ଅର୍ଚ୍ଚନା ମାମଲା: ୬ଟି ସ୍ଥାନରେ ଚଢ଼ଉ; ଖଗେଶ୍ବର ଅଟକ, ଗିରଫ ହୋଇପାରନ୍ତି

ଭୁବନେଶ୍ବର/କେସିଙ୍ଗା/ବାଙ୍କୀ/ଜଳେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାର ତଦନ୍ତକୁ ଜୋରଦାର କରିଛି। ଗତକାଲି ୩ ଜଣଙ୍କୁ ନୋଟିସ୍ କରିବା ପରେ ଆଜି ତାର ପଞ୍ଝା ମେଲାଇଛି। ଏକା ବେଳକେ ୬ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ଅନେକ ତଥ୍ୟ ଓ ପ୍ରମାଣ ପାଇଛି ଇଡି। ସେହିପରି କମିସନରେଟ ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ଖଗେଶ୍ବରଙ୍କୁ ମଧ୍ୟ ଉଠାଇ ନେଇଛି ଇଡି। ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ମାରାଥନ ଜେରା କରାଯାଉଛି। ଜଗବନ୍ଧୁ ବିଭିନ୍ନ ସମୟରେ ଖଗେଶ୍ବରଙ୍କ ସହିତ କଥାବାର୍ତ୍ତା ହେବା, ଦୁହେଁ ଗୋଟିଏ ପ୍ଲଟରେ ଘର କରିଥିବା ଆଦି କାରଣରୁ ଇଡି ଅଧିକାରୀଙ୍କ ମନରେ ସହେନ୍ଦ ସୃଷ୍ଟି ହୋଇଛି। ତଦନ୍ତ‌ବେଳେ ସେ ଇଡିର ଅଧିକାରୀଙ୍କୁ ସହଯୋଗ କରି ନ ଥିଲେ। ଯେଉଁ କାରଣରୁ ତାଙ୍କୁ ପଚରା ଉଚରା କରିବାକୁ ଇଡି କାର୍ଯ୍ୟାଳୟକୁ ଅଣାଯାଇଛି। ଆବଶ୍ୟକ ହେଲେ ତାଙ୍କୁ ଗିରଫ ମଧ୍ୟ କରାଯାଇ ପାରେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ଗୁରୁବାର ଦିନ ଇଡି ଅଧିକାରୀମାନେ ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘର, ସୁପ୍ରିମ କାର ବଜାର, କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଥିବା ଜଗବନ୍ଧୁଙ୍କ ଘର, ଜଗବନ୍ଧୁଙ୍କ ସାଙ୍ଗ ଖଗେଶ୍ବରଙ୍କ ଫୁଲନଖରା ଗୋବିନ୍ଦପୁରରେ ଥିବା ନିଜ ଘର ଓ ଶ୍ରଦ୍ଧାଞ୍ଜଳୀଙ୍କ କଟକ ବାଙ୍କୀ ଘରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ପରିବାର ଲୋକ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ଇଡିର ଅଧିକାରୀ। ସେହିପରି ଇଡିର ଅଧିକାରୀମାନେ ମଧ୍ୟ କିଛି ପ୍ରମା‌ଣ ସଂଗ୍ରହ କରିଛନ୍ତି। ବିଶେଷକରି ଅର୍ଚ୍ଚନାଙ୍କ ବ୍ୟାଙ୍କ କାରବାର ଓ ତାଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

କେସିଙ୍ଗା ସ୍ଥିତ ଘରେ୧୧ ଘଣ୍ଟା ଧରି ତନାଘନା
ଅର୍ଚ୍ଚନାଙ୍କ ଶାଶୂ, ଶ୍ବଶୁର ଓ ଦେଢ଼ଶୁରଙ୍କୁ ଜେରା
୮ ଘଣ୍ଟାର ଖୋଳତାଡ଼, ଜମିଜମା ଦଲିଲ ଜବତ

ଗୁରୁବାର ସକାଳ ୭.୪୫ରୁ ୪ ଜଣ ବିଭାଗୀୟ ଅଧିକାରୀ କେସିଙ୍ଗା ବୁଢ଼ାଡଙ୍ଗର ପାହାଡ଼ ପାଦଦେଶର ସରକାରୀ ଜମିରେ ଥିବା ଅର୍ଚ୍ଚନାଙ୍କ ଘରେ ପହଞ୍ଚିଥିଲେ। ସୁରକ୍ଷା ଦୃଷ୍ଟିରୁ ସିଆରପିଏଫ୍‌ ଯବାନ ଘର ଚାରିପଟେ ଜଗି ରହିଥିଲେ। ବିଭାଗୀୟ ଅଧିକାରୀ ଉପର ମହଲାରେ ରହୁଥିବା ଅର୍ଚ୍ଚନାଙ୍କ ମା’ଙ୍କ ଘରକୁ ଯାଇଥିଲେ। ଯିବା ପୂର୍ବରୁ ଘରେ ଭଡ଼ା ରହୁଥିବା ପରିବାର ଲୋକଙ୍କ ମୋବାଇଲ ନେଇ ଯାଇ କୁଆଡ଼େ ନଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କ ଘର ଚାରିପଟୁ ବନ୍ଦ କରିଦେଇ ତଦନ୍ତ ଆରମ୍ଭ କରିଥିଲେ। ଏହି ଘର କିଏ କରିଛି? ଘର ପାଇଁ ଟଙ୍କା ଅର୍ଚ୍ଚନାଙ୍କଠାରୁ ଆସିଛି କି ବୋଲି ପଚରାଉଚରା କରିବା ସହ ଘରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ। ତଳେ ଭଡ଼ାରେ ଥିବା ଜଣେ ଦୋକାନ ମାଲିକଙ୍କୁ ମଧ୍ୟ ଜେରା କରିବା ସହ ଦୋକାନ ଭଡ଼ାର ଚୁକ୍ତିପତ୍ର ମାଗିଥିଲେ। ଗଣମାଧ୍ୟମ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଇଡି ଚଢ଼ଉ ଖବର ପ୍ରଚାରିତ ହେବା ପରେ ଦିନ ତମାମ ଅର୍ଚ୍ଚନାଙ୍କ ଘର ଆଗରେ ଭିଡ଼ ଲାଗି ରହିଥିଲା। ଅର୍ଚ୍ଚନାଙ୍କ ମାଆ ଜଣେ ଶିକ୍ଷୟିତ୍ରୀ। ବିଶେଷ କରି ସରକାରୀ ଜାଗାରେ ତିନି ମହଲା ଘର ନିର୍ମାଣ କରାଯାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣାରେ କଳାହାଣ୍ଡି ଜିଲ୍ଲାର କିଛି ରାଜନେତାଙ୍କ ଲିଙ୍କ୍ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜାରି ରହିଛି। ଇଡି ଯାଞ୍ଚ ଖବର ଶୁଣି ଅର୍ଚ୍ଚନା ଲିଙ୍କ୍‌ରେ ଥିବା ରାଜନେତାଙ୍କ ନିଦ ହଜି ଯାଇଛି। କେହି କେହି ଏହା ଶୁଣି ଜିଲ୍ଲାରୁ ଫେରାର ମାରିଥିବା ଶୁଣାଯାଉଛି।

ସେହିପରି ଅର୍ଚ୍ଚନା ନାଗଙ୍କ ଶ୍ବଶୁର ଘରେ ଗୁରୁବାର ଦିନ ଇଡି ଚଢ଼ଉ କରିଛି। ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱରରୁ ଇଡିର ଏକ ୧୧ ଜଣିଆ ଟିମ୍‌ ଅର୍ଚ୍ଚନାଙ୍କ ଶ୍ବଶୁର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବାଉଁଶବଣୀ ଗାଁରେ ଆସି ପହଞ୍ଚିଥିଲେ। ସାଙ୍ଗରେ ଥିଲେ କେନ୍ଦ୍ରୀୟ ସୁରକ୍ଷା ବଳର ସଶସ୍ତ୍ର ଯବାନ୍‌ ଓ ଜଳେଶ୍ବର ଥାନାର କର୍ମଚାରୀ। ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କ ପୈତୃକ ଘରେ ଇଡି ଟିମ୍‌ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ତେବେ ଯାଞ୍ଚ ସମୟରେ ଜଗବନ୍ଧୁଙ୍କ ବାପା, ମା ଓ ବଡ଼ଭାଇ ଘରେ ଉପସ୍ଥିତ ନଥିଲେ। ପରେ ବାପା, ମା ଓ ଭାଇ ଘରେ ପହଞ୍ଚିବା ପରେ ଇଡି ସେମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୁଡ଼େଇ ତୁଡ଼େଇ ଜେରା କରିଥିବା ସୂଚନା ମିଳିଛି।

ଏହି ମାମଲାରେ ଜଗବନ୍ଧୁଙ୍କ ପରିବାର ସହ ତାଙ୍କର କେତେକ ନିକଟ ସମ୍ପର୍କୀୟଙ୍କ ବୟାନ୍‌ ମଧ୍ୟ ଇଡି ରେକର୍ଡ କରିଛି। ଯାଞ୍ଚ ସମୟରେ ଇଡି ଏକ ଟ୍ରଙ୍କରୁ ନଗଦ କିଛି ଟଙ୍କା, ଜମିଜମା ଦଲିଲ ଓ ଜରୁରୀ କାଗଜପତ୍ର ପାଇଥିବା କୁହାଯାଉଛି। ଜମିଜମା ଦଲିଲଗୁଡିକୁ ପରଖିବା ପରେ ସେଗୁଡ଼ିକ କାହା ନାଁରେ କିଣାଯାଇଛି, ସେ ସଂପର୍କରେ ଖୋଳତାଡ଼ କରିଛି ଇଡି। ଦୀର୍ଘ ୮ ଘଣ୍ଟା ଧରି ଇଡି ଚଢ଼ଉ କରିବା ପରେ ଅପରାହ୍ନ ସାଢେ ୩ଟା ସମୟରେ ସେଠାରୁ ଫେରିଥିଲା। ସୂଚନାଥାଉକି, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହେବା ପରେ ଭୁବନେଶ୍ବର କମିସନରେଟ୍‌ ପୁଲିସ ଏକ ଡାଏରି ଜବତ କରିଥିଲା। ସେହି ଡାଏରିରେ ବାଲେଶ୍ବର, ଭୋଗରାଇ, ଜଳେଶ୍ୱର ଅଞ୍ଚଳର କେତେକ ପ୍ରଭାବଶାଳୀଙ୍କ ସହ ଏହି ଦମ୍ପତିଙ୍କ ସଂପର୍କ ଥିବା ଆଲୋଚିତ ହେଉଛି। ଯାହାକୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁରୁତ୍ବର ସହ ନେଇଛି।

ସେହିପରି କଟକ ଫୁଲନଖରା ଗୋବିନ୍ଦପୁରରେ ଥିବା ଖଗେଶ୍ବରଙ୍କ ଘର ଉପରେ ଚଢ଼ଉ କରିଥିଲା ଇଡି। ପଚରା ଉଚରାବେଳେ ଇଡିକୁ ଆଦୌ ସହଯୋଗ କରି ନ ଥିଲା ଖଗେଶ୍ବର। ଏପରିକିୁ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖଗେଶ୍ବରଙ୍କ ପରିବାର ଲୋକ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ପରିସ୍ଥିତି ଭିନ୍ନ ମୋଡ଼ ନେବା ପୂର୍ବରୁ ଇଡିର ଅଧିକାରୀମାନେ ଖଗେଶ୍ବରକୁ ଭୁବନେଶ୍ବର ଇଡି କାର୍ଯ୍ୟାଳୟକୁ ନେଇ ଆସିଛନ୍ତି।

ସମ୍ବନ୍ଧିତ ଖବର