ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠିଛି। ବିରୋଧୀ ଦଳର ନେତାମାନେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି। ଅର୍ଚ୍ଚନା ନାଗ ସମ୍ପର୍କରେ ଗୃହରେ ଆଲୋଚନା ଦାବି କରି ଗୃହର ମଧ୍ୟ ଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହଟଗୋଳ କରିଛନ୍ତି। ଅପରାହ୍ନ ୫ଟା ପରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୂଳତବି ଘୋଷଣା କରିଛନ୍ତି।

Advertisment

ଅର୍ଚ୍ଚନା ନାଗ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।  ଏହି ଘଟଣାରେ ଇଡ଼ିର ତଦନ୍ତ ଠିକ ଭାବେ ଚାଲିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଲିସ ଯାହାକୁ ଛାଡି ଦେଇଥିଲା ତାକୁ ଇଡ଼ି ବାନ୍ଧିଛି।  ଏସଆଇଟି ବି ରିପୋର୍ଟ ମାଗିଲାଣି। ମାତ୍ର ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଛନ୍ତି। ବିଜେଡିର ନେତାମାନେ ଏଥିରେ ସମ୍ପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ତେଣୁ ଏହି ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ବିଜେପି ବି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି।

publive-image the week

ଅନ୍ୟପଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କର ଗୁମର ଖୋଲୁଛି। ଫିଲ୍ମ ପ୍ରଯୋଜକ, ବ୍ୟବସାୟୀଙ୍କୁ ଇଡି ପଚରାଉଚୁରା କରିବା ପରେ ଆଗାମୀ ଦିନରେ ଅନ୍ୟମାନଙ୍କୁ ଜେରା କରିପାରେ। ଅର୍ଚ୍ଚନାଙ୍କ ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ଫଟୋ ଭାଇରାଲ ଘଟଣାରେ ବି ଆଗକୁ ଅନେକ ବଡବଡିଆ ଇଡି ସ୍କାନରକୁ ଆସିପାରନ୍ତି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅନେକ ନେତାଙ୍କ ସହ ଆଇଏଏସ ଓ ଆଇପିଏସ ଅଛନ୍ତି। ବହୁ ଲୋକ ସଂପୃକ୍ତ ଅଛନ୍ତି ସମସ୍ତଙ୍କ ପର୍ଦ୍ଦାଫାସ ହେବାର ଆବଶ୍ୟକ ରହିଛି। ଯେଉଁମାନେ ଏହି ଅପକର୍ମ କରିଥିବେ, ସେମାନେ ଯେଉଁ ଦଳରେ ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକତା ରହିଛି। ନେତାମାନେ ସମାଜକୁ ବାର୍ତ୍ତା ଦେବା କଥା। ସେମାନେ ଯଦି ଏପରି କାମ କରିବେ, ଏହା ଗୁରୁତର ସାମାଜିକ ଅପରାଧ।

ଅର୍ଚ୍ଚନା ନାଗ ସହ ପ୍ରାୟ ୬୫ ଜଣ ବିଧାୟକ ଓ ମନ୍ତ୍ରୀ ସାମିଲ ଥିବା ଚର୍ଚ୍ଚା ହେଉଥିଲା। ତାର ବାସ୍ତବିକତା ଦେବା ପାଇଁ ଇଡି ଆଜି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କୁ ଜେରା କରୁଛି। ଇଡି ତଦନ୍ତରୁ ଏବେ ସମସ୍ତଙ୍କ କଳା କାରନାମା ସାମ୍ନାକୁ ଆସିବ। ଏବେ ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କୁ ଇଡି ସମନ କରିଛି। ବିଜେପି ପୂର୍ବରୁ ସିବିଆଇ ତଦନ୍ତ ଦାବି କରୁଥିଲା। ସେ ଯେ କୌଣସି ଦଳର ହୁଅନ୍ତୁ ନା କାହିଁକି ସବୁ ତଥ୍ୟ ପଦାକୁ ଆସିବା ଉଚିତ। 

-ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ଅର୍ଚ୍ଚନା ନାଗଫାଶରେ ଅନେକ ନେତା ଓ ମନ୍ତ୍ରୀଙ୍କ ନାଁ ରହିଛି। ଇଡି ତଦନ୍ତ ରାଜନୈତିକ ଫାଇଦା ପାଇଁ ବ୍ୟବହାର ନ ହେଉ। ଏ ପ୍ରସଙ୍ଗକୁ କଂଗ୍ରେସ ବିଧାନସଭାରେ ଜୋରଦାର ଉଠାଇବ। ବଡ଼ ମାଛମାନଙ୍କୁ ଯେମିତି ଖସା ନଯିବ, ସେହିଭଳି ଭାବେ ତଦନ୍ତ ହେବା ଦରକାର।