ସମ୍ବଲପୁର : ଅର୍ଚ୍ଚନା ନାଗଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ହୋଇଥିବା ବେଳେ ସେ କେସିଙ୍ଗାର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ ବୋର୍ଡ ପରୀକ୍ଷା ପୂର୍ବରୁ କାହା ସହ ଚାଲି ଯାଇଥିବାରୁ ପରିବାର ଲୋକ ଖୋଜାଖୋଜି କରି ଆଣି ମାଟ୍ରିକ ପରୀକ୍ଷା ଦେବାକୁ କହିଥିଲେ। ଏହା ପରେ ସେ କେସିଙ୍ଗାରୁ କୁଆଡ଼େ ଉଭାନ ହୋଇ ଯାଇଥିଲେ। ତାଙ୍କ ମା ଜଣେ ଶିକ୍ଷୟିତ୍ରୀ ଏବଂ ସେ ଏବେ ବି ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି।
୨୦୨୦ ଦୀପାବଳିରେ ସେ କେସିଙ୍ଗା ବୁଢାଡ଼ଙ୍ଗାର ପାହାଡ଼ ପାଦଦେଶର ଆମ୍ବେଦକର ଛକ ନିକଟରେ ଥିବା ଘରକୁ ଏକ ଦାମୀ କାର୍ରେ ଆସି ଦୀପାବଳି ପାଳନ କରିଥିଲେ। ସେହିଭଳି ୬ ମାସ ତଳେ ପୁଣି ତାଙ୍କ କେସିଙ୍ଗା ଘରକୁ ସେହି କାର୍ରେ ଆସି କିଛି ସମୟ ରହି ଚାଲି ଯାଇଥିଲେ। କେସିଙ୍ଗା ସ୍ଥିତ ଘରକୁ ସେ ପ୍ରାୟ ଆସୁନଥିଲେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କ ବେଶ୍ ଭଲ ଥିବା ଜଣାପଡ଼ିଛି। ବର୍ତ୍ତମାନ ବ୍ଲାକ୍ ମେଲିଂ ଘଟଣାରେ ଅର୍ଚ୍ଚନା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ସେ ଆର୍ଥିକ ସହଯୋଗ କରୁଥିବା ଆଲୋଚନା ହେଉଛି।