ଭୁବନେଶ୍ବର: ‘କାହାରିକୁ ଛାଡ଼ିବି ନାହିଁ। ସେ ନେତା ହୁଅନ୍ତୁ ବା ଅଫିସର। ମୋତେ ଦୁଇ ଜଣ ହିଁ ଫସାଇଛନ୍ତି। ନିଜେ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି। ମୋ‌ତେ ୩୦ ମିନିଟ ସମୟ ଦିଅନ୍ତୁ, ସବୁ ସତ କହି ଦେବି। ଏମିତି କହିବି ଯେ ରାଜ୍ୟ ଦୋହଲିଯିବ। ବିନା କୌଣସି ତଥ୍ୟ ପ୍ରମାଣରେ ମୋତେ ବଦନାମ କରନ୍ତୁ ନାହିଁ। ମୁଁ କାହାରିକୁ ଛାଡ଼ିବି ନାହିଁ। ଯେତେ ତଦନ୍ତ ସଂସ୍ଥା ଆସୁ ମୁଁ ତାର ସାମ୍ନା କରିବି, ସେମାନେ ତଦନ୍ତ କରନ୍ତୁ। ମୁଁ କ’ଣ ଆତଙ୍କବାଦୀ ଯେ ଡିରିଯିବି। ମୋ ୫ ବର୍ଷର ପୁଅ ମୁହଁ କୁ ବି ଚାହିଁଲେନି? ସମସ୍ତଙ୍କ ଉପରେ ନିଶ୍ବାସ ପଡ଼ିବ।’ ଗତକାଲି ଭଳି ଆଜି ମଧ୍ୟ ଗଣମାଧ୍ୟମକୁ ଏଭଳି ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି ବୟାନ ଦେଇ ପୁଣି ଥରେ ଦିନତମାମ ଚର୍ଚ୍ଚାରେ ରହିଛନ୍ତି ଅର୍ଚ୍ଚନା ନାଗ। ଆଜି ଝାରପଡ଼ା ଜେଲରୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଅର୍ଚ୍ଚନାକୁ କ୍ୟାପିଟାଲ ହସ୍ପିଟାଲ ନେବାବେଳେ ସେ ଏଭଳି ଧମକାଇଛନ୍ତି। ଯାହା ପୁଣି ଥରେ ଝଡ଼ ସୃଷ୍ଟି କରିଛି। ଏଥିସହିତ କିଏ ଅର୍ଚ୍ଚନାଙ୍କୁ ଫସାଇଥିଲା, କାହାକୁ ସେ ଅଙ୍ଗୁଳି ଉଠାଉଛନ୍ତି; ସର୍ବୋପରି ସେମାନେ ଅଫିସର, ରାଜନେତା ନା ଆଉ କିଏ, ସେସବୁକୁ ନେଇ ସବୁଠି ଜୋରଦାର ଚର୍ଚ୍ଚ ଚାଲିଛି।

Advertisment

ଗତକାଲି କୋର୍ଟ ଅର୍ଚ୍ଚନା ନାଗକୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେବା ପରେ ଆଜି ସକାଳ ପ୍ରାୟ ୧୧ଟାବେଳେ ପୁଲିସ ସୁରକ୍ଷା ଭିତରେ ତାଙ୍କୁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲ ନିଆଯଆଇଥିଲା। ଗଣମାଧ୍ୟମ ଠାରୁ ଅର୍ଚ୍ଚନାଙ୍କୁ ଦୂରେଇବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଛପଟ ଗେଟ୍ ଦେଇ ପୁଲିସ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ନେଇଥିଲା। ହେଲେ ସେଠାରେ ତାଙ୍କୁ ଗଣମାଧ୍ୟମ କର୍ମଚାରୀ ଘେରି ଯାଇଥିଲେ। ସେଠାରେ ହିଁ ଗୋଟିଏ ପରେ ଗୋଟିଏ ତଥ୍ୟ ଦେଇ ଚାଲି ଥିଲେ ଅର୍ଚ୍ଚନା।

କାହାରିକୁ ଛାଡ଼ିବିନି, ସବୁ କହିବି
ମୋ ମୁଣ୍ଡରେ ଅଠା ବୋଳା ଯାଉଛି
ଦୁଇ ଜଣ ମୋତେ ଫସାଇଛନ୍ତି
ଶ୍ରଦ୍ଧାଞ୍ଜଳିଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉ

ଅର୍ଚ୍ଚନା ପ୍ରଥମେ କହିଥିଲେ, ଇଡି ତଦନ୍ତକୁ ସଂପୂର୍ଣ୍ଣ ଭାବେ ସହଯୋଗ କରିବି। ଗଣମାଧ୍ୟମ ମୋତେ ସହଯୋଗ କରୁଥିବାରୁ ଧନ୍ୟବାଦ। ମୁଁ ସବୁ କହିବି ଓ ଆଉ ଯାହା ବି କହିବି ତଥ୍ୟ ପ୍ରମାଣ ସହିତ କହିବି। ଲକ୍ଷ୍ମୀସାଗର ଥାନାରେ ହୋଇଥିବା ଅଭିଯୋଗ, ମୋ ବିରୋଧରେ ଏକ ଷଡ଼ଯନ୍ତ୍ର ଥିଲା। ସେପ୍ଟମ୍ବର ୨୭, ୨୯, ଅକ୍ଟୋବର ୨ ତାରିଖରେ କମିସନରେଟ ପୁଲିସ କ’ଣ କରୁଥିଲା? ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲା? କାହିଁକି ସେ ଚୁପ୍ ରହିଛି। ସେ ଦିନଠାରୁ ଶ୍ରଦ୍ଧାଞ୍ଜଳି କାହା ସହିତ କଥା ହୋଇଛନ୍ତି, ତାଙ୍କୁ କେଉଁମାନେ ଫୋନ୍ କରିଛନ୍ତି, ସେସବୁ ତଥ୍ୟ ସାମ୍ନାକୁ ଅଣାଯାଉ। ସବୁ ତଥ୍ୟ ମୋ ପାଖରେ ଅଛି। ସବୁ ଇଡି ଆଗରେ କହିବି। ମୁଁ କାହାରିକୁ ଛାଡ଼ିବି ନାହିଁ। ମୋର ୫ ବର୍ଷର ପୁଅକୁ ବି ପୁଲିସ ଛାଡ଼ି ନ ଥିଲା। ତାର ମଧ୍ୟ ପାଟି ଚୁପ୍ କରି ଦେଲା ପୁଲିସ। ଯେତେ ସବୁ ତଦନ୍ତ ସଂସ୍ଥା ଆସୁ, ମୁଁ ତାର ସାମନା କରିବି। ସେ ନେତା ହୁଅନ୍ତୁ ବା ରାଜନେତା, କାହାକୁ ଛାଡ଼ିବି ନାହିଁ ବୋଲି ବାରମ୍ବାର ଦୋହରାଇଥିଲେ ଅର୍ଚ୍ଚନା।

ପରେ ଅର୍ଚ୍ଚନାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଇଡ଼ି କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପଚରାଉଚରା ଆରମ୍ଭ କରିଛି ଇଡି। ସେହିଭଳି ଆଜି ରଂଜିତ ବେହେରା, ପବିତ୍ର ପାତ୍ର ପ୍ରମୁଖଙ୍କୁ ଜେରା କରାଯାଇଛି। ଇଡିରେ ଅର୍ଚ୍ଚନାଙ୍କ ବୟାନକୁ ଆଧାର କରି ଖୁବ୍ ଶୀଘ୍ର ଅନେକଙ୍କୁ ନୋଟିସ୍ କରାଯିବ। ସେପଟେ ଅର୍ଚ୍ଚନା ନାଗଙ୍କ ଏଭଳି ବୟାନକୁ ନେଇ ପୁଣି ଥରେ ରାଜନୈତିକ ଓ ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି ହେଲାଣି। ଅର୍ଚ୍ଚନା କେଉଁ ଆଡ଼େ ଇସାରା କରି ଏଭଳି ବୟାନ ଦେଉଛନ୍ତି ତାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇ ଗଲାଣି। ଅନେକ କହୁଛନ୍ତି ଯଦି ଅର୍ଚ୍ଚନାଙ୍କ କାହା ନାଁରେ କିଛି କହିବାର ଅଛି, ଗଣମାଧ୍ୟମରେ ସିଧା ସିଧା କହି ଦେଉ ନାହାନ୍ତି କାହିକି? ଏଭଳି ବୁଲେଇ ବଙ୍କେଇ କାହିଁକି ଉତ୍ତର ଦେଉଛନ୍ତି। ଅର୍ଚ୍ଚନା ଚାହିଁଥିଲେ ନିଜର ଏଭଳି ବୟାନକୁ କୋର୍ଟରେ ପ୍ରଥମ ଦିନରେ ହିଁ କହି ପାରିଥାନ୍ତେ ବୋଲି କହିଛନ୍ତି ହାଇକୋର୍ଟର ମହିଳା ଆଇନଜୀବୀ ବବିତା କର। ଏବେ ଅର୍ଚ୍ଚନା ଏଭଳି ବୟାନ କେବଳ ଚର୍ଚ୍ଚା ପାଇଁ। କାରଣ ଏଭଳି ବୟାନ କୋର୍ଟ ଗ୍ରହଣ କରେ ନାହିଁ।