ଭୁବନେଶ୍ବର: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। କିନ୍ତୁ ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି। ଅର୍ଚ୍ଚନା ନାଗ ଠିକ୍ ସମୟରେ କୋର୍ଟ ଦେଉଥିବା ତାରିଖରେ ହାଜର ହେବ। ଏଥିରେ କୌଣସି ଖିଲାପ କରିପାରିବେ ନାହିଁ। ଅର୍ଚ୍ଚନା ବେଲ୍ ପାଇଛନ୍ତି। କିନ୍ତୁ ଏଯାଏଁ ସମ୍ପୂର୍ଣ ଦୋଷମୁକ୍ତ ହୋଇନାହାନ୍ତି। ଆମେ ଖୁବ୍ ଶୀଘ୍ର ମାମଲା ଟ୍ରାଏଲ୍ ଆରମ୍ଭ ପାଇଁ କୋର୍ଟଙ୍କୁ ନିବେଦନ କରିବୁ।

Advertisment

ସୂଚନାଯୋଗ୍ୟ, ଅର୍ଚ୍ଚନାଙ୍କୁ ନେବା ଲାଗି ଆଜି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ। ଝାରପଡ଼ା ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ କହିଥିଲେ ଯେ ସେ କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ।

ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳି ସାରିଥିବା ବେଳେ ଇଡି ମାମଲାରେ ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ।