଥମରୁ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଉଥିଲେ। ରାଜ୍ୟକୁ ଦୋହଲାଇଦେବେ ବୋଲି କହିଥିଲେ। ହେଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ଚୁପ୍‌ ହୋଇଯାଇଛନ୍ତି। ସେପଟେ ଜଗବନ୍ଧୁଙ୍କ ଏଭଳି ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହଠାତ୍‌ କାହିଁକି ଗଣମାଧ୍ୟମ ଆଗରେ ଦମ୍ପତି ନିରବ ହୋଇଗଲେ। ମୁହଁ ବନ୍ଦ ରଖିବା ପାଇଁ ଦମ୍ପତିଙ୍କ ଉପରେ ଚାପ ପ୍ରୟୋଗ ହୋଇନାହିଁ ତ ଏଭଳି ପ୍ରଶ୍ନ ଉଙ୍କିମାରୁଛି।

ଅନ୍ୟପେଟ ଅର୍ଚ୍ଚନା ନାଁରେ ମାମଲା ରୁଜୁ କରିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ଖୋଜୁଛି। ଯେହେତୁ ନାଗ ଦମ୍ପତି ରିମାଣ୍ଡରେ ଆସିଛନ୍ତି। ତେଣୁ ୩ଜଣଙ୍କୁ ବସାଇ ଇଡି ଜେରା କରିବାକୁ ଯୋଜନା କରୁଛି। ହେଲେ ସେ ଧରାଛୁଆଁ ଦେଉନାହାଁନ୍ତି। ପାଲଟା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଅପରପକ୍ଷରେ ଆଜି ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଇଡିର ତଦନ୍ତରେ ଶ୍ରଦ୍ଧାଞ୍ଜଳି ସହଯୋଗ କରନ୍ତୁ ବୋଲି ହାଇକୋର୍ଟ କହିଛନ୍ତି।