ଭୁବନେଶ୍ବର : ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍‌ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ଜାମିନ୍‌ ଆବେଦନ ଶୁଣାଣି ସଂରକ୍ଷିତ ରହିଛି। ଶନିବାର ଦିନ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଅର୍ଚ୍ଚନାଙ୍କ ଜାମିନ୍‌ ଆବେଦନର ଶୁଣାଣି ଥିବା ବେଳେ କୋର୍ଟ ତାହାକୁ ସଂରକ୍ଷିତ ରଖିଛନ୍ତି। ପରବର୍ତ୍ତୀ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

Advertisment

ଅନ୍ୟପକ୍ଷରେ, ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟରେ ଇଡି ମୁଣ୍ଡ ଖେଳାଇବା ଆରମ୍ଭ କରିବା ପରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟକୁ ଅଧାର କରି ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ଆରମ୍ଭ କରିଛି। ଅର୍ଚ୍ଚନା ଲିଙ୍କ୍‌ରେ ସଂପୃକ୍ତ ଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ଇଡି ନୋଟିସ୍‌ କରିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ୨୭ ଅକ୍ଟୋବରରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦ କରିବା ପାଇଁ ଇଡି ଖୋଳତାଡ଼ କରିବା ଆରମ୍ଭ କରିଥିଲା। କମିସନରେଟ୍ ପୁଲିସ ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଏତଲା କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି, ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ କରି ଓଡ଼ିଶାବାସୀଙ୍କ ସାମ୍ନାରେ ତଥ୍ୟ ରଖିବ ତ ଇଡି? ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅର୍ଚ୍ଚନାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିପାରିବ ତ?