ସହଯୋଗ କରୁନାହାନ୍ତି ଖଗେଶ୍ବର: ପୁଣି ରିମାଣ୍ଡରେ ଆଣିବା ଲାଗି ଆବେଦନ କରିବ ଇଡି

ଭୁବନେଶ୍ବର: ମହିଳା ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରଙ୍କୁ ପୁଣି ୫ ଦିନ ରିମାଣ୍ଡରେ ଆଣିବା ଲାଗି ଇଡି ଆବେଦନ କରିବ ବୋଲି ଜଣାଯାଇଛି। ରିମାଣ୍ଡ ସମୟରେ ଖଗେଶ୍ୱର ସହଯୋଗ କରି ନ ଥିବାରୁ ପୁଣି ରିମାଣ୍ଡ ଆବେଦନ କରିବ। ଏହାଛଡ଼ା ପୁଲିସକୁ ଅର୍ଚ୍ଚନା ନାଗ ମାମଲାରେ ସିଜର ଲିଷ୍ଟ ମାଗିଛି ଇଡି। ଏଣେ ଖଗେଶ୍ବର ଏତେ ପରିମାଣର ସଂପତ୍ତି କେଉଁଠାରୁ ଆଣିଲା ଏବଂ ଏଥିରେ ଅନ୍ୟ କାହାର ସଂପୃକ୍ତି ରହିଛି ସେନେଇ କୌଣସି ଠୋସ୍ ତଥ୍ୟ ଦେଇପାରୁନାହିଁ। ଏବେ ଇଡି ଖଗେଶ୍ବର ପାତ୍ରର ସଂପତ୍ତିକୁ ଆଟାଚ୍ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା। ଗିରଫ ପରେ ଖଗେଶ୍ବରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଜିଲ୍ଲା କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ, କୋର୍ଟ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବର ପାତ୍ର ଗିରଫ ହେବା ପରେ ଇଡି ତାକୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିବାରେ ଲାଗିଛି।
ଏଣେ ଅର୍ଚ୍ଚନା ଓ ଜଗବନ୍ଧୁ ଆକାଉଣ୍ଟରେ ଏ ଯାଏ ଅଢେଇ କୋଟି ଟଙ୍କାର କ୍ୟାସ ଡିପୋଜିଟ୍ ହୋଇଥିବା ଜଣାପଡିଛି। ଏଥିପାଇଁ  ଇଡି ସେହି ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର