ଲାଞ୍ଜିଗଡ଼: ଅର୍ଚ୍ଚନା ନାଗ ଗିରଫଦାରୀ ପରେ ଦିନକୁଦିନ ତାଙ୍କ ସମ୍ପର୍କରେ ନୂଆ ନୂଆ ଗୁମର ଫିଟିବାରେ ଲାଗିଛି। ସେ ୨୦୦୫-୦୬ ମସିହାରୁ ନିଜ ପୈତୃକ ଘର କେନ୍ଦୁଗୁଡ଼ାରେ ନରହି ଲାଞ୍ଜିଗଡ଼ରେ ରହିଆସୁଥିଲେ। ସେତେବେଳେ ଅର୍ଚ୍ଚନାଙ୍କ ମା’ ଲାଞ୍ଜିଗଡ଼ସ୍ଥିତ ନୋଡ଼ାଲ ସ୍କୁଲରେ ଶିକ୍ଷକତା କରୁଥିବା ସୂଚନା ମିଳିଛି।
ହସ୍ତଗତ ସୂଚନା ଅନୁସାରେ, ୨୦୦୮ ମସିହାରେ ତାଙ୍କ ବାପା ଝିଅକୁ ଅସଦାଚରଣ ଅଭିଯୋଗ ନେଇ ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ତତ୍କାଳୀନ ଥାନାଧିକାରୀ କେସ୍ ନଂ ୮୮/୨୦୦୮ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଏଥିରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ। ଏହାପରେ ଅର୍ଚ୍ଚନାଙ୍କ ପରିବାର ଲାଞ୍ଜିଗଡ଼ ଛାଡ଼ିଥିବା ବେଳେ କେସିଙ୍ଗାରେ ଘରଦ୍ବାର କରି ରହିଆସୁଥିଲେ। ସେଠାରୁ ଭୁବନେଶ୍ବର ଯାଇ ରାତାରାତି କୋଟିପତି ହେବା ଓ ବଡ଼ବଡ଼ିଆଙ୍କୁ ବ୍ଲାକ୍ମେଲିଂ ଅଭିଯୋଗରେ ଛନ୍ଦି ହେବାପରେ ତାଙ୍କ ସଂପର୍କରେ ଅଧିକ ଜାଣିବାକୁ ଲୋକେ ଅତିମାତ୍ରାରେ ଉତ୍ସୁକ ହୋଇପଡ଼ିଛନ୍ତି। ଲାଞ୍ଜିଗଡ଼ ନିକଟସ୍ଥ କେନ୍ଦୁଗୁଡ଼ାରେ ଅର୍ଚ୍ଚନାଙ୍କ ବଡ଼ବାପା, କାକାମାନଙ୍କ ପରିବାର ରହୁଥିବା ବେଳେ ପ୍ରାୟ ୧୫ ବର୍ଷ ହେଲା ସେମାନେ ପରିବାର ସହିତ ସଂପର୍କରେ ରଖୁନଥିବା ସୂଚନା ମିଳିଛି। ‘ ଭାଇ କେସିଙ୍ଗା ସ୍ଥାନାନ୍ତର ହେବାପରେ ତାଙ୍କ ସହିତ ସଂପର୍କ ଛିନ୍ନ ହୋଇ ସାରିଥିଲା। ଆମ ପରିବାରରେ କୌଣସି ବିବାହ କିମ୍ବା ଅନ୍ୟ କୌଣସି ପର୍ବପର୍ବାଣିରେ ସୁଦ୍ଧା ସେମାନେ ଆସୁନଥିଲେ,’ ବୋଲି ଅର୍ଚ୍ଚନାଙ୍କ ବଡ଼ବାପା ଓ ସଂପର୍କୀୟମାନେ କହିଛନ୍ତି।
ଜଗବନ୍ଧୁ ବେକରେ ବାଜିଥିଲା ଗୁଳି
ଅର୍ଚ୍ଚନା ରାଉରକେଲାର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କୁ ବ୍ଲାକ୍ମେଲ୍ କରି ୨ କୋଟି ଟଙ୍କା ଦାବି କରିଥିଲେ। ମୂଲଚାଲ ହେବା ପରେ ବି ଜଗବନ୍ଧୁ ଓ ଅର୍ଚ୍ଚନା ୨ କୋଟିରୁ ତଳକୁ ଖସିନଥିଲେ। ତେଣୁ ବ୍ଲାକ୍ମେଲର ଶିକାର ହେବାକୁ ଯାଉଥିବା ବ୍ୟବସାୟୀ ଜଗବନ୍ଧୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଅଣଓଡ଼ିଆ ସୁପାରି କିଲର୍ମାନେ ୫୦ ଲକ୍ଷ ଟଙ୍କାରେ ଜଗବନ୍ଧୁକୁ ସଫା କରିବେ ବୋଲି କଥା ଛିଡ଼ିଥିଲା। ତେଣୁ ରାଉରକେଲା ଓ ବିହାରୀ ସୁପାରିକିଲର୍ ମିଳିତ ଭାବେ ଭୁବନେଶ୍ବରରେ ଡେରା ପକାଇ ଜଗବନ୍ଧୁକୁ ଗୁଳି କରିଥିଲେ। ମାତ୍ର ସୌଭାଗ୍ୟକୁ ଗୁଳି ଜଗବନ୍ଧୁଙ୍କ ବେକ କଡ଼ରେ ବାଜି ଚାଲିଯାଇଥିଲା। ଫଳରେ ଜଗବନ୍ଧୁ ବର୍ତ୍ତି ଯାଇଥିଲା।