ଅର୍ଚ୍ଚନା ନାଗ ଘଟଣା: ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ଜେରା କଲା ଇଡି

ଇଡି ତଦନ୍ତକୁ ବିଜୟଙ୍କ ପ୍ରଶଂସା

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାର ମୁଖ୍ୟ ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଶୁକ୍ରବାର ଦିନ ପୁଣିଥରେ ଇଡି ଜେରା କରିଛି। ଶୁକବ୍ରାର ସକାଳୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ସମସ୍ତ ତଥ୍ୟ ରଖିଥିଲେ। ଇଡି ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିଥିଲା। ଦୁଇ ଦିନ ତଳେ ଇଡିରେ ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି। ସେ ସମୟରେ ସେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଯେହେତୁ ଶ୍ରଦ୍ଧାଞ୍ଚଳି ହେଉଛନ୍ତି ଅର୍ଚ୍ଚନାଙ୍କ ବ୍ଲାକମେଲ୍ ସହଯୋଗୀ, ଇଡି ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା। ସେହିପରି ଗତକାଲି ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଇଡିରେ ହାଜର ହୋଇ ଅନେକ ତଥ୍ୟ ରଖିଥିଲେ। ତେଣୁ ତାଙ୍କ ବୟାନ ସହ ଶ୍ରଦ୍ଧାଞ୍ଜଳିଙ୍କ ବୟାନକୁ ମିଳାଇଥିଲା ଇଡି। ଅକ୍ଷୟ ଓ ଶ୍ରଦ୍ଧାଞ୍ଚଳିଙ୍କ ବୟାନକୁ ନେଇ ଇଡି ତା’ର ତଦନ୍ତକୁ ଆଗେଇ ନେଉଛି। ସେହିପରି ଅର୍ଚ୍ଚନାଙ୍କ କାର ଡ୍ରାଇଭର ଚନ୍ଦନ ଓ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କୁ ଜେରା କରିଛି ଇଡି।

ଇଡି ତଦନ୍ତକୁ ବିଜୟଙ୍କ ପ୍ରଶଂସା

କଟକ : ଅର୍ଚ୍ଚନା ନାଗ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଠିକ ଢଙ୍ଗରେ ଚାଲିଛି। ଏହି ତଦନ୍ତ ଆଗକୁ ବି ଠିକ ବାଟରେ ଯିବ ବୋଲି ଆଶା କରାଯାଉଛି। ଆଜି କଟକ ବଡ଼ ମେଡିକାଲରେ କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ଆହତ ମାନଙ୍କୁ ଭେଟିବା ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତରରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏଭଳି ମନ୍ତବ୍ୟ ଦେବା ସହିତ ଇଡି ତଦନ୍ତକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଜୟ କହିଛନ୍ତି ଯେ ଆଗକୁ ଏଭଳି କେତେ ଘଟଣା ଆସୁଛି ଦେଖନ୍ତୁ…। ଯେଉଁମାନେ ସବୁ ପ୍ରଚୁର କଳା ଟଙ୍କା ରଖିଛନ୍ତି ସେମାନେ ଗୋଟି ଗୋଟି କରି ଧରାପଡିବେ। ଇଡି ଫାସରେ ନିଶ୍ଚୟ ଛନ୍ଦି ହେବେ। ଓଡ଼ିଶା ପୁଲିସ ଏହି ଘଟଣାର ତଦନ୍ତ ଠିକରେ କରି ନଥିଲା ବୋଲି ଏବେ ସ୍ପଷ୍ଟ ହେଉଛି ବୋଲି କହିବା ସହ ଇଡି ତଦନ୍ତକୁ ନେଇ ‌ବିଜୟ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର