ଭୁବନେଶ୍ବର: ସେକ୍ସୋଟର୍ସନ ରାଣୀ ଅର୍ଚ୍ଚନାଙ୍କ ପେଡ଼ି ଖୋଲିବ ଇଡି। ପତି ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ବସାଇ ଜେରା କରାଯିବ। ଏଥିପାଇଁ ଜିଲ୍ଲା କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଆଜି ଅର୍ଚ୍ଚନା ଇଡି କାର୍ଯ୍ୟାଳୟକୁ ଫେରି ଯାଇଥିବା ବେଳେ ଆସନ୍ତାକାଲିଠାରୁ ଜଗବନ୍ଧୁ ଇଡ଼ିର ଖୁଆଡକୁ ଆସିବେ। ସେହିପରି ଆଜି ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି। ବେଆଇନ ଭାବେ ଅର୍ଥ କାରବାର କରୁଥିବାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଆଜି ସକାଳେ ଅର୍ଚ୍ଚନାଙ୍କ ୫ ବର୍ଷର ପୁଅ ଓ ବାପା ସୁରେନ୍ଦ୍ର ନାଗ କୋର୍ଟଙ୍କ ଅନୁମତିକ୍ରମେ ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନା‌ଙ୍କୁ ଭେଟିଛନ୍ତି। ଏହି ସମୟରେ ଅର୍ଚ୍ଚନା ପୁଅକୁ ଧରି କାନ୍ଦିଥିବା ଜଣାପଡ଼ିଛି। ଚଳିତ ମାସ ୬ ତାରିଖରୁ ଇଡି ରିମାଣ୍ଡରେ ଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଥିଲା। ଆଜି ଦିନ ପ୍ରାୟ ୨ଟାବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଇଡି ପକ୍ଷରୁ ତାଙ୍କୁ ୭ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। କିନ୍ତୁ ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ସେହିପରି ଆଜି ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ହାଜର କରାଯାଇଥିଲା। ଏଥିପାଇଁ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରପଡ଼ା ଜେଲରୁ କୋର୍ଟ ନିଆଯାଇଥିଲା। ଇଡି ପକ୍ଷରୁ ତାଙ୍କୁ ୧୫ ଦିନ ଲାଗି ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। କିନ୍ତୁ କୋର୍ଟ ତାଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତାକାଲିଠାରୁ ସେ ଇଡି ହେପାଜତକୁ ଚାଲି ଯିବେ। ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡରେ ଯିବା ପରେ ଦୁହିଁଙ୍କୁ ସାମନା ସାମନି କରି ପଚରା ଉଚରା କରିବ ଇଡି। ଫଳରେ ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟର ଅନେକ ଗୁମର ଖୋଲିବ ବୋଲି ଇଡି ଆଶା ପ୍ରକଟ କରୁଛି।

Advertisment

ଅର୍ଚ୍ଚନାଙ୍କୁ ୬ ଦିନ, ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି
ଅର୍ଚ୍ଚନାଙ୍କ ନାଁରେ ମାମଲା ରୁଜ୍ଜୁ କଲା ଇଡି
ପୁଅ ଓ ବାପା ଭେଟିଲେ ଅର୍ଚ୍ଚନାଙ୍କୁ

ସେହିପରି ଅର୍ଚ୍ଚନାଙ୍କ ନାଁରେ ଇଡି ପକ୍ଷରୁ ଆଜି ଏକ ନୂଆ ମାମଲା ରୁଜୁ କରାଯାଇଛି। ଏକାଧିକ ବ୍ୟକ୍ତିବିଶେଷଙ୍କ ସହିତ ଅର୍ଚ୍ଚନା ବେଆଇନ ଭାବେ ଆର୍ଥିକ କାରବାର କରିଥିବା ଜଣାପଡ଼ିବା ପରେ ଇଡି ମାମଲା କରିଥିବା ଜଣାପଡ଼ିଛି। ପୂର୍ବରୁ ଅର୍ଚ୍ଚନାଙ୍କ ବିରୋଧରେ କମିସନରେଟ ପୁଲିସର ଖଣ୍ଡଗିରି ଓ ନୂଆପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରିଥିଲା। ଏବେ ଇଡି ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ପୂର୍ବରୁ ଇଡି ଜଗବନ୍ଧୁଙ୍କୁ ଖାସ୍ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ବଡ଼ କଥା ହେଉଛି ପୂର୍ବରୁ ଅର୍ଚ୍ଚନା ଓ ଜଗବନ୍ଧୁ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଉଥିଲେ ମଧ୍ୟ ଆଜି କିନ୍ତୁ ଦୁହେଁ ଧାଡ଼ିଟିଏ ମଧ୍ୟ କହି ନ ଥିଲେ। ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

କିନ୍ତୁ ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜୟଦେବ ପାଲ ଓ ଦେବାଶିଷ ମହାପାତ୍ର କହିଛନ୍ତି, ଇଡି ଅଧିକାରୀମାନେ ସାଧା କାଗଜରେ ଅର୍ଚ୍ଚନାଙ୍କ ଦସ୍ତଖତ ନେଇଛନ୍ତି। କେଉଁ ଉଦ୍ଦେଶ୍ୟରେ ଅଧିକାରୀମାନେ ଏଭଳି କରିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦୁହେଁ। ସେହିପରି ଅର୍ଚ୍ଚନା ରିମାଣ୍ଡରେ ଥିବାବେଳେ ନିୟମ ଅନୁଯାୟୀ ଜଣେ ଆଇନଜୀବୀ ତାଙ୍କ ସହିତ ରହିବା କଥା। କିନ୍ତୁ ଇଡି ଅଧିକାରୀମାନେ ଆଇନଜୀବୀଙ୍କୁ ସେହି ସୁଯୋଗ ଦେଉ ନାହାନ୍ତି। ଅନ୍ୟପକ୍ଷରେ ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଗୋପାଳ ଅଗ୍ରୱାଲ କହିଛନ୍ତି, ଏଭଳି ଅଭିଯୋଗ ସଂପୂର୍ଣ୍ଣ ମିଛ।