ଅର୍ଚ୍ଚନା‌ ନାଗ ମାମଲା: ଚାର୍ଜସିଟ ଦାଖଲ କଲା ଇଡି

ସତ୍ୟବିହାରରେ ଥିବା ୩.୪ କୋଟି ଟଙ୍କାର କୋଠା ଆଟାଚ୍‌ କଲା ଇଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ୨୨୪୧ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।

ଚାର୍ଜସିଟରେ ଇଡି ଉଲ୍ଲେଖ କରିଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ନଗ୍ନ ଭିଡିଓ ସୁଟିଂ କରି ବ୍ଲାକମେଲ୍ କରୁଥିଲେ। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଛି। ୩ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଛି। ଅର୍ଚ୍ଚନାଙ୍କ ମାୟାଜାଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ପଡ଼ିଛନ୍ତି। ଫିଲ୍ମ ପ୍ରଯୋଜକଙ୍କଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲ୍‌ର ଶିକାର ହୋଇଛନ୍ତି। ୨୨୪୧ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଛି। ଯାହା ଆଜି ସେସନ୍ସ କୋର୍ଟରେ ଦାଖଲ କରାଯାଇଛି ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କର ଭୁବନେଶ୍ୱର ସତ୍ୟବିହାରସ୍ଥିତ ଆଲିସାନ୍ କୋଠା ଯାହାର ମୂଲ୍ୟ ୩ କୋଟି ୪୦ ଲକ୍ଷ ଟଙ୍କା ହେବ ତାକୁ ଇଡି ଆଟାଚ୍‌ କରିଛି। ପୂର୍ବରୁ ଅର୍ଚ୍ଚନାଙ୍କର ଏକ ଦାମୀ କାର୍‌କୁ ଇଡି ଜବତ କରିଥିଲା। ତାଙ୍କ ଘରୁ ମିଳିଥିବା ଆଉ ଦୁଇଟି ଦାମୀ ଗାଡ଼ିର ଜବତ ପ୍ରକ୍ରିୟା ବି ଜାରି ରହିଛି। ଅର୍ଚ୍ଚନାଙ୍କ ଦାମୀ ଫାର୍ମ ହାଉସ୍ ସମେତ ଅନ୍ୟାନ୍ୟ ସମ୍ପତ୍ତି ବାଡ଼ି ଉପରେ ଖୋଳତାଡ଼ ଜାରି ରହିଥିବାରୁ ସେଗୁଡ଼ିକ ମଧ୍ୟ ଜବତ ହୋଇପାରେ। ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସତ୍ୟବିହାର ସ୍ଥିତ କୋଠାର ଜବତ ପ୍ରକ୍ରିୟା ବି ଚାଲିଥିବା ଜଣାପଡ଼ିଛି।

ସେହିପରି କମିସନରେଟ ପୁଲିସରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା ମାମଲାରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇସାରିଛି। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ମାମଲାର ଚାର୍ଜସିଟି ଜେଏମ୍‌ଏଫସି କୋର୍ଟରେ ଦାଖଲ ହୋଇସାରିଛି। ୫୦୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ଅର୍ଚ୍ଚନା ନାଗ ହିଁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅର୍ଚ୍ଚନା ନଗ୍ନ ଭିଡିଓର ଧମକ ଚମକ ଦେଇ ଫିଲ୍ମ ପ୍ରଯୋଜକ ଅକ୍ଷୟଙ୍କଠାରୁ ୩ କୋଟି ଟଙ୍କା ଦାବି କରୁଥିଲେ। ଏପରିକି ଅର୍ଚ୍ଚନା ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ଅକ୍ଷୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର