ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ନେଇ ଚିନ୍ତା

୯ ଜଣଙ୍କୁ ନୋଟିସ ପଠାଇବ ଇଡି

ଭୁବନେଶ୍ବର : ବହୁ ଚର୍ଚିତ ଅର୍ଚ୍ଚନା ନାଗ ମାମଲାରେ ଶନିବାର ଦିନ ଇଡିରେ ହାଜର ହେଲେ ନାହିଁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା। ତାଙ୍କ ସ୍ଥାନରେ ଆଇନଜୀବୀ ଆକାଶ ଭୂୟାଁ ଇଡିରେ ହାଜର ହୋଇ ଅକ୍ଷୟଙ୍କ ପାଇଁ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଅକ୍ଷୟ ଗତକାଲି ବ୍ୟାଙ୍କକରୁ ଫେରିଛନ୍ତି। ତାଙ୍କୁ ପ୍ରବଳ ଥଣ୍ଡା। କାସ ଓ ଛିଙ୍କ୍ ଲାଗି ରହିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି। ସୁସ୍ଥ ହେବା ପରେ ଅକ୍ଷୟ ନିଜେ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହୋଇ ପକ୍ଷ ରଖିବେ।

ତେବେ ଆଇନଜୀବୀ ଆକାଶ ଇଡିରୁ ବାହାରିବା ବେଳେ ଗଣମାଧ୍ୟମକୁ ଅର୍ଚ୍ଚନା ନାଗ ମାମଲାରେ ବିସ୍ଫୋରକ ତଥ୍ୟ ଦେଇଛନ୍ତି। କହିଛନ୍ତି ଏହା ଏକ ବିରାଟ ଷଡ଼ଯନ୍ତ୍ର। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ଠିକ୍ ଭାବେ ତଦନ୍ତ କଲେ ଅନେକ ବଡ଼ ବଡ଼ିଆଙ୍କୁ ମୁଖା ଖୋଲନ୍ତା। ଆଇନଜୀବୀ ଆକାଶଙ୍କ ଏତିକ କଥା ଏବେ ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଆଇନଜୀବୀ ଆକାଶ କେଉଁ ଆଡେ ଓ କାହାକୁ ଇସାରା କରି ଏଭଳି ମତ ରଖିଲେ ତାକୁ ନେଇ ଏବେ ଜୋରଦାର ଚର୍ଚା।

ଅନ୍ୟପକ୍ଷରେ ଅର୍ଚ୍ଚନା ନାଗ ମାମଲାର ଆଉ ଏକ ଦିଗ ଅନ୍ଧାର ମଧ୍ୟକୁ ଧିରେ ଧିରେ ଠେଲି ହୋଇ ଗଲା ଭଳି ଲାଗୁଛି। ଘଟଣାର ପ୍ରଥମ ଅଭିଯୋଗକାରିଣୀ ତଥା ଅର୍ଚ୍ଚନାଙ୍କ ଅତ୍ୟନ୍ତ ଖାସ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବେ କେଉଁଠି ? କୁଆଡେ ଗଲେ ସେ ? ଶ୍ରଦ୍ଧାଞ୍ଜଳିଙ୍କ ବାଙ୍କୀ ଘରେ ଉଭୟ କମିସନରେଟ ପୁଲିସ ଓ ଇଡି ଚଢ଼ଉ କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ। ଓଲଟି ତାଙ୍କ ପରିବାର ଲୋକ କହିଥିଲେ କି ଝିଅ ଦୀର୍ଘ ଦିନ ହେବ ଘରକୁ ଆସୁ ନାହିଁ। ଶେଷରେ ଖାଲି ହାତରେ ଫେରିଥିଲା ଇଡି।
ଏବେ ଶ୍ରଦ୍ଧାଞ୍ଜଳି ନ ମିଳିବା ଉଭୟ କମିସନରେଟ ପୁଲିସ ଓ ଇଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଖଣ୍ଡଗିରି ଥାନାରେ ଅଭିଯୋଗ କରିବାର ଗୋଟିଏ ଦିନ ପରେ ସେ କେଉଁ ଆଡେ ଅର୍ନ୍ତଧାନ ହୋଇ ଯାଇଥିଲେ। ତେଣୁ ଅର୍ଚ୍ଚନା ନାଗ ମାମଲାର କମିସନରେଟ ପୁଲିସର ତଦନ୍ତ କେତେ ଦୂର ଆଗେଇବ ତାହା ଏବେ ଠାରୁ ସନ୍ଦେହ ସୃଷ୍ଟି କଲାଣି।

ଇଡିରେ ହାଜର ହେଲେ ନାହିଁ ଅକ୍ଷୟ ପରିଜା
ଅର୍ଚ୍ଚନାଙ୍କ ଘରେ ରହୁଥିବା ୮ ଯୁବତୀଙ୍କୁ ଖୋଜୁଛି ଇଡି

ସେହିପରି ଖଣ୍ଡଗିରି ଥାନାର ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ଇଡି ପାଇଁ ଜଣେ ଫେରାର ଅଭିଯୁକ୍ତ। ଇଡିରେ ତାଙ୍କ ନାଁରେ ମାମଲା ରୁଜୁ କରିଛି। ସେ ଧରାପଡ଼ିଲେ ଅନେକ ଗୁମର ଖୋଲି ପାରିବ ବୋଲି ଇଡି ଆଶା ବାନ୍ଧିଛି। ଶ୍ରଦ୍ଧାଞ୍ଜଳି କୁଆଡେ ଗଲେ, କାହିଁକି ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ସେ ଉଭାନ ହୋଇ ଗଲେ ତାହା ଏବେ ବି ସନ୍ଦେହ ଘେରରେ। ଯେହେତୁ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନାଙ୍କ ସାମ୍ରାଜ୍ୟର ଅନେକ ରହସ୍ୟ ଓ ଗୁରୁତ୍ବପୂର୍ଣ୍ଣ କଥା ଜାଣିଥିଲେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ତେଣୁ ଶ୍ରଦ୍ଧାଞ୍ଜଳି ତୁରନ୍ତ ବାହାରକୁ ଆସି ମତ ଦେବାର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟର ମହିଳା ଆଇନଜୀବୀ ବବିତା କର କହିଛନ୍ତି।

ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ରହୁଥିବା ୮ ଜଣ ଯୁବତୀଙ୍କୁ ଏବେ ଖୋଜିବା ଆରମ୍ଭ କରିଛି ଇଡି। ସେମାନେ ସମସ୍ତେ ଅର୍ଚ୍ଚନା ନାଗଙ୍କ କଳା କାରବାର ସମ୍ପର୍କରେ କିଛି ନା କିଛି ସୂଚନା ଦେଇ ପାରିବେ ବୋଲି ଇଡି ଆଶା କରୁଛି। ଏଥିପାଇଁ ଇଡି ପକ୍ଷରୁ ସାଲେପୁରର ଦୁଇ ଜାଗା, ବାଲେଶ୍ବରର ଦୁଇ ଜାଗା ଓ ବାଙ୍କୀର ୪ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। କିନ୍ତୁ କାହାର କୌଣସି ପତ୍ତା ମିଳି ପାରିନାହିଁ।

ପ୍ରକାଶଥାଉକି, ଖଗେଶ୍ବରକୁ ରିମାଣ୍ଡରେ ଆଣିବା ପରେ ଏବେ ଇଡି ୯ ଜଣଙ୍କ ତାଲିକା ପ୍ରସ୍ତୁତ କରି ସାରିଛି। ସେମାନଙ୍କ ମଧ୍ୟରେ ଫିଲ୍ମ ପ୍ରଯୋଜକ, ନେତା, ବିଲଡର, ଠିକାଦାର ଓ ବ୍ୟବସାୟୀ ଅଛନ୍ତି।

ସମସ୍ତଙ୍କୁ ନୋଟିସ ହୋଇଛି। ଇଡିରେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ଆଜି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଇଡିରେ ହାଜର ହେବାର ଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ହାଜର ହୋଇ ପାରି ନ ଥିଲେ।

ସମ୍ବନ୍ଧିତ ଖବର