ଗୁମର ଖୋଲୁଛି ଖଗେଶ୍ବର: କିଏ ସେହି ଆଇଏଏସ୍ ଅଫିସର? ଅର୍ଚ୍ଚନାଙ୍କୁ ସୁନା ଉପହାର ଦେଇଥିଲେ

ଇଡି ନୋଟିସ ହୋଇପାରେ

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବର ଯେତେ ଅଧିକ ଦିନ ଇଡି ରିମାଣ୍ଡରେ ରହୁଛି ସେତେ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଶୁକ୍ରବାର ରିମାଣ୍ଡର ୮ମ ଦିନରେ ଇଡି ଏମିତି ଏକ ତଥ୍ୟ ପାଇଛି ଯାହା ରାଜ୍ୟ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି। କେବଳ ଯେ ଅର୍ଚ୍ଚନାଙ୍କର ନେତା, ମନ୍ତ୍ରୀ, ବିଲଡର ଓ ଫିଲ୍ମ ପ୍ରଯୋଜକଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା ତାହା ନୁହେଁ। ଅର୍ଚ୍ଚନାଙ୍କ ସହିତ ରାଜ୍ୟର ଜଣେ ଯୁବ ଆଇଏଏସ୍ ଅଫିସରଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିଲା। ସେହି ଆଇଏଏସ୍ ଜଣକ ରୀତିମତ ଭାବେ ସତ୍ୟ ବିହାର ସ୍ଥିତ ଅର୍ଚ୍ଚନାଙ୍କ ଘରକୁ ଯିବା ଆସିବା କରିଥାନ୍ତି। ଏପରିକି ଅର୍ଚ୍ଚନା ନାଗଙ୍କ ପୁଅ ଜନ୍ମଦିନକୁ ସେ ଆସି ସୁନାର ଏକ ଦାମୀ ଉପହାର ମଧ୍ୟ ଦେଇଥିବା ଇଡି ଜାଣିବାକୁ ପାଇଛି। ସୁନାର ସେହି ଦାମୀ ଉପହାର କେଉଁ ଦୋକାନରୁ କିଣା ଯାଇଥିଲା ତାର ଅନୁସନ୍ଧାନ ଆରମ୍ଭ କରିଛି ଇଡି। ତେଣୁ ଉକ୍ତ ଅଫିସର ଏବେ ଇଡି ସ୍କାନରରେ ଆସିଛନ୍ତି। ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ଇଡି ନୋଟିସ୍ କରି ପାରେ ବୋଲି ବିଶ୍ବସ୍ତସୂତ୍ରରୁ ଖବର ମିଳିଛି। ଇଡି ତାଲିକାକୁ ଅଫିସର ଜଣକ ଆସିଯିବା ପରେ ଏହାକୁ ନେଇ ପ୍ରଶାସନିକ ମହଲରେ ଜୋରଦାର ଚର୍ଚା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଦିନ ଏଣ୍ଡେଭର୍ କାର ସୋ’ ରୁମ୍ ମାଲିକଙ୍କ ପୁଅ ଇଡି କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କୁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା କାର ସମ୍ପର୍କରେ ସୂଚନା ଦେବାକୁ। ସେ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପାଖାପାଖି ୨/୩ ଘଣ୍ଟା ପଚରା ଉଚରା କରାଯାଇଥିଲା। ପଚରା ଉଚରା ବେଳେ ସେ ଇଡିକୁ କହିଥିଲେ, ୨୦୧୮ ମସିହାରେ ଅର୍ଚ୍ଚନା ତାଙ୍କ ସୋରୁମରୁ ନଗଦ ୩୩ ଲକ୍ଷ ଟଙ୍କା ଦେଇ କାର କିଣିଥିଲେ। ସୋରୁମ୍ ମାଲିକଙ୍କ ପୁଅ କଥା ଶୁଣି ଇଡି ଅଫିସରମାନେ ସନ୍ଦେହରେ ପଡ଼ିଛନ୍ତି। ଅର୍ଚ୍ଚନାଙ୍କ ପାଖରେ ଏତେ ପରିମାଣର ନଗଦ ଟଙ୍କା କୁଆଡ଼ୁ ଆସିଲା? ଏହି ଟଙ୍କାତକ ତାଙ୍କୁ କିଏ ଦେଇଥିଲା ନା ଅର୍ଚ୍ଚନାଙ୍କ ନିଜ ଟଙ୍କା, ସେ ନେଇ ମଧ୍ୟ ଇଡି ଅନୁସନ୍ଧାନ ଆରମ୍ଭ କରିଛି। ସୋରୁମ୍ କତୃର୍ପକ୍ଷ ସେହି କାର ବିକ୍ରି କରିବାବେଳେ ନଗଦ ଟଙ୍କା ରଖିଥିବା କାରଣରୁ କିଛି ଗଫଲତି କରିଥିବା ମଧ୍ୟ ଇଡି ସନ୍ଦେହ କରୁଛି। ତେଣୁ ତାଙ୍କୁ ଆଉ ଥରେ ଇଡି କାର୍ଯ୍ୟାଳୟକୁ ଆସି ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି।

ସେହିପରି ଅର୍ଚ୍ଚନାଙ୍କ ଏଣ୍ଡଭେର କାରକୁ ଖୋଜିବା ଭଳି ଏବେ ଇଡି ତାଙ୍କ ବିଏମଡବ୍ଲ୍ୟୁ କାର ଓ ହାର୍ଡଲେ ଡେଭିସନ୍ ବାଇକକୁ ମଧ୍ୟ ଖୋଜିବାରେ ଲାଗି ପଡ଼ିଛି। ସେହି ଦାମୀ କାର ଓ ବାଇକକୁ ଜଗବନ୍ଧୁ ବ୍ୟବହାର କରୁଥିଲେ। ଖଣ୍ଡଗିରି ପୁଲିସ ଅଚ୍ଚର୍ନାଙ୍କୁ ଗିରଫ କରିବା ପରେ ହଠାତ୍ ଏସବୁ ଦାମୀ କାର ଓ ବାଇକ୍ କେଉଁ ଆଡ଼େ ଗାଏବ ହୋଇ ଯାଇଥିଲା। କିଛି ଦିନ ପରେ ରସୁଲଗଡ଼ର ଏକ ଆପାର୍ଟମେଣ୍ଟ ବେସମେଣ୍ଟରେ ତାଙ୍କ ବାଇକ୍ ଜରି ପାଲ ତଳେ ଘୋଡ଼ା ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସଂଧ୍ୟାରେ ଏକ ଡାଲା ଅଟୋରେ କେହି ଉକ୍ତ ବାଇକକୁ ନେଇ ଯାଇଥିଲେ। ଯାହା ଆପାର୍ଟମେଣ୍ଟରେ ଲାଗିଥିବା ସିସିଟଭିରେ ସ୍ପଷ୍ଟ ଭାବେ ଦେଖାଯାଇଥିଲା। ତେଣୁ ଇଡି ଏବେ ସେହି ଆପାର୍ଟମେଣ୍ଟକୁ ଯାଇ ପଚରା ଉଚରା କରିବ। କିଏ ସେହି ବାଇକକୁ ସେଠାକୁ ଆଣି ରଖିଥିଲା ସେନେଇ ମଧ୍ୟ ତଦନ୍ତ ହେବ ବୋଲି ସୂଚନା ମିଳିଛି।

ପ୍ରକାଶଥାଉକି, ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବର ଗିରଫ ହେବା ପରେ ଇଡି ତାକୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିବାରେ ଲାଗିଛି। ଆଉ ୩ ଦିନ ପରେ ଖଗେଶ୍ବରର ରିମାଣ୍ଡ ଅବଧି ଶେଷ ହେବ। ଏହା ପରେ ଇଡି ରିମାଣ୍ଡରେ ଅର୍ଚ୍ଚନା କିମ୍ବା ଜଗବନ୍ଧୁଙ୍କୁ ଆଣି ପାରେ। ଦୁହେଁ ରିମାଣ୍ଡରେ ଆସିଲେ ଅର୍ଚ୍ଚନାଙ୍କ ହନିଟ୍ରାପ୍ ସାମ୍ରାଜ୍ୟର ଇଡି ପୂରା ଗୁମର ଖୋଲି ଦେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର